Advertisment

ଜେଲ୍‌ରେ ବିଗିଡ଼ିଲା ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

ଜେଲ୍‌ରେ ସ୍ଲୋ ପଏଜନ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ କରୁଥିବା ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା କୁଖ୍ୟାତ ମାଫିଆ ଡନ୍‌ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି।

author-image
Niharika Rout
ଅଦ୍ୟତନ ହୋଇଛି
Mukhtar Ansari

Mukhtar Ansari

ଜେଲ୍‌ରେ ସ୍ଲୋ ପଏଜନ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ କରୁଥିବା ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା କୁଖ୍ୟାତ ମାଫିଆ ଡନ୍‌ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି। ତାଙ୍କୁ ଲକ୍ଷ୍ନୌସ୍ଥିତ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଭିନ୍ନ ପରୀକ୍ଷା ପରେ ମୁଖତାର ଅନସାରୀଙ୍କ ପରିସ୍ରାରେ ସଂକ୍ରମଣ ହୋଇଥିବାରୁ ତୁରନ୍ତ ତାଙ୍କର ସର୍ଜରୀର ଆବଶ୍ୟକ ରହିଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

Advertisment

ମୁଖତାର ଅନସାରୀ ଗିରଫ ହୋଇ ଏବେ ଉତ୍ତରପ୍ରଦେଶର ବାନ୍ଦା ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ମୁଖତାରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜିଲ୍ଲା ପ୍ରଶାସନ, ପୁଲିସ୍‌ ପ୍ରଶାସନ ତରଫରୁ କୌଣସି ସୂଚନା ଦିଆଯାଇନି। କିଛି ଦିନ ପୂର୍ବେ ମୁଖତାରଙ୍କ ସୁରକ୍ଷାରେ ଢିଲା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଜଣେ ଜେଲ୍‌ର ଓ ଦୁଇ ଜଣ ଡେପୁଟି ଜେଲରଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

ଏହା ପୂର୍ବରୁ ମୁଖତାର ଅଭିଯୋଗ କରିଥିଲେ କି ଜେଲ୍‌ରେ ତାଙ୍କୁ ସ୍ଲୋ ପଏଜନ ଦିଆଯାଉଛି। ଗତ ୨୧ ତାରିଖରେ ମୁଖତାର ଅନସାରୀ କୋର୍ଟରେ ହାଜର ହୋଇଥିଲେ। ଉକ୍ତ ସମୟରେ ସେ ବିଚାରପତିଙ୍କ ନିକଟରେ ଅଭିଯୋଗ କରିଥିଲେ କି ଗତ ୧୯ ତାରିଖ ରାତି ଖାଦ୍ୟରେ ତାଙ୍କୁ ବିଷ ମିଶାଇ ଦିଆଯାଇଥିଲା, ଏହାପରେ ତାଙ୍କ ସ୍ୱାସ୍ଥ ବହୁତ ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ଆବଶ୍ୟକ ମେଡିକାଲ ସହାୟତା ପ୍ରଦାନ ପାଇଁ ସେ କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ।

Advertisment

ଏହାପୂର୍ବରୁ ବି ବହୁଥର ତାଙ୍କୁ ଖାଦ୍ୟରେ ବିଷ ଦିଆଯାଉଥିବା ଅନସାରୀ ଅଭିଯୋଗ କରି ସାରିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବାରୁ ଏହା ପଛରେ କିଛି ଷଡଯନ୍ତ୍ର ଚାଲିଥିବା ଚର୍ଚ୍ଚା ହେଉଛି।

ସ୍ଲୋ ପଏଜନ ଦିଆଯାଉଥିବା ନେଇ ମୁଖତାରଙ୍କ ଅଭିଯୋଗ ଉପରେ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଜେଲ୍‌ରେ କଏଦୀଙ୍କ ନିମନ୍ତେ ପ୍ରସ୍ତୁତ ଖାଦ୍ୟକୁ ପ୍ରଥମେ ଜଣେ ସିପାହୀ ଓ ଡେପୁଟି ଜେଲ୍‌ର ଖାଇଥାନ୍ତି। ଏହାପରେ କଏଦୀମାନଙ୍କୁ ଦିଆଯାଇଥାଏ। ଜେଲ୍‌ରେ ଥିବା ୯ଶହ ବନ୍ଦୀ ଏହି ଖାଦ୍ୟ ଖାଉଛନ୍ତି । ତେଣୁ ଏପରି ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଓ କଳ୍ପୋକଳ୍ପିତ । ଜେଲ୍‌ରେ ଚାରିଆଡ଼େ ସିସିଟିଭି ଲାଗିଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି।

୩୬ବର୍ଷ ପୂର୍ବେ ଘଟିଥିବା ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ମାଫିଆ ଡନ୍‌ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇଛି ।  ବାରାଣସୀର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ଦିନ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରକାଶ କରିଛନ୍ତି।  ମୁଖତାର ଅନସାରୀ ଏବେ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ସଜା କାଟୁଛନ୍ତି। ଏହି ମାମଲାରେ ତାଙ୍କ ଉପରେ ୨ ଲକ୍ଷ ୨ ହଜାର ଟଙ୍କା ଜରିମାନା କରାଯାଇଛି। ୩୬ ବର୍ଷ ପୁରୁଣା ଏହି ମାମଲାରେ ମୁଖତାରଙ୍କ ସମେତ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। 

Uttar Pradesh