Advertisment

ସ୍ମୃତି ଇରାନୀଙ୍କ ସମେତ ଶାହରୁଖ, ଅକ୍ଷୟଙ୍କୁ ଟାର୍ଗେଟ କଲା ଏନସିପି, କହିଲା- ରେସଲରଙ୍କ ଘଟଣାକୁ ନେଇ ଚୁପ୍‌ କାହିଁକି?

ଦୀର୍ଘ ଦିନ ହେଲା ରାଜରାସ୍ତାରେ ବସି ନ୍ୟାୟ ମାଗୁଥିବା ଦେଶର ରେସଲରମାନଙ୍କୁ ଦିଲ୍ଲୀ ପୁଲିସ୍‌ ଅତି ଅମାନବୀୟ ଭାବେ ଗତକାଲି ଉଠାଇ ନେଇଥିବା ବେଳେ ଏହା ଅତି ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ଏନସିପି ନେତା ଶରଦ ପାୱାର। ଦିଲ୍ଲୀ ପୁଲିସ୍‌ର ଏପରି ବର୍ବର କାଣ୍ଡ ପାଇଁ ଖୁବ୍‌ ଲଜ୍ଜିତ ଅନୁଭବ କରୁଥିବା ସେ ଟ୍ୱିଟ କରିଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
strike spot

strike spot

ଦେଶର ରାଜଧାନୀ ନୂଆ ଦିଲ୍ଲୀର ଗୋଟିଏ ପଟେ ଗତକାଲି ବେଶ ଧୂମଧାମରେ ନୂଆ ସଂସଦ ଭବନର ଉଦଘାଟନ ଚାଲିଥିବା ବେଳେ ଅନ୍ୟପଟେ ଭାରତ ପାଇଁ ପଦକ ଜିତିଥିବା ଷ୍ଟାର ରେସଲର ମାନଙ୍କୁ ଉଠାଇ ନେଇଥିଲା ପୁଲିସ୍‌ । ଦେଶ ପାଇଁ ପଦକ ଜିତିଥିବା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କୁ ଦିନେ ଦେଶର ଗର୍ବ, ଗୌରବ କୁହାଯାଉଥିବା ବେଳେ ଏବେ ସେମାନଙ୍କ ସହ ପଶୁ ପରି ଆଚରଣ କରାଯାଉଛି । ମାତ୍ର ଏହା ବିରୋଧରେ କେହି ପାଟି ଫିଟାଇବାକୁ ସାହସ କରି ପାରୁ ନାହାନ୍ତି।

Advertisment

ଦେଶର ଆଗ ଧାଡ଼ିର ନେତା, ଅଭିନେତା ସବୁ ନୂଆ ସଂସଦ ଭବନର ଫଟୋ ଟ୍ୱିଟ କରୁଥିବା ବେଳେ ଏହି ପ୍ରସଙ୍ଗକୁ ନେଇ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ପଚାରିଛନ୍ତି ଏନସିପି ନେତା ଶରଦ ପାୱାର ଓ ତାଙ୍କ ଝିଅ ତଥା ଏମପି ସୁପ୍ରିୟା ସୁଲେ। ଏହି ଘଟଣାରେ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ସୁପରଷ୍ଟାର ଶାହରୁଖ ଖାନ ଓ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି ଦଳର ଜାତୀୟ ପ୍ରବକ୍ତା କ୍ଲାଇଡ କ୍ରାଷ୍ଟୋ ।

ଦୀର୍ଘ ଦିନ ହେଲା ରାଜରାସ୍ତାରେ ବସି ନ୍ୟାୟ ମାଗୁଥିବା ଦେଶର ରେସଲର ମାନଙ୍କୁ ଦିଲ୍ଲୀ ପୁଲିସ୍‌ ଅତି ଅମାନବୀୟ ଭାବେ ଗତକାଲି ଉଠାଇ ନେଇଥିବା ବେଳେ ଏହା ଅତି ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ଏନସିପି ନେତା ଶରଦ ପାୱାର। ଆମ ଦେଶର ଆଥଲେଟଙ୍କ ପ୍ରତି ଦିଲ୍ଲୀ ପୁଲିସ୍‌ର ଏପରି ଅମାନବୀୟ ଆଚରଣକୁ ଏନସିପି ନେତା ଶରଦ ପାୱାର ତୀବ୍ର ନିନ୍ଦା କରିବା ସହ ଏହା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ମାନ ପ୍ରତି କୁଠାରଘାଠ ବୋଲି ସେ କହିଛନ୍ତି । ଏଥିସହ ଦିଲ୍ଲୀ ପୁଲିସ୍‌ର ଏପରି ବର୍ବର କାଣ୍ଡ ପାଇଁ ଖୁବ୍‌ ଲଜ୍ଜିତ ଅନୁଭବ କରୁଥିବା ଟ୍ୱିଟ କରିଛନ୍ତି ।

