ୟୁ-ଟର୍ଣ୍ଣ ମାରିଲେ ଅଭିଯୋଗକାରୀ ନାବାଳିକାଙ୍କ ବାପା, କହିଲେ- ବ୍ରିଜଭୂଷଣଙ୍କ ବିରୋଧରେ କରିଥିଲି ମିଥ୍ୟା ଅଭିଯୋଗ

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରନ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ୧୭ ବର୍ଷୀୟ ନାବାଳିକାଙ୍କ ବାପା ନିଜ ରାୟ ବଦଳାଇଛନ୍ତି। ରାଗରେ ଆସି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରନ ସିଂହଙ୍କ ବିରୋଧରେ ଉତ୍ପୀଡ଼ନ ପରି ସାଙ୍ଘାତିକ ମିଥ୍ୟା ଅଭିଯୋଗ ଲଗାଇଥିବା ସେ ସ୍ୱୀକାର କରିଛନ୍ତି  ।

ଆନ୍ଦୋଳନ ସ୍ଥଳରେ ରେସଲରମାନେ। (ଫାଇଲ ଫଟୋ)

  • Published: Friday, 09 June 2023
  • , Updated: 09 June 2023, 09:59 AM IST

କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ ମାମଲାରେ ଆସିଛି ବଡ଼ ଟ୍ୱିଷ୍ଟ୍। ୟୁ-ଟର୍ଣ୍ଣ ମାରିଲେ ଅଭିଯୋଗକାରୀ ନାବାଳିକାଙ୍କ ବାପା। ରାଗରେ ଆସି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରନ ସିଂହଙ୍କ ବିରୋଧରେ ଉତ୍ପୀଡ଼ନ ପରି ସାଙ୍ଘାତିକ ମିଥ୍ୟା ଅଭିଯୋଗ ଲଗାଇଥିବା ସ୍ୱୀକାର କରିଛନ୍ତି  ।  ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରନ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ୧୭ ବର୍ଷୀୟ ନାବାଳିକାଙ୍କ ବାପା ନିଜ ରାୟ ବଦଳାଇବା ପରେ, ଏବେ ଘଟଣା ନୂଆ ମୋଡ଼ ନେଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନାବାଳିକାଙ୍କ ବାପା କହିଛନ୍ତି, WFI ତାଙ୍କ ଝିଅ ସହ ଭେଦଭାବ କରିବା ପରେ ସେ ରାଗରେ ଆସି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଯେତେବେଳେ କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ସହ ଆନ୍ଦୋଳନ ଆରମ୍ଭ କରିଥିଲେ, ସେତେବେଳେ ସେ ମଧ୍ୟ ଝିଅ ସହ ହୋଇଥିବା ଭେଦଭାବର ବଦଳା ନେବା ପାଇଁ, ରାଗରେ ବ୍ରିଜଭୂଷଣଙ୍କ ବିରୋଧରେ ଆଉ ଦୁଇ ତିନଟି ମାମଲା ଯୋଡ଼ି ଦେଇଥିଲେ ବୋଲି କହିଛନ୍ତି।

ନାବାଳିକାଙ୍କ ବାପା କହିଛନ୍ତି, ୨୦୨୨ ମସିହାରେ ଲକ୍ଷ୍ନୌରେ ଆୟୋଜିତ ହୋଇଥିବା ଏସିଆନ ଚାମ୍ପିୟନଶିପ୍‌ରେ ମୋ’ ଝିଅ ଫାଇନାଲକୁ ଯାଇ ପାରି ନ ଥିଲା। ଉକ୍ତ ମ୍ୟାଚରେ ରେଫରିଜଣକ UWW ଓ WFI ନିୟମ ପାଳନ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ରେଫରୀଜଣକ ଜାଣିଶୁଣି ମୋ’ ଝିଅକୁ ଫେଲ କରିଦେଲେ। ଏଥିଯୋଗୁ ମୋ’ ଝିଅର ଗୋଟିଏ ବର୍ଷର ପରିଶ୍ରମ ବୃଥା ଗଲା। ସେ ଇଣ୍ଟରନ୍ୟାସନାଲ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇ ପାରିଲାନି।

ତେବେ ଉକ୍ତ ରେଫରୀଙ୍କ ଉପରେ ରାଗ ଥିବା ବେଳେ ଭାରତୀୟ କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ କାହିଁକି ଅଭିଯୋଗ କଲେ ବୋଲି ପଚାରିବାରୁ ଏହାର ଉତ୍ତର ରଖିଥିଲେ ସମ୍ପୃକ୍ତ ନାବାଳିକାଙ୍କ ବାପା। ସେ କହିଥିଲେ, ରେଫରୀଙ୍କୁ ଭାରତୀୟ କୁସ୍ତି ମହାସଂଘ ନିଯୁକ୍ତି ଦେଇଥିବା ବେଳେ ତାହାର ମୁଖ୍ୟ ହେଉଛନ୍ତି ବ୍ରିଜ ଭୂଷଣ । ତେଣୁ ଯେତେବେଳେ ବ୍ରିଜ ଭୂଷଣଙ୍କ ବିରୋଧରେ ଖେଳାଳିମାନେ ରାଜରାସ୍ତାକୁ ଓହ୍ଲାଇଲେ ମୁଁ ବି ଏପରି ସଙ୍ଗୀନ ଅଭିଯୋଗ ଲଗାଇଲି। ହେଲେ ଏବେ ମୁଁ ସବୁ ସତ କହୁଥିବା ବେଳେ କାହା ଚାପରେ ଏପରି କରି ନ ଥିବା ସେ କହିଛନ୍ତି।

