ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ସାଂସଦ ସୌଗତ ରୟ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସଂସଦରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପୋଷାକ ଉପରେ ଟିଏମସି ସାଂସଦ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବୋଲି ଶାସକ ସାଂସଦମାନେ କହିଥିଲେ। ଜଣେ ବରିଷ୍ଠ ସଦସ୍ୟ ଭାବରେ ଏଭଳି କହିବା ଗ୍ରହଣନୀୟ ନୁହେଁ। ଟିଏମସି ସାଂସଦ ଏ ନେଇ କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି। ତେବେ ସୌଗତ ରୟଙ୍କ ମନ୍ତବ୍ୟକୁ ଲୋକସଭାର କାର୍ଯ୍ୟଧାରାରୁ ହଟାଇ ଦେବା ପାଇଁ ବାଚସ୍ପତି ଓମ୍ ବିର୍ଲା ନିର୍ଦ୍ଦେଶ ଦେଇଥିଲେ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଗୃହର ଜଣେ ବରିଷ୍ଠ ସଦସ୍ୟ କାହାର ବ୍ୟକ୍ତିଗତ ପୋଷାକ ଉପରେ ମନ୍ତବ୍ୟ ଦେବା ଠିକ୍ ନୁହେଁ। ବିନା ସର୍ତ୍ତରେ ସାଂସଦ ଜଣଙ୍କ କ୍ଷମା ମାଗିବା ଦରକାର। ଏଭଳି ମନ୍ତବ୍ୟ ମହିଳାଙ୍କ ପ୍ରତି ଅପମାନ। ତେବେ ସୌଗତ ରୟ କହିଥିଲେ ସେ ଦେଇଥିବା ମନ୍ତବ୍ୟ କୌଣସି ବିବାଦୀୟ ନୁହେଁ।
ଲୋକସଭାରେ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ବେଳେ ଟିଏମସି ସାଂସଦ ସୌଗତ ରୟ ଏଭଳି ମନ୍ତବ୍ୟ ଦେଇଥିଲେ।