Advertisment

Amit Shah: ୩ ପ୍ରଶ୍ନ କରିଥିଲେ ରାହୁଲ ଗାନ୍ଧି, ୩ ଭୋଟ ଚୋରିର ଉଦାହରଣ ଦେଲେ ଅମିତ ଶାହ

ରାହୁଲ ଗାନ୍ଧି ଭୋଟ ତାଲିକାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଶ୍ରୀ ଶାହ ତାଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧି ଓ ନେହରୁ-ଗାନ୍ଧି ପରିବାରକୁ ଶାହ ଟାର୍ଗେଟ କରିଥିଲେ। ଏହି ସମୟରେ ଆପତ୍ତି ଉଠାଇଥିଲେ ରାହୁଲ ଗାନ୍ଧି।

Rahul

ରାହୁଲ ଓ ଶାହ

Advertisment

ନିର୍ବାଚନୀ ସଂସ୍କାର ବା ଏସ୍‌ଆଇଆର ବିତର୍କ ବେଳେ ଲୋକସଭାରେ ମୁହାଁମୁହିଁ ହୋଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ(Amit Shah) ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଏସଆଇଆର ବିତର୍କ ବେଳେ ରାହୁଲ ଗାନ୍ଧି ମଙ୍ଗଳବାର ସରକାରଙ୍କୁ ୩ଟି ପ୍ରଶ୍ନ କରିଥିଲେ। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ନିର୍ବାଚନୀ ସଂସ୍କାର ଉପରେ ମତ ରଖିଥିଲେ ହେଁ ରାହୁଲ ପଚାରିଥିବା ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନାହାନ୍ତି। ସେ ନେହରୁ-ଇନ୍ଦିରା-ସୋନିଆ ଗାନ୍ଧିଙ୍କ କଥା ଉଠାଇଥିଲେ। ସେମାନେ ଦେଶରେ ପ୍ରଥମେ ଭୋଟ ଚୋରି କରିଥିଲେ ବୋଲି ଶାହ ଅଭିଯୋଗ କରିଛନ୍ତି। 

Advertisment

ସେହିପରି ଶାହ ନିଜ ଭାଷଣ ରଖୁଥିବା ବେଳେ ରାହୁଲ ଗାନ୍ଧି ଏହାର ପ୍ରତିବାଦ କରିଥିଲେ। ଭୋଟ ଚୋରି ପ୍ରସଙ୍ଗରେ ସେ ଶାହଙ୍କୁ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ। ହେଲେ ଶାହ ପ୍ରସଙ୍ଗ ବଦଳାଇ ଗାନ୍ଧି ପରିବାର ଉପରେ ଆକ୍ରମଣ କରିବାକୁ ଆଦୌ ପଛାଇ ନାହାନ୍ତି।

ଭାଷଣ ସମୟରେ ରାହୁଲ ଗାନ୍ଧି(Rahul Gandhi) ଭୋଟର ତାଲିକାରେ ହୋଇଥିବା ଜାଲିଆତି ପ୍ରସଙ୍ଗରେ ବିତର୍କ ପାଇଁ ଶାହଙ୍କୁ ଆହ୍ୱାନ ଦେଇଥିଲେ। ଏହାର ଜବାବରେ ଗୃହରେ ସେ କ’ଣ କହିବେ ଏଥିପାଇଁ ତାଙ୍କୁ କେହି ବି ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ଶାହ କହିଛନ୍ତି। 

Advertisment

ବିରୋଧୀ ଭୋଟର ତାଲିକା ଉପରେ ପ୍ରଶ୍ନ ଉଠାଇବା ସହ ବିଭିନ୍ନ ରାଜ୍ୟରେ ଚାଲିଥିବା ଏସ୍‌ଆଇଆରକୁ ବିରୋଧ କରୁଛନ୍ତି। ଏଥିପାଇଁ ଶାହା ଆଜି ସେମାନଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଲୋକସଭାରେ ଅମିତ ଶାହ କହିଛନ୍ତି ଯେ “ଆପଣମାନେ ଜିତିବା ବେଳେ ଭୋଟର ତାଲିକା ପୂରା ଠିକ। ଆପଣ ନୂଆ କପଡ଼ା ପିନ୍ଧୁଛନ୍ତି ଓ ଶପଥ ନେଉଛନ୍ତି। କିନ୍ତୁ ଆମେ ଜିତିବା ବେଳେ ସବୁ କିଛି ବଦଳି ଯାଉଛି। ଉଦାହରଣ ସ୍ୱରୂପ ବିହାରରେ ଆମେ ଜିତିବା ପରେ ଭୋଟର ତାଲିକାରେ ସମସ୍ୟା ଥିବା ଆପଣମାନେ କହୁଛନ୍ତି। ଏହି ଦୋମୁହାଁ ନୀତି ଆଦୌ ଚାଲିବ ନାହିଁ।” 

