Advertisment

ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରି ଫେରିବା ବେଳେ ବିମାନ ଦୁର୍ଘଟଣାରେ ଚାଲିଗଲା ଜୀବନ, ଅନାଥ ହୋଇଗଲେ ଦୁଇ ଝିଅ

ଦୁଇ ଝିଅଙ୍କୁ ଲଣ୍ଡନରେ ଛାଡ଼ି ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଭାରତ ଆସିଥିଲେ ଅର୍ଜୁନ।

ଅଦ୍ୟତନ ହୋଇଛି
Arjun Patolia

Arjun Patolia

Advertisment

ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ସୁଦୂର ଲଣ୍ଡନରୁ ଗୁଜରାଟ ଆସିଥିବା ଜଣେ ଭାରତୀୟ ଯୁବକ ଆଉ ସେଠାକୁ ଫେରି ପାରି ନାହାନ୍ତି। ଗତକାଲି ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଆଉ ବ୍ରିଟେନରେ ଥିବା ତାଙ୍କର ଦୁଇ ଛୋଟ ଝିଅ ଅନାଥ ହୋଇଯାଇଛନ୍ତି। ଏୟାର ଇଣ୍ଡିଆ ବିମାନ ୧୭୧ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏହି ଯୁବକଙ୍କ ନାଁ ଅର୍ଜୁନ ମନୁଭାଇ ପଟୋଲିଆ। ତାଙ୍କୁ ୩୬ ବର୍ଷ ହୋଇଥିଲା।

Advertisment

ଅର୍ଜୁନ ଲଣ୍ଡନରେ ରହନ୍ତି। ତାଙ୍କ ପୈତୃକ ଘର ଗୁଜରାଟର ଅମରେଲୀ ଜିଲ୍ଲାର ବାଦିୟା ଗାଁରେ। ସପ୍ତାହେ ତଳେ ଲଣ୍ଡନରେ ତାଙ୍କ ପତ୍ନୀ ଭାରତୀଙ୍କର ଦେହାନ୍ତ ହୋଇଥିଲା। ଭାରତରେ ତାଙ୍କ ଅସ୍ଥି ବିସର୍ଜନ କରିବାକୁ ମୃତ୍ୟୁ ପୂର୍ବରୁ ଭାରତୀ ସ୍ୱାମୀ ଅର୍ଜୁନଙ୍କୁ କହିଥିଲେ। ଏହା ଭାରତୀଙ୍କର ଶେଷ ଇଚ୍ଛା ଥିଲା।

ପତ୍ନୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ଶେଷ କରି ଅସ୍ଥି ନେଇ ଅର୍ଜୁନ ଚାଲି ଆସିଥିଲେ ପୈତୃକ ଗ୍ରାମ ବାଦିୟାକୁ। ରୀତିନୀତି ଅନୁଯାୟୀ ସେ ଭାରତୀଙ୍କ ଅସ୍ଥିକୁ ନର୍ମଦା ନଦୀରେ ବିସର୍ଜନ କରିଥିଲେ। ତା’ପରେ ସେ ପୁଣି ଥରେ ବ୍ରିଟେନ ଫେରିଯିବା ପାଇଁ ଗତକାଲି ବିମାନରେ ବସିଥିଲେ। କାରଣ ସେ ବ୍ରିଟେନରେ ତାଙ୍କର ଦୁଇ ଝିଅ (ଜଣଙ୍କୁ ୮ ବର୍ଷ ଓ ଅନ୍ୟ ଜଣଙ୍କୁ ୪ ବର୍ଷ ହୋଇଛି)ଙ୍କୁ ଛାଡ଼ି ଆସିଥିଲେ। କିନ୍ତୁ ସେ ଝିଅମାନଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ। ଅନାଥ ହୋଇଗଲେ ତାଙ୍କର ଦୁଇ ଝିଅ।

Advertisment

ଗତକାଲି ଅହମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ଏୟାର ଇଣ୍ଡିଆ ବିମାନ ୧୭୧ କ୍ରାଶ ହୋଇଯାଇଥିଲା। ଏହା ଏକ ମେଡିକାଲ କଲେଜର ହଷ୍ଟେଲ ମେସ୍‌ ଉପରେ ପଡ଼ିବା ପରେ ବଡ଼ ବିସ୍ଫୋରଣ ହୋଇଥିଲା। ଏଥିରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଯାତ୍ରୀ ବଞ୍ଚି ଯାଇଛନ୍ତି। ସେହିଭଳି ଜନବସତିରେ ବିମାନଟି କ୍ରାଶ ହେବାରୁ ଆହୁରି ୨୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତର ଅଛନ୍ତି। ଦୁଇ ପାଇଲଟ ଓ ୧୦ କ୍ରୁ ସଦସ୍ୟଙ୍କୁ ଛାଡ଼ି ଦେଲେ ବିମାନରେ ୨୩୦ ଜଣ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ହୋଇଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ ଥିଲେ। ସେହିପରି ୭ ଜଣ ପର୍ତ୍ତୁଗୀଜ ଓ ଜଣେ କାନାଡୀୟ ନାଗରିକଙ୍କ ମୃତ୍ୟୁ ଘଟିଛି।

Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe