ମୁମ୍ୱାଇ: ୨୦୨୨ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହାର ଯଥେଷ୍ଟ ସମୟ ପୂର୍ବରୁ ଶିବସେନା ରାଷ୍ଟ୍ରପତି ପଦବୀ ପାଇଁ ଲବି କରିବା ଆରମ୍ଭ କରିଛି। ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଦେଶର ଜଣେ ବରିଷ୍ଠ ନେତା। ତାଙ୍କ ନାମକୁ ସର୍ବସମ୍ମତି କ୍ରମେ ସମସ୍ତ ଦଳ ସମର୍ଥନ କରିବା ଉଚିତ। ତାଙ୍କୁ ଦେଶର ଆଗାମୀ ରାଷ୍ଟ୍ରପତି କରାଯାଉ ବୋଲି ଶିବସେନାର ତୁଣ୍ଡ ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ୨୦୨୨ ବେଳକୁ ବିରୋଧୀଙ୍କ ସଂଖ୍ୟା ଅଧିକ ରହିବ। ତେଣୁ ତାଙ୍କ ପକ୍ଷ ହିଁ ଦେଶର ଆଗାମୀ ରାଷ୍ଟ୍ରପତି ବାବଦରେ ନିଷ୍ପତ୍ତି ନେବ ବୋଲି ସଞ୍ଜୟ କହିଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ବିଜେପି ସହ ସମ୍ପର୍କ ତୁଟାଇ ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିଛି। ଶିବସେନା ଏହି ମେଣ୍ଟ ସରକାରର ନେତୃତ୍ୱ ନେଇଛି। ଏହି ମେଣ୍ଟ ପଛରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଏବେ ଋଣ ସୁଝାଇବା ଆଧାରରେ ଶିବସେନା ରାଷ୍ଟ୍ରପତି ପଦବୀ ପାଇଁ ଲବି କରିବା ଆରମ୍ଭ କରିଛି।