/odisha-reporter/media/media_files/2025/11/12/terror-2025-11-12-17-44-49.jpg)
ବରଖାସ୍ତ ପରେ ଚାକିରି ପାଇଥିବା ଡାକ୍ତର
ଦିଲ୍ଲୀ ବିସ୍ଫୋରଣ(Delhi Blast) ପରେ ସ୍କାନରରେ ଥିବା ଫରିଦାବାଦର ଘରୋଇ ଶିକ୍ଷାନୁଷ୍ଠାନ ଅଲ ଫଲାହ ବିଶ୍ୱବିଦ୍ୟାଳୟକୁ ନେଇ ସାଂଘାତିକ ତଥ୍ୟ ସାମ୍ନକୁ ଆସିଛି। ଦିଲ୍ଲୀରେ ଆତ୍ମଘାତୀ କାର ବିସ୍ଫୋରଣ କରିଥିବା ଉମର ମହମ୍ମଦ ନବି ଠାରୁ ଆରମ୍ଭ କରି ବିସ୍ଫୋରକ ସହ ଜବତ ହୋଇଥିବା ଡାକ୍ତର ମୁଜାମିଲ ଓ ଡାକ୍ତର ଶାହୀନ ଏହି ଅଲ ଫଲାହ ବିଶ୍ୱ ବିଦ୍ୟାଳୟ ସହ ଜଡ଼ିତ।
ଏବେ ସୁଚନା ମିଳିଛି ଯେ ଏହି ଘରୋଇ ବିଶ୍ୱ ବିଦ୍ୟାଳୟ ଏମିତି ଜଣେ ପ୍ରଫେସରଙ୍କୁ ନିଯୁକ୍ତି ଦେଇଥିଲା, ଯାହାଙ୍କୁ ଏକଦା ଟେରର ଲିଙ୍କ ମାମଲାରେ ଜମ୍ମୁ-କଶ୍ମୀର ପ୍ରଶାସନ ଚାକିରିରୁ ବରଖାସ୍ତ କରିଥିଲେ। ଏବେ ସେହି ପ୍ରଫେସର ଜଣଙ୍କ ଦିଲ୍ଲୀ ବିସ୍ଫୋରଣ ପରେ ଫେରାର ହୋଇଯାଇଛନ୍ତି।
ସାମ୍ନାକୁ ଆସିଥିବା ଦସ୍ତାବିଜରୁ ଜଣାପଡ଼ିଛି ଯେ ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ମେଡିସିନ ବିଭାଗର ପ୍ରଫେସର ଭାବେ କାମ କରୁଥିଲେ ଡାକ୍ତର ନିସାର ଉଲ ହାସନ। ତାଙ୍କୁ ସମ୍ବିଧାନର ଧାରା ୩୧୧(୨)(ସି) ଅଧୀନରେ ୨୦୨୩ରେ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଚାକିରିରୁ ବହିଷ୍କାର କରିଥିଲେ।
ସମ୍ବିଧାନର ଧାରା ୩୧୧(୨)(ସି) କୁହାଯାଇଛି ଯେ ଜଣେ ସରକାରୀ ଚାକିରିଆଙ୍କୁ ବିଭାଗୀୟ ତଦନ୍ତ ଶେଷ ହେବା ଆଗରୁ ମଧ୍ୟ ବହିଷ୍କାର କରିବାର କ୍ଷମତା ସରକାରଙ୍କ ରହିଛି। ଜାତୀୟ ସୁରକ୍ଷା ସହ ଜଡ଼ିତ ମାମଲାରେ ସରକାର ଏହି ପ୍ରାବଧାନରେ ବ୍ୟବହାର କରିପାରିବେ। ନିସାର ଉଲ ହାସନଙ୍କ କ୍ଷେତ୍ରରେ ଉପ ରାଜ୍ୟପାଳ ସିହ୍ନା ସମାନ କ୍ଷମତା ପ୍ରୟୋଗ କରିଥିଲେ।
୨୦୨୩ରେ ବରଖାସ୍ତ ହେବା ପୂର୍ବରୁ ଡାକ୍ତର ନିସାର ଉଲ ହାସନ ଶ୍ରୀନଗରରେ ଥିବା ଶ୍ରୀ ମହାରାଜ ହରି ସିଂହ(ଏସଏମଏଚଏସ) ହସ୍ପିଟାଲରେ ମେଡିସିନ ବିଭାଗର ସହାୟକ ପ୍ରଫେସର ଭାବେ କାମ କରୁଥିଲେ। ତାଙ୍କୁ ବରଖାସ୍ତ କରାଯିବା ସମ୍ପର୍କରେ ୨୦୨୩ ନଭେମ୍ବର ୨୧ରେ ଉପ ରାଜ୍ୟପାଳ ସିହ୍ନା ଗୋଟିଏ ବିଜ୍ଞପ୍ତି ଜାରି କରିଥିଲେ।
