କୋଲକାତା: ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମ ପରେ ଦିଲ୍ଲୀର ସ୍ଥିତି ପ୍ରଶମିତ ଅବସ୍ଥାକୁ ଆସିଛି। ପଶ୍ଚିମବଙ୍ଗରେ ଆଜି ହିଂସାର ଖବର ନଥିବା ବେଳେ କେନ୍ଦ୍ର ବିରୋଧରେ କିନ୍ତୁ ଗର୍ଜିଛି ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ। ଆଉ ଏହି ବିରୋଧର ନେତୃତ୍ୱ ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି ମମତା କହିଛନ୍ତି, ‘ଏହି ଆଇନ ଆଣି ଦେଶରେ ନିଆଁ ଲଗାଇବା ଆପଣଙ୍କ କାମ ନୁହେଁ। ଆପଣମାନେ ଦେଶର ‘ସବକା ସାଥ୍, ସବକା ବିକାଶ’ ଜାଗାରେ ‘ସବକା ସାଥ୍ ସର୍ବନାଶ’ କରିଛ’। ଆଜି ଲଗାତାର ତିନି ଦିନ ସିଏଏକୁ ବିରୋଧ କରି ରାଲି କରିବା ବେଳେ ଏଭଳି କହିଛନ୍ତି ମମତା ବାନାର୍ଜୀ।
କେନ୍ଦ୍ରକୁ ଚେତାବନୀ ଦେବାକୁ ଯାଇ ମମତା ଆହୁରି କହିଛନ୍ତି, 'ନାଗରିକତା ଆଇନ୍ ଏବଂ ଏନଆରସିକୁ କେନ୍ଦ୍ର ଫେରାଇ ନେବା ଉଚିତ। ନହେଲେ ଦେଖିବି କେନ୍ଦ୍ର କିଭଳି ଏହି ଆଇନ୍ କେମିତି ଲାଗୁ କରିବ। ସାରା ଦେଶକୁ ବିଜେପି ନିଜ ଅଧୀନରେ ରଖିବାକୁ ଚାହୁଁଛି। ମୁଁ କିନ୍ତୁ ଏ ଭଳି ହେବାକୁ ଦେବିନି। ଅମିତ ଶାହ କହୁଛନ୍ତି ଆଧାର କାର୍ଡ ଦେଶର ନାଗରିକତାର ପ୍ରମାଣ ନୁହେଁ। ତା’ହେଲେ ଏହି ଆଧାର କାର୍ଡ ସହିତ ପାନ୍ କାର୍ଡକୁ କାହିଁକି ଯୋଡ଼ା ଯାଉଛି?' ବୋଲି ମମତା ପ୍ରଶ୍ନ କରିଛନ୍ତି।
ଅମିତ ଶାହ ଦେଶର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବରେ ନିଜ ଦଳର କର୍ମୀ ଏବଂ ଦେଶ କିଭଳି ଶାନ୍ତ ରହିବ ସେ ବାବଦରେ ଧ୍ୟାନ ଦେବା ଦରକାର। ଆପଣଙ୍କ କାମ ଦେଶରେ ନିଆଁ ଲଗାଇବା ନୁହେଁ। ସାରା ଦେଶ ନାଗରିକତା ସଂଶୋଧନ ଆଇନ ନିଆଁରେ ନପୋଡ଼ିବା ଦରକାର ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ପାଇଁ ବିରୋଧୀ ଦାବି କରୁଥିବା ବେଳେ ଏହା କୌଣସିମତେ ପ୍ରତ୍ୟାହର ହେବନି ବୋଲି ଗତକାଲି ଅମିତ ଶାହ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିସାରିଛନ୍ତି।