Advertisment

ରେସଲରଙ୍କୁ ପଶୁ ପରି ପିଟିବାକୁ ଉଠାଇ ନେବାକୁ କ’ଣ କେନ୍ଦ୍ର ଗୃହ ମନ୍ତ୍ରୀ ଅନୁମତି ଦେଇଥିଲେ । କେନ୍ଦ୍ର ସରକାର ଏହାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି କହି ବର୍ଷିଛନ୍ତି ସୁପ୍ରିୟା ସୁଲେ । ଅଲମ୍ପିକ ବିଜେତାଙ୍କ ପ୍ରତି ଏପରି ବ୍ୟବହାର ତାଙ୍କୁ ଶକ୍ତ ଧକ୍କା ଦେଇଥିବା ସେ ଟ୍ୱିଟ କରିଛନ୍ତି।

ଏହି ଘଟଣାକୁ ନେଇ ଏନସିପିର ଜାତୀୟ ପ୍ରବକ୍ତା କ୍ଲାଇଡ କ୍ରାଷ୍ଟୋ ଶିଶୁ ଓ ମହିଳା ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀ ମହୋଦୟା ସେମାନେ ଆମ ଦେଶ ପାଇଁ ଗୌରବ ଆଣିଥିବା ମହିଳା ରେସଲର ହୋଇଥିବା ବେଳେ ସେମାନଙ୍କ ପ୍ରତି ଏପରି ବ୍ୟବହାର ଆପଣଙ୍କୁ କିପରି ବାଧୁନି। ଆପଣ ମହିଳାଙ୍କୁ ସୁରକ୍ଷା ଦେବାକୁ ମନ୍ତ୍ରୀପଦରେ ବସିଥିବା ବେଳେ ଏବେ କାହିଁକି ପାଟି ଫିଟାଉ ନାହାନ୍ତି। କେବଳ ରାହୁଲ ଗାନ୍ଧିଙ୍କ ମାମଲାରେ ଆମେ କାହିଁକି ଆପଣଙ୍କ ଭାଷଣ ଶୁଣିବୁ ବୋଲି ସେ ଟ୍ୱିଟ କରିଛନ୍ତି ।

ଏଥିସହ ସେ ସୁପରଷ୍ଟାର ଶାହରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ବି ଟାର୍ଗେଟ କରିଛନ୍ତି। ଦେଶର ସୁପରଷ୍ଟାରମାନେ ଉଭୟ ନୂଆ ସଂସଦ ଉଦ୍‌ଘାଟନ ସମାରୋହର ଫଟୋକୁ ଟ୍ୱିଟ କରୁଥିବା ବେଳେ ରେସଲରମାନଙ୍କୁ ଅସମ୍ମାନ ପ୍ରସଙ୍ଗରେ କାହିଁକି ଚୁପ୍‌ ରହୁଛନ୍ତି ବୋଲି ପଚାରିଛନ୍ତି। ନ୍ୟାୟ ପାଇଁ ମାସ ମାସ କାଳ ନିଜ ସଂଘର୍ଷ ଜାରି ରଖିଥିବା ଏହି ମହିଳା ରେସଲରମାନଙ୍କୁ ନିଜ ସମର୍ଥନ ନ ଜଣାଇବାକୁ କିଏ ସେମାନଙ୍କ ଉପରେ ଚାପ ପକାଉଛନ୍ତି ବୋଲି ବି କହିଛନ୍ତି।

କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୀର୍ଘ ଗୋଟିଏ ମାସ ହେଲା ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ରେସଲରମାନେ ଗତକାଲି ନୂଆ ସଂସଦ ଭବନ ସମ୍ମୁଖରେ ମହିଳା ସମ୍ମାନ ମହାପଞ୍ଚାୟତ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ସେମାନେ ଶତାଧିକ ସଂଖ୍ୟାରେ ସଂସଦ ଭବନ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ବାଟରୁ ସେମାନଙ୍କୁ ବଳ ପୂର୍ବକ ଉଠାଇ ନେଇଥିଲା ପୁଲିସ୍‌। ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଠାନ ପ୍ରତିବାଦରେ ସମଗ୍ର ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି।

Protest Delhi Police Indian Wrestler