ଝିଅ ଜନ୍ମ ହେବାରୁ ସ୍ତ୍ରୀ ଓ ଛୁଆକୁ ଘରୁ ତଡ଼ି ଦେଲା ସ୍ୱାମୀ

ବଣ୍ଡା: ପୁଅକୁ ଚାହିଁ ଚାହିଁ ୬ଟି ଝିଅ ଜନ୍ମ ଦେବାରୁ ଉଭୟ ମା’ ଏବଂ ୬ ଝିଅକୁ ଘରୁ ବାହାର କରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶ ବଣ୍ଡା ଜିଲ୍ଲାର କୋରହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉଭୟ ସ୍ୱାମୀ ଏବଂ ଦେଢଶୂର ତାଙ୍କୁ ନିର୍ଯାତନା ଦେଇଛନ୍ତି ବୋଲି ୪୦ ବର୍ଷ ବୟସ୍କ ମହିଳା ଶାହଜହନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଘରୁ ବାହାର କରି ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ତାଙ୍କର ସ୍ୱାମୀ ଲୁକମନ ବିବାହ କରିବା ପାଇଁ ଯୋଜନା କରୁଥିବା ମଧ୍ୟ ମହିଳା ଜଣଙ୍କ ଏତଲାରେ କହିଛନ୍ତି। ଏବେ ଉଭୟ ଲୁକମନ ଏବଂ ତାଙ୍କ ବଡ଼ ଭାଇ ନିଖୋଜ ଥିବା ପୁଲିସ୍ କହିଛି।

ଶାହଜହନଙ୍କୁ ଓ ତାଙ୍କ ଛୁଆଙ୍କୁ ଲୁକମନ ଘରୁ ବାହାର କରିଦେବା ପରେ ସୋମବାର ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଶାହଜହନଙ୍କର ବଡ଼ ଝିଅର ବୟସ ୧୪-୧୫ ହୋଇଥିବା ବେଳେ ସାନ ଝିଅର ବୟସ ୨ ବର୍ଷ। ଶାହଜହନଙ୍କୁ ଛାଡ଼ପତ୍ର ଦେବା ପାଇଁ ତାଙ୍କ ସ୍ୱାମୀ କହିଥିଲେ। ହେଲେ ଶାହଜହନ ରାଜି ହୋଇନଥିଲେ। କାରଣ ଲୁକନ ଏବେ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି। ମହିଳା ଜଣଙ୍କ ଦେଢଶୂରର ଛୁରୀ ମାଡ଼ରେ ଶିକାର ହୋଇଥିବା ମଧ୍ୟ ଏତଲାରେ ଦର୍ଶାଇଥିବା ଏସପି ଗଣେଶ ପ୍ରସାଦ ଶାହ କହିଛନ୍ତି। ଅଭିଯୁକ୍ତଙ୍କ ନାମରେ ପୁଲିସ ବିଭିନ୍ନ ଦଫା ଲଗାଇ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।