ନାବାଳିକାଙ୍କ ବାପା ଆହୁରି ମଧ୍ୟ କହିଛନ୍ତି, ମୋ ଝିଅ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି। ମାତ୍ର ଏଫଆଇଆରରେ ଯାହା ଦର୍ଶାଯାଇଛି, ତାହା ସବୁ ସତ ନୁହେଁ। ମୁଁ ଜଣେ ଝିଅର ବାପା ଏବଂ ମୁଁ ଏହି ଲଢ଼େଇରେ ସାମିଲ ହେବାକୁ ଚାହେଁ ନାହିଁ। ସେ କାହା ନାଁ ପ୍ରକାଶ କରିନଥିଲେ ମଧ୍ୟ ଧମକପୂର୍ଣ୍ଣ ଫୋନ କଲ୍ ପାଇଥିବା ଅଭିଯୋଗ ଆଣିଛନ୍ତି। ସେ କୋର୍ଟରେ ବୟାନ ବଦଳାଇଥିଲେ ମଧ୍ୟ ମାମଲା ପ୍ରତ୍ୟାହାର କରିନଥିବା କହିଛନ୍ତି।  

ପୂର୍ବରୁ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ବ୍ରିଜଭୂଷଣଙ୍କ ବିରୋଧରେ ଲାଗିଥିଲା ପୋକ୍ସୋ ଆକ୍ଟ। ଏବେ ନାବାଳିକାଙ୍କ ବାପା ୟୁ-ଟର୍ଣ୍ଣ ମାରିବା ପରେ ମାମଲା କୋହଳ ହୋଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଦେଶର ଆଗ ଧାଡ଼ିର କୁସ୍ତି ଯୋଦ୍ଧାମାନେ ୬ ମାସ ହେବ ଆନ୍ଦୋଳନ ଚଳାଇଥିବା ବେଳେ ଏବେ ନାବାଳିକାଙ୍କ ବାପାଙ୍କ ଏପରି ବୟାନ ସମ୍ପୂର୍ଣ୍ଣ ମାମଲାକୁ ଦୁର୍ବଳ କରି ଦେଇଥିବା ଆଲୋଚନା ହେଉଛି। 

ତେବେ ଝିଅ ନ୍ୟାୟ ପାଇବ ବୋଲି ନାବାଳିକାଙ୍କ ବାପା ଆଶା ରଖିଥିବା ବେଳେ ଏହି ଘଟଣା ସମ୍ବନ୍ଧୀୟ ସମସ୍ତ ତଥ୍ୟ, ପ୍ରମାଣ ତାଙ୍କ ନିକଟରେ ଥିବା କହିଛନ୍ତି। ଏବଂ ଏହାକୁ ସେ କୋର୍ଟ ସମ୍ମୁଖରେ ରଖିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଆନ୍ଦୋଳନରତ ରେସଲର ମାନେ ଗତ ୭ ତାରିଖ ସନ୍ଧ୍ୟା ସମୟରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଥିଲେ। ଏହି ଆଲୋଚନା ପରେ ଦାବି ପୂରଣ ହେଲେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁସ୍ତି ଯୋଦ୍ଧା ମାନେ ସହମତି ଜଣାଇଥିବା ଜଣାଯାଇଛି। ଏଥିସହ ଆନ୍ଦୋଳନ ସମୟରେ ରେସଲରମାନଙ୍କ ବିରୋଧରେ ରୁଜୁ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ।

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ, ବ୍ରିଜ ଭୂଷଣଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ୧୫ ତାରିଖ ସୁଦ୍ଧା ଶେଷ ହୋଇ ଚାର୍ଜସିଟ୍‌ ଦାଖଲ ହେବ । ତଦନ୍ତ ରିପୋର୍ଟ ସମ୍ପର୍କରେ ରେସଲରଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଏଥିସହ ୩୦ ଜୁନ୍‌ ସୁଦ୍ଧା ଭାରତୀୟ କୁସ୍ତି ମହାସଂଘ ସଭାପତି ପଦ ପାଇଁ ନିର୍ବାଚନ ସରିବ ବୋଲି ବି ସେ ରେସଲରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ।

ବ୍ରିଜ ଭୂଷଣ ଯେପରି ପୁନର୍ବାର ସଭାପତି ରୂପେ ନିର୍ବାଚିତ ନ ହୁଅନ୍ତି ତାହା ଉପରେ ଖେଳାଳିମାନେ ଗୁରୁତ୍ୱାରୋପ କରିଛନ୍ତି। ବ୍ରିଜଭୂଷଣ ୩ ଥର ସଭାପତି ହୋଇ ସାରିଥିବାରୁ ଏଥର ଜଣେ ମହିଳାଙ୍କୁ ସଭାପତି ପଦରେ ବସାଇବାକୁ ରେସଲରମାନେ ଦାବି ଜଣାଇଛନ୍ତି।

Related story