Advertisment

ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା; ତାତିଲେ ବିରୋଧୀ, ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି

ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି । ଫଳରେ ଲୋକସଭା ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

author-image
Niharika Rout
ଅଦ୍ୟତନ ହୋଇଛି
Lok Sabha

Lok Sabha

ଗତକାଲି ସଂସଦ ର ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ସାଂଘାତିକ ତ୍ରୁଟିକୁ ନେଇ ତେଜିଛି ରାଜନୀତି। ଏହା ପ୍ରତିବାଦରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ପ୍ରବଳ ହୋହାଲ୍ଲା ଓ ହଟ୍ଟଗୋଳ କରିଛନ୍ତି । ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

Advertisment

ଗତକାଲି ସଂସଦ ପରିସରରେ ସାଗର ଓ ମନୋରଞ୍ଜନ ନାମକ ଦୁଇ ଯୁବକ ପଶି ଘଟାଇଥିବା ହଙ୍ଗାମାକୁ ନେଇ ଆଜି ଗୃହ ମଧ୍ୟରେ ନାରାବାଜି ଦେଇଥିଲେ ବିରୋଧୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିବା ସହ ତାଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ ଓ ହୋହାଲ୍ଲା କରିଥିଲେ ବିରୋଧୀ ।

ସଂସଦ ରେ ସୁରକ୍ଷା ଭଙ୍ଗ ଘଟଣାକୁ ଲୋକସଭାରେ କଡା ନିନ୍ଦା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲୋକସଭା ବାଚସ୍ପତି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବିରୋଧ ପ୍ରଦର୍ଶନର ଯଥାର୍ଥତା ନାହିଁ ବୋଲି କହିଛନ୍ତି ରାଜନାଥ । ଏଥିସହ ପାସ୍ ଦେବା ବେଳେ ସାଂସଦ ମାନେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ରାଜନାଥ ।

Advertisment

ଏହି ଘଟଣା ଉପରେ ବିବୃତି ଦେବାକୁ ଯାଇ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ଯାହା ଘଟିଲା ତାହା ଉପରେ ଆମେ ସମସ୍ତେ ଚିନ୍ତା ପ୍ରକଟ କରିଛୁ । ଗୃହର ସୁରକ୍ଷା ଦାୟିତ୍ୱ ହେଉଛି ଲୋକସଭା ସେକ୍ରାଟାରିଏଟର ।

ଏହି ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତିର ସମୀକ୍ଷା କରିଛନ୍ତି। ଏସଂକ୍ରାନ୍ତରେ ବରିଷ୍ଠ ମନ୍ତ୍ରୀଙ୍କ ସହ ସେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଛନ୍ତି। ଉକ୍ତ ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ପ୍ରେସିଡେଣ୍ଟ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଅନୁରାଗ ଠାକୁର ଉପସ୍ଥିତ ଥିଲେ।

ଅପରପକ୍ଷେ ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦ ଏହି ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାରଗେଙ୍କ ଲୋକସଭା ଚାମ୍ବରରେ ଏକ ବୈଠକରେ ଏକତ୍ରିତ ହୋଇଥିଲେ। ଏହି ଘଟଣାକୁ ନେଇ ସେମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବୃତି ଦାବି କରିଛନ୍ତି। କେବଳ ଏତିକି ନୁହେଁ, ଘଟଣା ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ସାକ୍ଷାତ କରି ଅବଗତ କରିବାକୁ ବି ନିଷ୍ପତ୍ତି ନେଇଛନ୍ତି।

ଏହି ଘଟଣାରେ ଲୋକସଭା ସେକ୍ରେଟେରିଏଟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦାୟିତ୍ୱରେ ଅବହେଳା ଦର୍ଶାଇ ଆଠ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରିଛି। ଦିଲ୍ଲୀ ପୁଲିସ୍‌ ଏନେଇ ଆତଙ୍କବାଦ ବିରୋଧୀ ଧାରା ଲଗାଇ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି।

Parliament New Parliament Building Parliament Session