ଉପଲବ୍ଧ ଥିବା ତଥ୍ୟ ଓ ସୂଚନାରୁ ଡାକ୍ତର ନିସାର ଉଲ ହାସନଙ୍କ କାର୍ଯ୍ୟକଳାପ ଏପରି ରହିଛି ଯେ ତାଙ୍କୁ ସେବାରୁ ନିବୃତ କରାଯାଉଛି। ଦେଶର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଉଛି ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା।
ଜମ୍ମୁ-କଶ୍ମରୀରୁ ବରଖାସ୍ତ ହେବା ପରେ ଡାକ୍ତର ନିସାର ଉଲ ହାସନ ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ଏହି ବିଶ୍ୱ ବିଦ୍ୟାଳୟରେ ତାଙ୍କୁ ମେଡିସିନ ବିଭାଗର ପ୍ରଫେସର ଭାବେ ନିଯୁକ୍ତି ମିଳିଥିଲା। ଏବେ ବିଶ୍ୱ ବିଦ୍ୟାଳୟର ଟେରର ଲିଙ୍କର ଖୋଳତାଡ଼ ଏନଆଇଏ କରୁଥିବା ବେଳେ ଡାକ୍ତର ହାସନ ଫେରାର ହୋଇଯାଇଛନ୍ତି। ତାଙ୍କ ଫୋନ ଅଫ ଥିବା ବେଳେ ତାଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନି। ତେଣୁ ତାଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି।
କିନ୍ତୁ ଟେରର ମାମଲାରେ ବରଖାସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବିଶ୍ୱ ବିଦ୍ୟାଳୟ କେମିତି ନିଯୁକ୍ତି ଦେଲା, ତାହା ହିଁ ବଡ଼ ପ୍ରଶ୍ନ। ଏଠାରେ ପାଠ ପଢ଼ା ଯାଉଥିଲା ନା ଆଉ କ’ଣ ତା’ ଉପରେ ମଧ୍ୟ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି।
ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥା ବିଶ୍ୱ ବିଦ୍ୟାଳୟର ୫୨ରୁ ଅଧିକ କର୍ମଚାରୀ ଓ ଶିକ୍ଷାର୍ଥୀଙ୍କୁ ଜେରା କରିଛି। ୬ ଜଣଙ୍କୁ ଅଟକ ରଖି ପୁଲିସ୍ ଟେରର ମଡ୍ୟୁଲ ସହ ଜଡ଼ିତ ତଥ୍ୟ ହାସଲ କରିବାରେ ଲାଗିଛି।
ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଶାହୀନ, ଡାକ୍ତର ଉମର ଓ ଡାକ୍ତର ମୁଜାମିଲ ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲେ। ଜୈଶର ଫରିଦାବାଦ ଟେରର ମଡ୍ୟୁଲ ପର୍ଦ୍ଦାଫାସ ହେବା ପରେ ଶାହୀନ ଓ ମୁଜାମିଲକୁ ଗିରଫ କରାଯାଇଥିଲା।
ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରେ ଶାହୀନ। କଶ୍ମିରୀ ଡାକ୍ତର ମୁଜାମିଲ ଶକୀଲ ଓରଫ ମୁସାଇବର ଘନିଷ୍ଠ ସହଯୋଗୀ ଭାବେ ସେ ପରିଚିତ। ମୁଜାମିଲର ଦୁଇଟି ଭଡ଼ା ଘରୁ ରେଡ ପରେ ୨୯୦୦ କେଜିର ବିସ୍ଫୋରକ ମିଳିଥିଲା। ଏହାପରେ ତା’କୁ ଗିରଫ କରାଯାଇଥିଲା। ତା’ ଲିଙ୍କରେ ପୁଲିସ ଶାହୀନ ପାଖରେ ପହଞ୍ଚିଥିଲା।
ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ କୌଲର ମୂଳବାସିନ୍ଦା ମୁଜାମିଲ ଧୌଜ ସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟର ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲା। ଶ୍ରୀନଗରରେ ଜୈଶ ସମର୍ଥନରେ ମୋଷ୍ଟର ମାରି ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମଦ ରାଥେର ଠାରୁ ତଥ୍ୟ ହାସଲ କରି ପୁଲିସ୍ ମୁଜାମିଲ ପାଖରେ ପହଞ୍ଚିଥିଲା। ଏହାପରେ ତା’ ଠିକଣାରୁ ଏତେ ପରିମାଣର ବିସ୍ଫୋରକ ମିଳିଥିଲା। ଯାଞ୍ଚ ବେଳେ ଗୋଟିଏ କାରରୁ ଆସଲ୍ଟ ରାଇଫଲ, ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଥିଲା। ଉକ୍ତ କାରଟି ଥିଲା ଶାହୀନା ଶାହିଦର।
ଆଦିଲ, ମୁଜାମିଲ ଓ ଶାହୀନ ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ମହମ୍ମଦ ଉମର ପୂରା ଡରି ଯାଇଥିଲା। ସେ ମଧ୍ୟ ଶାହୀନା ଓ ମୁଜାମିଲ ଭଳି ଅଲ ଫଲାହ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲା। ବିସ୍ଫୋରକ ସହ ସହଯୋଗୀମାନେ ଗିରଫ ହେବାରୁ ଉମର ଆତଙ୍କିତ ଅବସ୍ଥାରେ ଫରିଦାବାଦ ଛାଡ଼ି ଦେଇଥିଲା।
ଏହାପରେ ସେ ବଳକା ବିସ୍ଫୋରକ ଦ୍ୱାରା ଯୋଜନା ଅନୁସାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ( Blast In Delhi)) କରିଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି।
ମୁଜାମିଲ, ଶାହୀନ ଓ ଉମର ଅଲ ଫଲାହ ବିଶ୍ୱ ବିଦ୍ୟାଳୟ ସହ ଜଡ଼ିତ ଥିବାରୁ ସେଠାରୁ ଟେରର ନେଟୱର୍କ ଚାଲୁଥିବା କୁହାଯାଉଛି। ତେଣୁ ପୁଲିସ୍ ଏମାନଙ୍କ ଲିଙ୍କରେ ଆଉ ୬ ଜଣଙ୍କୁ ହେପାଜତକୁ ନେଇଛି।
ଏହି ୬ ଜଣଙ୍କ ମଧ୍ୟ ବିଶ୍ୱ ବିଦ୍ୟାଳୟର କିଛି କର୍ମଚାରୀ ଓ ରିସର୍ଚ୍ଚ ସ୍କଲାର୍ସ ରହିଛନ୍ତି। ଏବେ ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବାରେ ଲାଗି ପଡ଼ିଛନ୍ତି ତଦନ୍ତକାରୀ ସଂସ୍ଥା। କ’ଣ ବିସ୍ଫୋରଣର ଷଡ଼ଯନ୍ତ୍ର ବିଶ୍ୱ ବିଦ୍ୟାଳୟରୁ ହୋଇଥିଲା କି ନାହିଁ, ତା’କୁ ନିଶ୍ଚିତ କରାଯାଉଛି।
ଅନ୍ୟପକ୍ଷରେ ୨୦୧୪ରେ ପ୍ରତିଷ୍ଠା ହୋଇଥିବା ଏହି ଘରୋଇ ବିଶ୍ୱବିଦ୍ୟାଳୟ ଟେରର ଲିଙ୍କର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ସେହିପରି ତଦନ୍ତରେ ପୂରା ସହଯୋଗ କରାଯିବ ବୋଲି ମଧ୍ୟ ବିଶ୍ୱବିଦ୍ୟାଳୟ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
