Advertisment

ବାପାଙ୍କୁ ଦେଇଥିବା କଥା ରଖିପାରିଲେ ନାହିଁ କ୍ୟାପଟେନ୍ ସୁମିତ, ବିମାନ ଦୁର୍ଘଟଣାରେ ହରାଇଲେ ଜୀବନ

ପେସାଦାର ଜୀବନର ଶେଷ ପାହାଚରେ ପହଞ୍ଚି ସାରିଥିଲେ କ୍ୟାପଟେନ୍‌ ସୁମିତ। ଅନ୍ୟପକ୍ଷରେ କ୍ୟାରିୟର ପ୍ରଥମ ପାହାଚରେ ଥିଲେ ଫାଷ୍ଟ ଅଫିସର କ୍ଲାଇବ।

Captain Sumeet Sabharwal and First Officer Clive Kunder

Captain Sumeet Sabharwal and First Officer Clive Kunder

Advertisment

ଦୁହେଁ ବିମାନ ଚାଳକ ଥିଲେ। ଜଣେ ଚାକିରିରୁ ଅବସର ନେବାକୁ ପ୍ରସ୍ତୁତ ହେଉଥିଲେ। ଅନ୍ୟ ଜଣେ ଚାକିରିର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ। କିନ୍ତୁ ଗୁରୁବାର ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି କ୍ୟାପଟେନ୍ ସୁମିତ ସଭରୱାଲ ଓ ଫାଷ୍ଟ୍ ଅଫିସର କ୍ଲାଇବ କୁନ୍ଦେର।

Advertisment

ଏହି ଦୁଇ ବିମାନ ଚାଳକଙ୍କର ବିମାନ ଉଡ଼ାଇବାରେ ମୋଟ ୯ ହଜାର ୩୦୦ ଘଣ୍ଟାର ଅଭିଜ୍ଞତା ଥିଲା। ସେଥିରୁ କ୍ୟାପଟେନ ସୁମିତ ସଭରୱାଲଙ୍କର ୮ ହଜାର ୨୦୦ ଘଣ୍ଟାର ଅଭିଜ୍ଞତା ଥିବା ବେଳେ ଫାଷ୍ଟ୍ ଅଫିସର କ୍ଲାଇବ କୁନ୍ଦେର ୧୧୦୦ ଘଣ୍ଟା ବିମାନ ଉଡ଼ାଇ ସାରିଥିଲେ।

କ୍ୟାପଟେନ୍‌ ସୁମିତ ସଭରୱାଲ ଖୁବ୍ ଶାନ୍ତ ମଣିଷ ଥିଲେ। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ତାଙ୍କର ଏକ ଭଲ ପରିଚିତି ଥିଲା। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର ତାଙ୍କ ପ୍ରତି ଗଭୀର ସମ୍ମାନ ଥିଲା। ସେ ମୁମ୍ବାଇର ପୱଇ ଅଞ୍ଚଳରେ ରହୁଥିଲେ।

Advertisment

ନ୍ୟୁଜ ଏଜେନ୍ସୀ ପିଟିଆଇକୁ କ୍ୟାପଟେନ୍ ସଭରୱାଲଙ୍କ ଜଣେ ପାରିବାରିକ ସଂପର୍କୀୟ ସଞ୍ଜୀବ ପାଇ କହିଛନ୍ତି, ମୁଁ ଜଣେ ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର। ମୁଁ ଏୟାର ଇଣ୍ଡିଆ କର୍ମଚାରୀଙ୍କ ସହିତ କାମ କରିଛି। କ୍ୟାପଟେନ୍ ସୁମିତ ଜଣେ ଭଲ ଓ ଅଭିଜ୍ଞ ପାଇଲଟ ଥିଲେ। ତାଙ୍କର ମୃତ୍ୟୁ ଏୟାର ଇଣ୍ଡିଆ ପାଇଁ ଅପୂରଣୀୟ କ୍ଷତି। ସେ ଜଣେ ଶାନ୍ତ ମଣିଷ। ତାଙ୍କ ବିରୋଧରେ କେବେ କିଛି ଅଭିଯୋଗ ନଥିଲା। ଲୋକଙ୍କ ପ୍ରତି ତାଙ୍କ ବ୍ୟବହାର ବେଶ୍ ପେସାଦାର ଥିଲା।

