ନୂଆ ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବକୁ ବୟକଟ କରିବାକୁ କଂଗ୍ରେସ ସମେତ ୧୯ଟି ଦଳର ଘୋଷଣା

ମେ’ ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୂଆ ସଂସଦ ଭବନ

  • Published: Wednesday, 24 May 2023
  • , Updated: 24 May 2023, 01:22 PM IST

ମେ’ ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ଉଦ୍‌ଘାଟନୀ ଉତ୍ସବକୁ କଂଗ୍ରେସ ସମେତ ମୋଟ ୧୯ଟି ବିରୋଧ ଦଳ ବୟକଟ କରିବାକୁ ଘୋଷଣା କରିଛନ୍ତି। ସେମାନେ ଏନେଇ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି।

କଂଗ୍ରେସ ସହିତ ଆଉ ଯେଉଁ ଦଳଗୁଡ଼ିକ ନୂଆ ସଂସଦ ଭବନର ଉଦ୍‌ଘାଟନୀ ଉତ୍ସବକୁ ବୟକଟ କରିବାକୁ ଘୋଷଣା କରିଛନ୍ତି, ସେଗୁଡ଼ିକ ହେଉଛନ୍ତି- ଡିଏମ୍‌କେ, ଆପ୍ , ଟିଏମ୍‌ସି, ଶିବ ସେନା (ୟୁବିଟି), ସମାଜବାଦୀ ପାର୍ଟି, ସିପିଆଇ, ଜେଏମ୍‌ଏମ୍‌, କେରଳ କଂଗ୍ରେସ (ମଣି), ଭିସିକେ, ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍‌ଡି), ଜେଡି (ୟୁ), ଏନ୍‌ସିପି, ସିପିଆଇଏମ୍‌, ରାଷ୍ଟ୍ରୀୟ ଜନତା ଦଳ (ଆରଏଲଡି), ଇଣ୍ଡିଆନ୍ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମ୍‌ଏଲ), ନ୍ୟାଶନାଲ କନଫରେନ୍ସ (ଏନ୍‌ସି), ଆରଏସ୍‌ପି ଓ ଏମ୍‌ଡିଏମ୍‌କେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦ୍‌ଘାଟନ କରିବା କଥାକୁ ଏହି ବିରୋଧୀ ଦଳଗୁଡ଼ିକ ଗ୍ରହଣ କରିପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ ବୋଲି ସେମାନେ ଦାବି କରୁଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନିଜେ ନୂଆ ସଂସଦ ଭବନର ଉଦ୍‌ଘାଟନ କରି ମାଇଲେଜ ନେବାକୁ ପ୍ରୟାସ କରୁଥିବା ଏହି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମିଳିତ ବିବୃତ୍ତିରେ ଦର୍ଶାଇଛନ୍ତି ଯେ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦେଇ ପ୍ରଧାନମନ୍ତ୍ରୀ ନିଜେ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବା ନିଷ୍ପତ୍ତି ଆମ ଗଣତନ୍ତ୍ର ପ୍ରତି କେବଳ ଅପମାନ ନୁହେଁ, ଏହା ଗଣତନ୍ତ୍ରକୁ ଆକ୍ରମଣ ସଦୃଶ ହୋଇଛି। ରାଷ୍ଟ୍ରପତି କେବଳ ଦେଶର ମୁଖ୍ୟ ନୁହନ୍ତି, ସେ ସଂସଦର ଜଣେ ଅବିଚ୍ଛେଦ୍ୟ ଅଂଶ। ରାଷ୍ଟ୍ରପତିଙ୍କ ବିନା ସଂସଦ ଚାଲିପାରିବ ନାହିଁ। ତଥାପି ପ୍ରଧାନମନ୍ତ୍ରୀ ତାଙ୍କ ବିନା ନୂଆ ସଂସଦ ଭବନର ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅପମାନିତ କରିବା ସହିତ ସମ୍ବିଧାନରେ ରହିଥିବା ନିୟମର ଉଲ୍ଲଂଘନ ମଧ୍ୟ। ଦେଶ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବେ ପାଇ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଣଦେଖା କରିଛନ୍ତି।

ବିରୋଧୀ ଦଳଗୁଡ଼ିକର ମିଳିତ ବିବୃତ୍ତି ଆହୁରି ଉଲ୍ଲେଖ କରିଛନ୍ତି ଯେ- ଅସାମ୍ବିଧାନିକ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଛି ନୂଆ ନୁହେଁ। ଦେଶବାସୀଙ୍କର ବିଭିନ୍ନ ପ୍ରସଙ୍ଗ ଉଠାଯାଉଥିବାରୁ ସଂସଦରୁ ବିରୋଧୀ ଦଳ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଉଛି। ସେମାନଙ୍କୁ ନିଲମ୍ବନ କରାଯାଉଛି। ଯେତେବେଳେ ସଂସଦରୁ ଗଣତନ୍ତ୍ରର ଆତ୍ମାକୁ କାଢ଼ି ଫିଙ୍ଗି ଦିଆଯାଉଛି, ସେତେବେଳେ ଏକ ନୂଆ କୋଠାର କିଛି ମୂଲ୍ୟ ନାହିଁ ବୋଲି ଆମେ ମନେ କରୁଛୁ। ଆମେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରଙ୍କ ସ୍ୱେଚ୍ଛାଚାରିତା ବିରୋଧରେ ଲଢ଼େଇ ଜାରି ରଖିବୁ ଓ ଆମ ବାର୍ତ୍ତା ସିଧାସଳଖ ଭାରତବାସୀଙ୍କ ନିକଟରେ ପହଞ୍ଚାଇବୁ।

ମହାମାରୀ ସମୟରେ ନୂଆ ସଂସଦ ଭବନ ନିର୍ମାଣ କ’ଣ ଆବଶ୍ୟକତା ଥିଲା ବୋଲି ମଧ୍ୟ ବିରୋଧୀମାନେ ଏଥିରେ ପଚାରିଛନ୍ତି। ସେମାନେ କହିଛନ୍ତି, ମହାମାରୀ ସମୟରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ନୂଆ ସଂସଦ ଭବନ ନିର୍ମାଣ କରାଯାଇଛି। ଏଥିପାଇଁ ଭାରତର ଲୋକଙ୍କୁ ପଚରାଯାଇନି କି ସାଂସଦ ମାନଙ୍କୁ ପଚରାଯାଇନି। ଯେଉଁମାନଙ୍କ ପାଇଁ ଏହାକୁ ନିର୍ମାଣ କରାଯାଇଯାଇଛି ସେମାନଙ୍କ ପରାମର୍ଶ ନିଆଯାଇ ନାହିଁ।

କିଛି ବିରୋଧୀ ଦଳ ନୂଆ ସଂସଦ ଭବନର ଉଦ୍‌ଘାଟନ ବିନାୟକ ଦାମୋଦର ସାବରକରଙ୍କ ଜନ୍ମ ବାର୍ଷିକୀରେ କରାଯାଉଥିବାରୁ ଏହାକୁ ନାପସନ୍ଦ କରିଛନ୍ତି। ଅବଶ୍ୟ ମିଳିତ ବିବୃତ୍ତିରେ ଏକଥା ଉଲ୍ଲେଖ ନାହିଁ।

ମେ’ ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବାକୁ ଲୋକସଭା ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଚାରି ମହଲା ବିଶିଷ୍ଟ ନୂଆ ସଂସଦ ଭବନରେ ୧୨୦୦ ଜଣ ସାଂସଦ ବସିବାର କ୍ଷମତା ରହିଛି।

Related story