Advertisment

ମଣିପୁର ସରକାରୀ କର୍ମଚାରୀଙ୍କୁ ତାଗିଦ - ତୁରନ୍ତ କାର୍ଯ୍ୟରେ ଯୋଗ ଦିଅ, ନଚେତ କାମ ନାହିଁ ତ ଦରମା ନାହିଁ

ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ହିଂସାର ନିଆଁରେ ମଣିପୁର ଜଳୁଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏପରିସ୍ଥିତିରେ ସରକାରୀ କର୍ମଚାରୀ ବିନା ଛୁଟିରେ ନିଜ ନିଜ ହେଡକ୍ୱାର୍ଟର୍ସ ଛାଡ଼ି ଚାଲି ଯାଇଛନ୍ତି। ଫଳରେ ଦୀର୍ଘ ଦିନ ହେଲା ସରକାରୀ କାର୍ଯ୍ୟ ଠପ୍‌ ପଡ଼ିଛି।

author-image
Niharika Rout
ଅଦ୍ୟତନ ହୋଇଛି
Army

Army

‘ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗ ଦିଅ। ନଚେତ କାମ ନାହିଁ ତ ଦରମା ବି ନାହିଁ। ’ ନିଜର ପ୍ରାୟ ଲକ୍ଷେରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂ ।

Advertisment

ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ହିଂସାର ନିଆଁରେ ମଣିପୁର ଜଳୁଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏପରିସ୍ଥିତିରେ ସରକାରୀ କର୍ମଚାରୀ ବିନା ଛୁଟିରେ ନିଜ ନିଜ ହେଡକ୍ୱାର୍ଟର୍ସ ଛାଡ଼ି ଚାଲି ଯାଇଛନ୍ତି। ଫଳରେ ଦୀର୍ଘ ଦିନ ହେଲା ସରକାରୀ କାର୍ଯ୍ୟ ଠପ୍‌ ପଡ଼ିଛି।

ମେ’ ୩ ତାରିଖରେ ମଣିପୁର ରେ ହିଂସା ଆରମ୍ଭ ହୋଇଥିବା ବେଳେ ସେବେଠୁ କାର୍ଯ୍ୟରେ ଯୋଗ ଦେଉ ନ ଥିବା ନିଜ କର୍ମଚାରୀଙ୍କ ତାଲିକା ଦେବାକୁ ସବୁ ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେମାନଙ୍କ ନାଁ, ଠିକଣା, ପଦ, ଏବେକାର ଠିକଣା ଦେବାକୁ କୁହାଯାଇଛି। ଜୁନ୍‌ ୨୮ ସୁଦ୍ଧା ଏହି ସୂଚନା ଦେବାକୁ କୁହାଯାଇଛି।

Advertisment

ଗତ ରବିବାର ମଣିପୁର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିବା ପରେ ରାଜ୍ୟରେ ଜୀବନଯାତ୍ରାକୁ ଟ୍ରାକ୍‌କୁ ଫେରାଇବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଛନ୍ତି। ଜୁନ୍‌ ୧୩ ପରଠୁ ହିଂସା ଯୋଗୁ ରାଜ୍ୟରେ କୌଣସି ଜୀବନହାନୀ ହୋଇ ନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଗତ ୧୨ ତାରିଖରେ ଏକ କ୍ୟାବିନେଟ ମିଟିଂ ଅନୁଷ୍ଠିତ ହୋଇଥିବା ବେଳେ କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ଏହି ଦଙ୍ଗା ପରେ କର୍ମଚାରୀମାନେ ନିଜ ପସନ୍ଦର ଜାଗାକୁ ବଦଳି ଚାହୁଁଥିବା ବେଳେ ତାହାକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଅଫିସ୍‌ କାର୍ଯ୍ୟ ସୁରୁଖୁରରେ ଚାଲି ପାରିବ ବୋଲି ଅନୁମାନ କରାଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ’ ମାସରେ ହିଂସା ଆରମ୍ଭ ହେବା ପରେ ସୁରକ୍ଷା କର୍ମୀ ସାଧାରଣ ଲୋକଙ୍କ ସମେତ ସରକାରୀ କର୍ମଚାରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିଥିଲେ। ମାତ୍ର ଏବେ ସ୍ଥିତି ଟ୍ରାକ୍‌କୁ ଫେରୁଥିଲେ ବି ଭୟଭୀତ ହୋଇ ପଡ଼ିଥିବା ସରକାରୀ କର୍ମଚାରୀ ନିଜ କାର୍ଯ୍ୟକୁ ଫେରିବାକୁ ପଛଘୁଞ୍ଚା ଦେଉଛନ୍ତି। ଏପରିକି କର୍ମଚାରୀମାନେ ବଦଳି ଚାହୁଁଥିବା ବେଳେ ଏହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ମାତ୍ର ଏପରି ଇଚ୍ଛା ରଖିଥିବା କିଛି କର୍ମଚାରୀଙ୍କୁ ଆବଶ୍ୟକ ସ୍ଥଳେ ଅନ୍ୟ ବିଭାଗରେ ନିଯୁକ୍ତି ଦେବାକୁ ମଣିପୁରର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷେ ସରକାରଙ୍କ ଏପରି ନୀତିକୁ ନେଇ ବହୁ ସରକାରୀ କର୍ମଚାରୀ ଆପତ୍ତି ଉଠାଇଛନ୍ତି। ଏଯାଏ ହିଂସା ପୂରାପୂରି ଥମି ନ ଥିବା ବେଳେ ରାଜ୍ୟ ସରକାର ଜାଣିଶୁଣି ନିଜ ନିଷ୍ପତ୍ତି କର୍ମଚାରୀଙ୍କ ଉପରେ ଲଦି ଦେଉଥିବା ଅଭିଯୋଗ କରିଛନ୍ତି।

Army Jawan Manipur Violence