କ୍ୟାପଟେନ୍ ସୁମିତ ସଭରୱାଲଙ୍କ ପରିବାର ବିମାନ ଚଳାଚଳ କ୍ଷେତ୍ର ସହିତ ଜଡ଼ିତ। ତାଙ୍କ ବାପା ଡିଜିସିଏରେ ଚାକିରି କରିଥିଲେ। ତାଙ୍କର ଦୁଇ ଜଣ ସଂପର୍କୀୟ ଭାଇ ମଧ୍ୟ ପାଇଲଟ ଅଛନ୍ତି। ସେମାନେ ସମସ୍ତେ ଏହି କ୍ଷେତ୍ର ପାଇଁ ଏକ ପ୍ରେରଣା।

କିଛି ଦିନ ତଳେ ସୁମିତ ସଭରୱାଲ ତାଙ୍କ ୮୨ ବର୍ଷୀୟ ବାପାଙ୍କୁ କହିଥିଲେ ଯେ ସେ ଚାକିରିରୁ ସଂପୂର୍ଣ୍ଣ ଅବସର ନେବା ପାଇଁ ଚିନ୍ତା କରୁଛନ୍ତି। ତା’ପରେ ସେ ସଂପୂର୍ଣ୍ଣ ସମୟ ତାଙ୍କ ସେବାରେ ଦେବେ।

ଶିବ ସେନା ବିଧାୟକ ଦିଲ୍ଲୀପ ଲାଣ୍ଡେ ଗତକାଲି କ୍ୟାପଟେନ ସୁମିତ ସଭରୱାଲଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେ କହିଥିଲେ ଯେ କ୍ୟାପଟେନ୍ ସୁମିତ ସଭାରୱାଲ ଅବସର ନେବାକୁ ପ୍ରସ୍ତୁତ ହେଉଥିଲେ ବୋଲି ତାଙ୍କ ବାପାଙ୍କୁ କହିଥିଲେ।

ସେହିଭଳି ଫାଷ୍ଟ ଅଫିସର କ୍ଲାଇବ କୁନ୍ଦେର ଏମିତି ଏକ ପରିବାରରୁ ଆସିଥିଲେ, ଯାହାର ସଂପର୍କ ବିମାନ ସହିତ ଥିଲା। ତାଙ୍କ ମା’ ଜଣେ ବିମାନ କ୍ରୁ ମେମ୍ବର ଥିଲେ। କ୍ଲାଇବଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା ମୁମ୍ବାଇର ଜୁହୁରେ ଥିବା ବମ୍ବେ ଫ୍ଲାଇଂ କ୍ଲବରୁ, ଯେଉଁଠାରେ ସେ ବିମାନର ରକ୍ଷାଣବେକ୍ଷଣ ସଂପର୍କରେ ତାଲିମ ପାଇଥିଲେ। ମୁମ୍ବାଇର କଲିନା ଏୟାର ଇଣ୍ଡିଆ କଲୋନୀରେ ବଡ଼ ହୋଇଥିଲେ କ୍ଲାଇବ। ପରେ ତାଙ୍କ ପରିବାର ବୋରିଭାଲି ଚାଲି ଯାଇଥିଲା।

ଗତକାଲିର ବିମାନ ଦୁର୍ଘଟଣା ବେଳେ କ୍ଲାଇବଙ୍କ ବାପାମା’ ଦେଶରେ ନଥିଲେ। ସେମାନେ ସିଡ୍‌ନୀରେ ସେମାନଙ୍କ ଝିଅ ପାଖରେ ଥିଲେ।

ଅହମଦାବାଦରେ ଘଟିଥିବା ଏହି ଦୁଃଖଦ ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ବିମାନ ରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଯାତ୍ରୀ ବଞ୍ଚି ଯାଇଛନ୍ତି। ସେହିଭଳି ଜନବସତିରେ ବିମାନଟି କ୍ରାଶ ହେବାରୁ ଆହୁରି ୨୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତର ଅଛନ୍ତି। ଦୁଇ ପାଇଲଟ ଓ ୧୦ କ୍ରୁ ସଦସ୍ୟଙ୍କୁ ଛାଡ଼ି ଦେଲେ ବିମାନରେ ୨୩୦ ଜଣ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ହୋଇଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ ଥିଲେ। ସେହିପରି ୭ ଜଣ ପର୍ତ୍ତୁଗୀଜ ଓ ଜଣେ କାନାଡୀୟ ନାଗରିକଙ୍କ ମୃତ୍ୟୁ ଘଟିଛି।

Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe