/odisha-reporter/media/post_attachments/uploads/2020/11/y.jpg)
y
ମଧୁବନୀ: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି। ଗୋଟିଏ ପଟେ ଲୋକେ ମତାଧିକାର ସାବ୍ୟସ୍ତ କରୁଥିବା ବେଳେ ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି। ତେବେ ଏହି ପ୍ରଚାର ବେଳେ ସେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।
ସେ ଶୋଭାଯାତ୍ରାରେ ସମ୍ବୋଧନ କରୁଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପଥମାଡ଼ କରିଛନ୍ତି। ଆଜି ନୀତୀଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ। ଏଠାରେ ନୀତୀଶ କୁମାର ଯେତେବେଳେ ନିଯୁକ୍ତି ପ୍ରସଙ୍ଗରେ ଭାଷଣ ଦେଇଥିଲେ ସେତେବେଳେ ତାଙ୍କ ବିରୋଧରେ ଲୋକମାନେ ନାରାବାଜୀ କରିଥିଲେ। ଏହାପରେ ଭିଡ଼ ମଧ୍ୟରୁ କିଛି ଲୋକ ତାଙ୍କୁ ପଥର ମଧ୍ୟ ମାଡ଼ କରିଥିଲେ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଏହା ଦେଖି ମଞ୍ଚ ଉପରୁ ହିଁ ନୀତୀଶ କୁମାର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ବିରକ୍ତ ହୋଇ କହିଥିଲେ ଯେ ଆହୁରି ପଥର ମାଡ଼ କରନ୍ତୁ। ଏମିତି ପଥର ମାଡ଼ କରିଚାଲ। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।
ଅନ୍ୟପକ୍ଷରେ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଲୋକମାନେ ଘେରା ବନ୍ଦୀ କରି ଲୋକଙ୍କୁ ଶାନ୍ତ ରହିବାକୁ ବୁଝାଇଥିଲେ। ସେହିପରି ନୀତୀଶ କୁମାର ମଧ୍ୟ ନିର୍ବାଚନ ସଭାରେ ନିଜର ଭାଷଣ ପୂରା କରିଥିଲେ। ନୀତୀଶ କୁମାରଙ୍କ ଉପରକୁ ପଥର ମାଡ଼ ଘଟଣାରେ ମନ୍ତ୍ରୀ ରଞ୍ଜନ କୁମାର ଝା କହିଛନ୍ତି, ବିରୋଧୀ ଦଳ ଭଲ ଭାବେ ଜାଣି ସାରିଲେଣି ଯେ ସେମାନେ ଭୋଟିଂରେ ଆମକୁ ହରାଇ ପାରିବେ ନାହିଁ। ତେଣୁ ସେମାନେ ଏଭଳି ଘଟଣା ଘଟାଇବାକୁ ଚେଷ୍ଟା କରୁଛନ୍ତି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବିରୋଧୀ ଦଳ ଗୁଡ଼ିକ ଆକ୍ରମଣ କରିଛନ୍ତି। ଆପଣମାନେ ନୀତୀଶ କୁମାରଙ୍କୁ ପସନ୍ଦ କରନ୍ତୁ କି ନ କରନ୍ତୁ, ଲୋକମାନେ ତାଙ୍କୁ ଭୋଟ ଦେଇ ଜିତାଇବେ। ଆପଣମାନେ ତାଙ୍କୁ ପସନ୍ଦ କରୁନାହାନ୍ତି ବୋଲି କ’ଣ ଜୀବନ ନେବା ପାଇଁ ଚେଷ୍ଟା କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାପୂର୍ବରୁ ମୁଜାଫରପୁର ଠାରେ ଆୟୋଜିତ ଏକ ରାଲିରେ ନୀତୀଶ କୁମାରଙ୍କୁ ଜଣେ ଯୁବକ ଚପଲ ମାଡ଼ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
