ନୂଆଦିଲ୍ଲୀ: ଓଡ଼ିଶା, ସିକିମ୍ ଓ ମିଜୋରାମ ସମନ୍ୱିତ ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନାରେ ଆଜିଠାରୁ ସାମିଲ ହେଉଛନ୍ତି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାସୱାନ ଏହି ସୂଚନା ଦେଇଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଜରିଆରେ ରାସନକାର୍ଡ ଧାରକ ମାନେ ଦେଶର ଯେ କୌଣସି ସ୍ଥାନରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରାସନ ସାମଗ୍ରୀ ପାଇପାରିବେ।
ତେବେ ସେମାନଙ୍କ ରାସନ କାର୍ଡକୁ ଆଧାର କାର୍ଡରେ ଇପିଓଏସ ଦ୍ୱାରା ସଂଯୋଗ କରିବାକୁ ହେବ। ଏ ପର୍ଯ୍ୟନ୍ତ ଏହି ସୁବିଧା ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯଥା - ଆନ୍ଧ୍ରପ୍ରଦେଶ, ବିହାର, ଦାଦ୍ରା ଓ ନଗର ହାବେଳୀ, ଡାମନଡିଉ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ତେଲଙ୍ଗାନା, ତ୍ରିପୁରା ଏବଂ ଉତ୍ତର ପ୍ରଦେଶରେ ମିଳୁଥିଲା।
ଅଗଷ୍ଟ ୨୦୨୦ ସୁଦ୍ଧା ଆଉ ତିନିଟି ରାଜ୍ୟ ଯଥା, ଉତ୍ତରାଖଣ୍ଡ, ନାଗାଲାଣ୍ଡ ଏବଂ ମଣିପୁରରେ ମଧ୍ୟ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହୋଇଯିବେ। ବିଭାଗ ପକ୍ଷରୁ ବାକି ଅବଶିଷ୍ଟ ୧୩ ରାଜ୍ୟ ଯଥା - ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଦିଲ୍ଲୀ, ଜମ୍ମ କାଶ୍ମୀର, ଲଦାଖ, ଚଣ୍ଡିଗଡ, ପୁଡୁଚେରି, ତାମିଲନାଡୁ, ଛତିଶଗଡ, ଆଣ୍ଡାମାନ-ନିକୋବର ଓ ଲାକ୍ଷାଦ୍ୱୀପ ଏହି ଜାତୀୟ କ୍ଲଷ୍ଟରରେ ସାମିଲ ହେବା ପାଇଁ ସମସ୍ତ ପ୍ରଚେଷ୍ଟା ଚାଲିଛି।
ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ରାଜ୍ୟ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନାରେ ସାମିଲ ହେବା ପରେ ଏହା ଜାତୀୟ ସ୍ତରରେ କାର୍ଯ୍ୟକାରୀ ହେବ।
ପାସୱାନ କହିଛନ୍ତି, କେନ୍ଦ୍ରୀୟ ବୈଷୟିକ ଦଳ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗୀୟ ଅଧିକାରୀ ଓ ବୈଷୟିକ ଗୋଷ୍ଠୀଙ୍କୁ ଏ ସଂକ୍ରାନ୍ତରେ ଭିଡିଓ କନଫରେନ୍ସିଂ ଜରିଆରେ ତାଲିମ ପ୍ରଦାନ କରୁଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଯେଉଁ ରାସନ କାର୍ଡ ଛ ମାସ ଧରି ଆଧାର ସଂଯୋଗ ହୋଇଥିବ ତାହା ଏହି ଯୋଜନାରେ ସାମିଲ ହୋଇପାରିବ। ଏହା ବ୍ୟତୀତ କେନ୍ଦ୍ରୀୟ ଏନଆଇସି ଟିମ ମଧ୍ୟ ୱାନ ନେସନ, ୱାନ କାର୍ଡ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ରାଜ୍ୟ ଗୁଡିକୁ ନିରବଚ୍ଛିନ୍ନ ଭାବେ ସହାୟତା କରି ଆସୁଛନ୍ତି।
ଜୁନ ମାସ ଶେଷ ସୁଦ୍ଧା ଯୋଜନାରେ ସାମିଲ ସମସ୍ତ ରାଜ୍ୟ ଜାତୀୟ ଓ ଆନ୍ତଃରାଜ୍ୟ ଦେଣନେଣ ବ୍ୟବସ୍ଥା ଆରମ୍ଭ କରିବାକୁ ଶ୍ରୀ ପାସୱାନ ନିବେଦନ କରିଛନ୍ତି। ଏହା ଫଳରେ ହିତାଧିକାରୀମାନେ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଥାଆନ୍ତୁ ନା କାହିଁକି ସେଠାରୁ ନିଜର ରାସନ ସାମଗ୍ରୀ ଉଠାଇପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ଓ ସୁଲଭ ଦର ଦୋକାନୀମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଉପରେ ମଧ୍ୟ ଶ୍ରୀ ପାସୱାନ ଗୁରୁତ୍ୱାରୋପ କରିଛନ୍ତି ।