ଅନନ୍ତ ସିଂହ
ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ସମର୍ଥକ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ଘଟଣାରେ ବିହାର ପୁଲିସ ରବିବାର ପୂର୍ବତନ ବିଧାୟକ ତଥା ଚଳିତ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡି(ୟୁ)ରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ସିଂହଙ୍କୁ ଗିରଫ କରିଛି। ବାଢ଼ ସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ମଣିକାନ୍ତ ଠାକୁର ଓ ରଞ୍ଜିତ ରାମଙ୍କୁ ଗିରଫ କରିଛି ପୁଲିସ। ଘଟଣା ଘଟିବା ବେଳେ ଏହି ଦୁଇ ଜଣ ସେଠାରେ ଉପସ୍ଥିତ ଥିଲେ ବୋଲି ପୁଲିସ କହିଛି।
ଦୁଲାରଚାନ୍ଦ ଜଣେ ଗ୍ୟାଙ୍ଗଷ୍ଟର ଥିଲେ। ପରେ ରାଜନୀତିରେ ପାଦ ଥାପିଥିଲେ। ସେ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (RJD)ରେ ଥିଲେ। ସେ ଏକଦା ମୋକାମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଗତ ଗୁରୁବାର ସେ ଜନ ସୂରଜ ପାର୍ଟିରୁ ମୋକାମା ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରିୟଦର୍ଶୀ ପୀୟୂଷଙ୍କ ପାଇଁ ପ୍ରଚାର କରୁଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା।
ଗତ ଗୁରୁବାର ଅନନ୍ତ ସିଂହ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଯେଉଁ ସ୍ଥାନରେ ଦୁଲାରଚାନ୍ଦ ଯାଦବଙ୍କୁ ହତ୍ୟା କରାଗଲା, ସେଠାରୁ ସେ ବହୁତ ଦୂରରେ ଥିଲେ। କ’ଣ ଘଟିଥିଲା ସେ ଜାଣି ନାହାନ୍ତି। ଯାଦବଙ୍କ ଲୋକମାନେ ତାଙ୍କ ସମର୍ଥକଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ ବୋଲି ତାଙ୍କୁ ସୂଚନା ମିଳିଥିଲା।
ଏହା ସହିଦ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ପାଇଁ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଆରଜେଡି ନେତ୍ରୀ ବୀଣା ଦେବୀଙ୍କ ସ୍ୱାମୀ ସୂରଜ ଭାନଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ। ଏହା ସୂରଜ ଭାନଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ସେ କହିଥିଲେ। ତାଙ୍କୁ ବଦନାମ କରିବା ପାଇଁ ସୂରଜ ଭାନ ଏମିତି ଏକ ଷଡ଼ଯନ୍ତ୍ର ରଚିଥିଲେ ବୋଲି ସେ କହିଥିଲେ।
୨୦୨୦ ବିହାର ବିଧାନସଭା ନିର୍ବାଚନରେ ଆରଚେଡି ଟିକେଟରେ ଅନନ୍ତ ସିଂହ ବିଜୟୀ ହୋଇଥିଲେ। କିନ୍ତୁ ପରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ୨୦୨୨ରେ ଆର୍ମସ ଆକ୍ଟ ଅନୁଯାୟୀ ତାଙ୍କ ନିର୍ବାଚନ ଅଯୋଗ୍ୟ ଘୋଷିତ ହୋଇଥିଲା। ଏହା ପରେ ଉପ-ନିର୍ବାଚନ ହୋଇଥିଲା ଓ ତାଙ୍କ ପତ୍ନୀ ନିଲମ ଦେବୀ ଆରଜେଡି ଟିକେଟରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲା। କିନ୍ତୁ ୨୦୨୪ରେ ତାଙ୍କ ପତ୍ନୀ ଜେଡିୟୁକୁ ଚାଲିଯାଇଥିଲେ। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଗତବର୍ଷ ଅଗଷ୍ଟରେ ଅନନ୍ତ ସିଂହଙ୍କୁ ପାଟନା ହାଇକୋର୍ଟ ନିର୍ଦ୍ଦୋଶରେ ଖଲାସ କରିଥିଲେ। ଆଉ ଏଥର ସେ ଜେଡିୟୁ ଟିକେଟରେ ମୋକାମା ଆସନରୁ ନିର୍ବାଚନ ଲଢ଼ୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/02/anant-singh-2025-11-02-16-49-09.jpg)