ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ଶ୍ରୀଧର ପାତ୍ରଙ୍କୁ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର ନୂତନ ସିଏମ୍ଡି ଭାବେ ନିଯୁକ୍ତି ମିଳିଛି। ସେ ଏହି ଦାୟିତ୍ୱରେ ୩ ମାସ ପାଇଁ ରହିବେ। ଶ୍ରୀ ପାତ୍ର ନାଲକୋର ନିର୍ଦ୍ଦେଶକ (ଅର୍ଥ) ଭାବେ ପୂର୍ବରୁ ଦାୟିତ୍ୱ ତୁଲାଇଥିଲେ। ତପନ କୁମାର ଚାନ୍ଦ ୨୦୧୫ ମସିହା ଜୁଲାଇରୁ ବର୍ତ୍ତମାନ ନାଲକୋର ସିଏମ୍ଡି ଦାୟିତ୍ୱ ତୁଲାଉଛନ୍ତି। ଶ୍ରୀ ଚାନ୍ଦ ଆସନ୍ତାକାଲି ଅର୍ଥାତ ୩୦ ନଭେମ୍ବରରେ ଅବସର ନେଉଛନ୍ତି।
ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସିଲେକ୍ସନ୍ ବୋର୍ଡ ଶ୍ରୀ ପାତ୍ରଙ୍କୁ ଏହି ପଦ ପାଇଁ ବାଛିଥିଲା। ତାଙ୍କ ସହ ଏହି ପଦ ପାଇଁ ଅନ୍ୟ ୩ ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା। ସେଲ୍, ମେକନ୍ ଏବଂ ନର୍ଥ ଇଷ୍ଟର୍ଣ୍ଣ ଇଲେକ୍ଟ୍ରିକ୍ ପାୱାର କର୍ପୋରେସନ୍ ଆଦି କମ୍ପାନୀର ଶୀର୍ଷ ଅଧିକାରୀଙ୍କୁ ଏଥିରେ ନିଆଯାଇଥିଲା।
ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ସାରିଥିବା ଶ୍ରୀ ପାତ୍ର ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ସଦସ୍ୟ। ସେ ବିଦ୍ୟାସାଗର ବିଶ୍ୱ ବିଦ୍ୟାଳୟରୁ ଏମ୍ବିଏ ମଧ୍ୟ କରିଛନ୍ତି। କ୍ୟାବିନେଟ୍ ଅନୁମୋଦନ କ୍ରମେ ତାଙ୍କର ଏହି ନୂତନ ନିଯୁକ୍ତି ପରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।