ୱାଶିଂଟନ୍: ଇରାନ୍ର ମିସାଇଲ୍ ମାଡ଼ରେ କେହି ବି ଆମେରିକୀୟ ମରିନାହାନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ୍ ଆମେରିକା ଉପରେ ବଦ୍ଲା ନେବାପାଇଁ କରିଥିବା ମିସାଇଲ ମାଡ଼ ପରେ ପ୍ରଥମ ଥର ପାଇଁ ସେ ମୁହଁ ଖୋଲି ଏପରି କରିଛନ୍ତି। ତେବେ ତାଙ୍କ ବିବୃତିରେ ପ୍ରତିଶୋଧର ସନ୍ଦେଶ ନେଇ ସମସ୍ତେ ଆଶା କରୁଥିବାବେଳେ, ସେ ସେଭଳି କିଛି କହିନାହାନ୍ତି। ହ୍ୱାଇଟ୍ ହାଉସ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ କହିଛନ୍ତି ଆମେରିକାର ସେନା ବେସ୍ ଉପରେ ଇରାନ୍ର ଆକ୍ରମଣ ସେପରି କିଛି ପ୍ରଭାବିତ କରିପାରିନି।
ସେ ସମସ୍ତ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇ କହିଥିଲେ, “ଆମେ ସମସ୍ତେ ଏକାଠି ଇରାନ୍ ସହ ଚୁକ୍ତି କରିବା ଦରକାର। ଏହା ବିଶ୍ୱକୁ ସୁରକ୍ଷିତ ଏବଂ ଶାନ୍ତ ସ୍ଥାନରେ ପରିଣତ କରିବ।”
ସେ କହିଛନ୍ତି, “ଆମର ସମସ୍ତ ସୈନିକ ସୁରକ୍ଷିତ ଅଛନ୍ତି ଏବଂ ଆମ ମିଲିଟାରୀ ବେସ୍ରେ ନଗଣ୍ୟ କ୍ଷତି ହୋଇଛି। ଆମର ଆମେରିକା ସେନାବାହିନୀ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି।” ସେ କହିଛନ୍ତି, ଇରାନ୍ ନରମିଛି, ଏହା ସମସ୍ତ ପକ୍ଷ ପାଇଁ ଏକ ଭଲ କଥା। ଏଥିରେ ଆମେରିକା ଏବଂ ଇରାକ୍ର କେହି ମଧ୍ୟ ମରିନାହାନ୍ତି।
ଇରାନ୍ ସହ କୌଣସି ବ୍ୟବସାୟିକ ସ୍ୱାର୍ଥ ନାହିଁ ଦର୍ଶାଇବାକୁ ସେ କହିଛନ୍ତି, “ଆମେ ନମ୍ବର ୧ ତୈଳ ଉତ୍ପାଦନକାରୀ ଏବଂ ପ୍ରାକୃତିକ ବାଷ୍ପ ଉତ୍ପାଦନକାରୀ। ଆମେ ସ୍ୱାଧୀନ ଏବଂ ଆମକୁ ମଧ୍ୟପ୍ରାଚ୍ୟ ଦରକାର ନାହିଁ।” ସେ ଇରାନ୍କୁ ଧମକାଇ କହିଛନ୍ତି, ମୁଁ ରାଷ୍ଟ୍ରପତି ଥିବାଯାଏ ଇରାନ୍ ଆଣବିକ ପାଇଁ ଅନୁମତି ପାଇବ ନାହିଁ। ସୁଲେମାନୀ ଆମେରିକୀୟଙ୍କୁ ମାରିବାକୁ ଟାର୍ଗେଟ୍ କରିଥିଲା, ଆମେରିକା ସେଥିରେ ଲଗାମ ଲଗାଇପାରିଛି ବୋଲି ଟ୍ରମ୍ପ କହିଛନ୍ତି।