ରାହୁଲ ଗାନ୍ଧି ଭୋଟ ତାଲିକାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଶ୍ରୀ ଶାହ ତାଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧି ଓ ନେହରୁ-ଗାନ୍ଧି ପରିବାରକୁ ଶାହ ଟାର୍ଗେଟ କରିଥିଲେ। ଏହି ସମୟରେ ଆପତ୍ତି ଉଠାଇଥିଲେ ରାହୁଲ ଗାନ୍ଧି। 

ନିର୍ବାଚନ କମିଶନରମାନଙ୍କୁ ନେଇ ମଙ୍ଗଳବାର ସେ ପଚାରିଥିବା ପ୍ରଶ୍ନର ଉତ୍ତର ଶାହ ପ୍ରଥମେ ଦିଅନ୍ତୁ ବୋଲି ରାହୁଲ କହିଥିଲେ। ଏଥିସହ ନିଜର ସାମ୍ବାଦିକ ସମ୍ମିଳନୀକୁ ନେଇ ବିତର୍କ କରିବାକୁ ଆହ୍ୱାନ ଦେଇଥିଲେ। ହେଲେ ଶାହ ବିତର୍କ ପାଇଁ ରାଜି ହୋଇ ନାହାନ୍ତି। 

ସେ ଏହାର ଜବାବରେ କହିଛନ୍ତି ଯେ “ ମୁଁ ଏଠାରେ କିଛି ସ୍ପଷ୍ଟ କରିବାକୁ ଚାହେଁ। ୩୦ ବର୍ଷ ହେଲାଣି ମୁଁ ବିଧାନସଭା ଓ ସଂସଦକୁ ନିର୍ବାଚିତ ହୋଇ ଚାଲିଛି। ମୋ ପାଖରେ ବେଶ ଅଭିଜ୍ଞତା ରହିଛି। ବିରୋଧୀ ଦଳର ନେତା ମୋତେ ଏ ପ୍ରଶ୍ନର ଉତ୍ତର ଓ ସେହି ପ୍ରଶ୍ନର ଉତ୍ତର ଆଗକୁ ଦେବାକୁ କହୁଛନ୍ତି। ମୁଁ ତାଙ୍କୁ କହି ଦେବାକୁ ଚାହେଁ ଯେ ସଂସଦ ଆପଣଙ୍କ ଇଚ୍ଛାରେ ଆଦୌ ଚାଲି ପାରିବ ନାହିଁ।

ମୁଁ କହିବା ବେଳେ ନିଜେ ଏହାର ନିଷ୍ପତ୍ତି ନିଏ। ସେ ଧୈର୍ଯ୍ୟ ରଖନ୍ତୁ ଓ ମୋ ଜବାବ ଶୁଣନ୍ତୁ। ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି। ମୋ ଭାଷଣ କେମିତି ରହିବ, ତା’ର ନିଷ୍ପତ୍ତି ସେ ନେଇ ପାରିବେ ନାହିଁ।” ରାହୁଲ ଗାନ୍ଧି ତଥାପି ଚୁପ ହୋଇ ନଥିଲେ। ଶାହଙ୍କ ଭାଷଣକୁ ସେ ‘ରକ୍ଷାଣାତ୍ମକ ଓ ଭୟଭୀତ’ ବୋଲି କହିଥିଲେ। 

ଜବାବରେ ସେ ଆଦୌ ଉତ୍ତେଜିତ ହେବେ ନାହିଁ ଓ ଲୋକଙ୍କ ଜନାଦେଶରେ ଯେତେବେଳେ ହେରଫେର କରାଯାଏ ସେତେବେଳେ ଭୋଟ ଚୋରି ହୋଇଥାଏ ବୋଲି ଶାହ କହିଥିଲେ।

