ନୂଆଦିଲ୍ଲୀ: ଦୁଇ ମାସ ଧରି ବନ୍ଦ ଥିବା ବିମାନ ସେବା ଶେଷରେ ସୋମବାର ପାଖରୁ ଆରମ୍ଭ ହୋଇଛି। ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଏବେ ଅଧିକ ରହିଛି ହେଲେ ଦିଲ୍ଲୀ ଓ ଅନ୍ୟାନ୍ୟ ବିମାନ ବନ୍ଦରର ସମସ୍ତ କର୍ମଚାରୀ ନିଜ ନିଜ କାମରେ ଆଜିଠୁ ଯୋଗ ଦେଇଛନ୍ତି। ଲକଡାଉନ୍ ବେଳେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ସେବା ବନ୍ଦ ଥିଲା ହେଲେ ମାଲ ପରିବହନ କରୁଥିବା ବିମାନ ଏବଂ ବିଦେଶରୁ ଭାରତୀୟଙ୍କୁ ନେଇ ଆସୁଥିବା ବିମାନ ଚଳାଚଳ କରୁଥିଲା।
ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରର ଆଟେଣ୍ଡାଣ୍ଟ ଅମନଦୀପ କୌର କହିଛନ୍ତି, “କରୋନା ସଂକ୍ରମଣକୁ ନେଇ ଆମେ ସମସ୍ତେ ଚିନ୍ତିତ ରହିଛୁ, ହେଲେ ପ୍ରଥମେ କାମ। ଆମେ ସମସ୍ତେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଓ ଗାଇଡ୍ ଲାଇନ୍ ପାଳନ କରୁଛୁ”।
ତେବେ ଘରୋଇ ବିମାନ ସେବା ଆରମ୍ଭ ହୋଇଥିବାରୁ ବିମାନ ବନ୍ଦରରେ ଥିବା ଖାଇବା ଏବଂ ଅନ୍ୟାନ୍ୟ ଦୋକାନ ଖୋଲିଛି। ହେଲେ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ଦୋକାନୀ ନିୟମ ପାଳନ କରୁଥିବା ଦେଖିବାକୁ ମିଳିଛି।
ତେବେ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଆଜିଠୁ ଘରୋଇ ବିମାନ ସେବା ଆରମ୍ଭ ହୋଇଥବା ଜଣାପଡ଼ିଛି।
ବିମାନ ବନ୍ଦରରେ ଯାତ୍ରୀ ପ୍ରବେଶ କରିବା ବେଳେ କିମ୍ୱା ବିମାନ ବନ୍ଦରରୁ ଯାତ୍ରୀ ବାହାରିବା ବେଳେ ଥର୍ମାଲ୍ ସ୍କ୍ରିନିଂ ହେଉଥିବା ଦେଖିବାକୁ ମିଳିଛି। ଏଥିସହି ବିମାନରେ ଚଢ଼ିବା ପୂର୍ବରୁ ଯାତ୍ରୀ ଗାଇଡ୍ ଲାଇନ୍ ପାଳନ କରୁଛନ୍ତି କି ନାହିଁ ସେ ବାବଦରେ ମଧ୍ୟ ଚେକିଂ ହେଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ମେ’ ୨୫ରୁ ଲକଡାଉନ୍ ରହିଛି। ସେବେଠୁ ବିମାନ ସେବା ବନ୍ଦ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।