ନୂଆଦିଲ୍ଲୀ: ଦେଶଦ୍ରୋହ ଅଭିଯୁକ୍ତ ଜେଏନ୍ୟୁ ଛାତ୍ର ଉମର ଖାଲିଦ ଏବଂ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ମଙ୍ଗଳବାର ରାତିରେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ସାଉଥ୍ କ୍ୟାମ୍ପସ୍ ପୋଲିସ୍ ଷ୍ଟେସନ୍ରେ ରଖାଯାଇଛି। ଆଜି ଦିପହରରେ ସେମାନଙ୍କୁ ପଟିଆଲା କୋର୍ଟରେ ହାଜର କରାଯିବ। ପୋଲିସ୍ ସେମାନଙ୍କୁ ଜେରା କରିବାକୁ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି।
ଗତକାଲି ରାତି ପ୍ରାୟ ୧୧ଟା ୩୫ରେ ଉମର ଓ ଅନିର୍ବାଣ ନିଜ ଗାଡ଼ିରେ ବିଶ୍ୱବିଦ୍ୟାଳୟରୁ ବାହାରକୁ ଆସିଥିଲେ। ରାତି ୧୧ଟା ୪୦ରେ ସେମାନେ ବିଶ୍ୱବିଦ୍ୟାଳୟ ୪ ନମ୍ବର ଗେଟ୍ ପାଖରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ପୋଲିସ୍ର ଦୁଇଟି ଗାଡ଼ି ରହିଥିଲା। ୧୧ଟା ୫୫ ମିନିଟ୍ରେ ସେମାନେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି ଥିଲେ। ପୋଲିସ୍ ସେମାନଙ୍କୁ ସେଠାରୁ ସିଧା ବସନ୍ତ ବିହାର ଥାନା ନେଇଯାଇଥିଲା। କାରଣ ସେଠାରେ ହିଁ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ସେମାନଙ୍କ ପରେ ଆର୍କେ ପୁରମ୍ ଥାନା ନିଆଯାଇଥିଲା।
ସାଉଥ୍ ଡିଷ୍ଟ୍ରିକ୍ଟ୍ର ଏକ ଏସ୍ଟିଏଫ୍ ଟିମ୍ ଉମର ଓ ଅନିର୍ବାଣଙ୍କୁ ପଚରାଉଚରା କରୁଛନ୍ତି। ଅଫଜଲ ଗୁରୁ ସମର୍ଥନରେ ଉମର ନାରାବାଜି କରିଥିବା ପଚରାଉଚରା ବେଳେ ସ୍ୱୀକାର କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।
ଅଫଜଲ ଗୁରୁ ସମର୍ଥନରେ ଓ ଦେଶ ବିରୋଧୀ ନାରାବାଜି ନେଇ ଜେଏନ୍ୟୁ ଛାତ୍ର ସଂସଦ ସଭାପତି କହ୍ନେୟା ଗିରଫ ହୋଇଥିବା ଅନ୍ୟ ୫ ଜଣ ଫେରାର୍ ହୋଇଯାଇଥିଲେ। ରବିବାର ସେମାନେ ଜେଏନ୍ୟୁ କ୍ୟାମ୍ପସକୁ ଫେରି ଆସିଥିଲେ।