ଗାନ୍ଧି ପରିବାରକୁ ଟାର୍ଗେଟ 

ଗାନ୍ଧି-ନେହରୁ ପରିବାରକୁ ଟାର୍ଗେଟ କରି ଶାହ ଅଭିଯୋଗ କରିଛନ୍ତି ଯେ ପ୍ରଥମଥର ଭୋଟ ଚୋରି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଚୟନ ବେଳେ ହୋଇଥିଲା। ସେହି ସମୟରେ ପ୍ରତିଟି ପ୍ରଦେଶର କଂଗ୍ରେସ ମୁଖିଆଙ୍କ ପାଖରେ ଗୋଟିଏ ଭୋଟର ଅଧିକାର ଥିଲା। ୨୯ଟି ଭୋଟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ୨ଟି ଭୋଟ ଜବାହର ଲାଲ ନେହରୁଙ୍କ ପାଖକୁ ଯାଇଥିଲା। କିନ୍ତୁ ଶେଷରେ ନେହରୁ ପ୍ରଧାନମନ୍ତ୍ରୀ ହୋଇଥିଲେ। 

ଆଉ ଗୋଟିଏ ଭୋଟ ଚୋରିର ଉଦାହରଣ ଦେଇ ଶାହ କହିଛନ୍ତି ଯେ ରାଏବରେଲୀରୁ ଯେତେବେଳେ ଇନ୍ଦିରା ଗାନ୍ଧି ଜିତିଥିଲେ ସେତେବେଳେ ଆହ୍ଲାବାଦ ହାଇକୋର୍ଟରେ ନିର୍ବାଚନ ଲଢ଼ା ଯାଇଥିଲା। କୋର୍ଟ ଉକ୍ତ ନିର୍ବାଚନକୁ ରଦ୍ଦ କରିଥିଲେ ବୋଲି ଶାହ କହିଛନ୍ତି।

ସେ କହିଛନ୍ତି, “ଏଇଟା ଥିଲା ସବୁଠାରୁ ବଡ଼ ଭୋଟ ଚୋରି। ଏହା ପରେ କ’ଣ ହୋଇଥିଲା? ଭୋଟ ଚୋରିକୁ ଲୁଚାଇବା ପାଇଁ ସେ(ଇନ୍ଦିରା ଗାନ୍ଧି) ଗୋଟିଏ ଆଇନ ଆଣିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାମଲା ହୋଇ ପାରିବ ନାହିଁ ବୋଲି ଆଇନ ପ୍ରଣୟନ ହୋଇଥିଲା।

ନିର୍ବାଚନ କମିଶନରମାନଙ୍କୁ ମିଳିଥିବା ସ୍ୱାଧୀନତା ସମ୍ପର୍କରେ ବିରୋଧୀ ଦଳ ନେତା କହିଥିଲେ ଓ ମୁଁ ଏହାର ଜବାବ ରଖିଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆଇନ ସମ୍ପର୍କରେ ସେ କିଛି କହିବେ କି?

ସେ(ଇନ୍ଦିରା ଗାନ୍ଧି) ନିଜକୁ ସ୍ୱାଧୀନତା ଦେଇଥିଲେ। ସେ ବରିଷ୍ଠତା ଭିତ୍ତିରେ ବିଚାରପତିଙ୍କୁ ବାଇପାସ କରିଥିଲେ। ବରିଷ୍ଠତା ତାଲିକାରେ ୪ର୍ଥରେ ଥିବା ବ୍ୟକ୍ତିଙ୍କୁ ପ୍ରଧାନ ବିଚାରପତି ଭାବେ ବାଛିଥିଲେ। ଏହାପରେ ସୁପ୍ରିମକୋର୍ଟରେ ମାମଲା ଜିତିଥିଲେ।

ଏସବୁ ଇତିହାସ। ଏ ସମ୍ପର୍କରେ କେହି କିଛି ବି କହୁ ନାହାନ୍ତି। ନିକଟରେ ଆଉ ଗୋଟିଏ ମାମଲା ଆସିଛି। ଦେଶର ନାଗରିକ ହେବା ପୂର୍ବରୁ ସୋନିଆ ଗାନ୍ଧି ଭୋଟ ଦେଇଥିଲେ। ଏଥିପାଇଁ ମାମଲା ହୋଇଛି। ମୁଁ କେବଳ କିଛି ତଥ୍ୟ ରଖୁଛି।” ତେବେ ଏହାକୁ ବିରୋଧୀ ଦଳର ସାଂସଦମାନେ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ। 

Rahul Gandhi Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe