ହାଇଦ୍ରାବାଦ: ସବୁ ସପ୍ତାହ ପରି ଏଥର ବି ତାଙ୍କ ପାଇଁ ସାଧାରଣ ବୁଧବାରଟିଏ ଥିଲା। କିନ୍ତୁ ବିପଦରେ ପଡ଼ି ସହାୟତା ମାଗିବା ତାଙ୍କ ପାଇଁ କାଳରାତ୍ରି ପାଲଟିଗଲା। ସହାୟତା ନାଁରେ କିଛି ଅପରାଧୀ ଜଣେ ୨୬ ବର୍ଷର ଭେଟେରିନାରୀ ଡାକ୍ତର ଯୁବତୀଙ୍କ ସହ ଏଭଳି କିଛି କାଣ୍ଡ ଘଟାଇଛନ୍ତି ଯାହାକୁ ନେଇ ସାରା ଦେଶ କ୍ରୋଧରେ ଥରି ଉଠିଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ କିରୋସିନ୍ ପକାଇ ଜାଳି ଦିଆଯାଇଥିବାବେଳେ ଦୋଷୀଙ୍କୁ ଦଣ୍ଡ ସ୍ୱରୂପ ସମସ୍ତଙ୍କ ସାମ୍ନାରେ ଜୀଅନ୍ତା ଜାଳି ଦିଆଯାଉ ବୋଲି ଦାବି କରିଛନ୍ତି ପୀଡ଼ିତାଙ୍କ ମା’। ଅନ୍ୟପକ୍ଷରେ ପୁଲିସ୍ ମହମ୍ମଦ ପାଶା ନାମକ ଜଣେ ଲରି ଡ୍ରାଇଭର ସମେତ ୪ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି।
ଘରୁ ବାହାରିବାର ୧୨ ଘଣ୍ଟା ପରେ ତାଙ୍କ ଦଗ୍ଧ ଶରୀର ରାଙ୍ଗାରେଡ୍ଡି ଜିଲ୍ଲାର ଚାଦନପଲ୍ଲୀ ନାମକ ଏକ ଗାଁରୁ ଉଦ୍ଧାର କରାଯାଇଛି। ପୁଲିସ୍ ଏହି ଘଟଣାକୁ ଦୁଷ୍କର୍ମ ବୋଲି ସନ୍ଦେହ କରୁଥିଲେ ମଧ୍ୟ ଏଯାଏ ପୁରା ଘଟଣା ଏଯାଏ ଜଣାପଡ଼ିନାହିଁ। ତେବେ ଶେଷ ଥର ପାଇଁ ପୀଡ଼ିତା ତାଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ। ଫୋନ୍ରୁ ଜଣାପଡ଼ୁଥିଲା କିଛି ଅଜଣା ଲୋକ ତାଙ୍କୁ ହଇରାଣ କରୁଛନ୍ତି। ଶେଷ ଥର ପାଇଁ କହିଥିଲେ, ତୁ ମୋ ସହ ଟିକେ କଥା ହଉଥା, ମୋତେ ଭାରି ଡର ମାଡ଼ୁଛି।
ମିଳିଥିବା ସୂଚନା ଅନୁଯାୟୀ, ନୱାବପେଟ୍ଠାରେ ଭେଟେରିନାରୀ ଡାକ୍ତର ଭାବେ ପୀଡ଼ିତା କାମ କରୁଥିଲେ। ସେ ଗୋଛିବୋଲିସ୍ଥିତ ସ୍କିନ୍ କ୍ଲିନିକ୍ ପ୍ରାୟତଃ ଯା’ନ୍ତି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୫ଟା ବେଳକୁ ଘର ଛାଡ଼ିବା ପରେ ୯.୩୦ ବେଳକୁ ସାନ ଭଉଣୀଙ୍କୁ ଫୋନ୍ କରିଥିଲେ। ସେ ସେତେବେଳେ ଏକ ଟୋଲ୍ ପ୍ଲାଜାଠାରେ ଥିଲେ ଏବଂ ତାଙ୍କ ସ୍କୁଟର ଟାୟାର ଲିକ୍ ହୋଇଥିଲା। ଜଣେ ଅଜଣା ବ୍ୟକ୍ତି ତାଙ୍କ ସହାୟତା ପାଇଁ ଆଗଭର ହୋଇଥିବା ସେ କହିଥିଲେ। ପୀଡ଼ିତା ନିଜେ ଟାୟାର ଦୋକାନ ଚାଲିଯିବେ ବୋଲି କହିବା ପରେ ମଧ୍ୟ ସେ ନିଜ ଆଡ଼ୁ ସହାୟତା ପାଇଁ ବାଧ୍ୟ କରିଥିଲେ।
ଏହାପରେ ପୀଡ଼ିତା ତାଙ୍କ ସାନ ଭଉଣୀଙ୍କୁ ଲଗାତାର କହିଚାଲିଥିଲେ, “ତୁ ମୋ ସହ କଥା ହେଉଥା। ମୋ ସ୍କୁଟର ଆସିବା ଯାଏ କଥା ହଉଥା। ସେମାନେ ବାହାରେ ଅପେକ୍ଷା କରିଛନ୍ତି।” ପ୍ରାୟ ୯.୪୪ ବେଳକୁ ପୀଡ଼ିତାଙ୍କ ସହ ତାଙ୍କ ଭଉଣୀ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ। ଏହାପରେ ୧୦.୩୦ରେ ପୁଣି ଫୋନ୍ କରାଯାଇଥିଲା। କିନ୍ତୁ ଉକ୍ତ ନମ୍ବରଟି ସ୍ୱିଚ୍ ଅଫ୍ ଥିଲା। ଏହାପରେ ତାଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ନ ପାଇ ପୁଲିସ୍ ନିକଟକୁ ଯାଇଥିଲେ। ଗୁରୁବାର ଭୋର ସମୟରେ ଅଭିଯୋଗ କରିଥିଲେ। ସକାଳ ୭ଟା ବେଳକୁ ପୁଲିସ୍ ପୋଡ଼ିଯାଇଥିବା ମୃତଦେହ ପାଇଥିବା କହିଥିଲା। ପୀଡ଼ିତା ପିନ୍ଧିଥିବା କପଡ଼ାରୁ ଚିହ୍ନଟ ପରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା।
ଯଦିଓ ପ୍ରାଥମିକ ତଦନ୍ତରୁ ଦୁଷ୍କର୍ମ ନେଇ ସନ୍ଦେହ କରାଯାଉଛି, ଏଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତଦନ୍ତ ପାଇଁ ୧୦ ଟିମ୍ ଗଠନ କରାଯାଇଛି। ଏହି ଘଟଣାକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସଭ୍ୟ ସମାଜରେ ଏଭଳି ଅପରାଧିଙ୍କର କୌଣସି ସ୍ଥାନ ନାହିଁ ବୋଲି ନାଇଡ଼ୁ କହିଛନ୍ତି।
ଅନ୍ୟପକ୍ଷରେ ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି ପୁଲିସ୍ ତତ୍ପରତା ପ୍ରକାଶ କରିଥିଲେ ସେ ବଞ୍ଚିଯାଇଥା’ନ୍ତେ। ପୀଡ଼ିତାଙ୍କ ଭଉଣୀ କହିଛନ୍ତି, “ଆମେ ଗୋଟିଏରୁ ଆଉ ଗୋଟିଏ ପୁଲିସ୍ ଥାନା ଦୌଡ଼ିବା ଭିତରେ ବହୁତ ସମୟ ବିତାଇଦେଲୁ।”