Advertisment

ଇରାନ ଉପରେ ଆମେରିକାର ଆକ୍ରମଣ, ପାକିସ୍ତାନକୁ ଛିଗୁଲେଇଲେ ଓୱେସୀ

ଇରାନର ୩ଟି ପରମାଣୁ କେନ୍ଦ୍ର ବୋମାମାଡ଼ କରିଛି ଆମେରିକା।

ଅଦ୍ୟତନ ହୋଇଛି
Asaduddin Owaisi

Asaduddin Owaisi

Advertisment

ଆମେରିକା ରବିବାର ବୋମାମାଡ଼ କରି ଇରାନର ୩ଟି ପରମାଣୁ କେନ୍ଦ୍ରକୁ ଧ୍ୱଂସ କରିଦେବା ପରେ ପାକିସ୍ତାନକୁ ଛିଗୁଲେଇଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ।

Advertisment

ସେ କହିଛନ୍ତି, ଆମେ ନିଶ୍ଚିତ ଭାବେ ପାକିସ୍ତାନୀମାନଙ୍କୁ ପଚାରିବା କଥା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଉ ବୋଲି ସେମାନେ ଚାହୁଁଛନ୍ତି ନା ନାହିଁ? ଏଥିପାଇଁ କ’ଣ ସେମାନଙ୍କ ଜେନେରାଲ (ପାକିସ୍ତାନ ଫିଲ୍ଡ ମାର୍ଶଲ ଆସିମ ମୁନିର) ଟ୍ରମ୍ପଙ୍କ ସହିତ ଭୋଜନ କରିଥିଲେ?

ଓୱେସୀ କହିଛନ୍ତି ଯେ ଇରାନ ପାଖରେ ପରମାଣୁ ଅସ୍ତ୍ର ଥିବାକୁ ନେଇ ଏକ ଝଡ଼ ସୃଷ୍ଟି ହୋଇଛି। ଇରାକକୁ ନେଇ ସେହି କଥା ହୋଇଥିଲା। କିନ୍ତୁ କିଛି ବାହାରିଲା ନାହିଁ। ଲିବ୍ୟାକୁ ନେଇ ବି ସମାନ କଥା ହୋଇଥିଲା। କିନ୍ତୁ କିଛି ବାହାରିଲା ନାହିଁ।

Advertisment

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା କଥା ବୋଲି ଗତକାଲି ଓକିଲାତି କରିଥିଲା ପାକିସ୍ତାନ। ଏନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଥିଲା। ଏଥିରେ ଟ୍ରମ୍ପଙ୍କୁ ବିଶ୍ୱଗୁରୁ କହି ଭୂୟସୀ ପ୍ରଶଂସା କରାଯାଇଥିଲା।

ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନରେ ଟ୍ରମ୍ପ ଉଭୟ କୂଟନୀତିକ ଓ ବ୍ୟକ୍ତିଗତ ନେତୃତ୍ୱର ପରିଚୟ ଦେଇଥିଲେ। ବିବାଦର ସମାଧାନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାକିସ୍ତାନ ଦାବି କରି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ସପକ୍ଷରେ ଯୁକ୍ତି ରଖିଥିଲା।

ଭାରତ-ପାକିସ୍ତାନ ବିବାଦ ପରେ ଫିଲ୍ଡ ମାର୍ଶଲ ଆସିମ ମୁନିର ଆମେରିକା ଯାଇଥିଲେ। ସେଠାରେ ସେ ଟ୍ରମ୍ପଙ୍କ ସହିତ ଲଞ୍ଚ୍ କରିଥିଲେ। ତା’ପରେ ସେ ଟ୍ରମ୍ପଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବା କଥା ବୋଲି କହିଥିଲେ।

ପାକିସ୍ତାନ ପୂର୍ବରୁ ଟ୍ରମ୍ପ ନିଜ ତରଫରୁ ବାରମ୍ବାର ଭାରତ ଓ ପାକିସ୍ତାନ ବିବାଦର ସମାଧାନ ତାଙ୍କ ମଧ୍ୟସ୍ଥତା ଯୋଗୁ ହୋଇ ଥିବା କହିଥିଲେ ଓ ଏବେ ବି କହି ଚାଲିଛନ୍ତି। ଭାରତ ସରକାର ଏହାକୁ ଖଣ୍ଡନ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇ ଏ ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ତଥାପି ଭାରତ-ପାକିସ୍ତାନ ବିବାଦ ସମାଧାନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୁଣି ଥରେ କହିଛନ୍ତି।

ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଟ୍ରମ୍ପଙ୍କୁ ଗତ ଶୁକ୍ରବାର ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଟ୍ରମ୍ପ ଦାବି କରିଥିଲେ ଯେ ଭାରତ-ପାକିସ୍ତାନ ବିବାଦର ସମାଧାନ ଠାରୁ ଆରମ୍ଭ କରି ଗଙ୍ଗୋ ଓ ରୱାଣ୍ଡା ମଧ୍ୟରେ ଚୁକ୍ତି ପାଇଁ ନେଇଥିବା ପଦକ୍ଷେପ ଯୋଗୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡ଼ରେ ରହିଛନ୍ତି। ସେ ନୋବେଲ ଶାନ୍ତି ପୁରସ୍କାର ଏକାଧିକ ଥର ପାଇବାକୁ ଯୋଗ୍ୟ ବୋଲି ଯୁକ୍ତି ରଖିଥିଲେ। 

ସେ କହିଥିଲେ, ଏହି ପୁରସ୍କାର ମୋତେ ୪ କିମ୍ବା ୫ ଥର ମିଳିବା କଥା। କିନ୍ତୁ ସେମାନେ ମୋତେ ନୋବେଲ ଶାନ୍ତି ପୁରସ୍କାର ଦେବେ ନାହିଁ। କାରଣ ସେମାନେ ଏହାକୁ କେବଳ ଉଦାରବାଦୀକୁ ଦେଇଥାଆନ୍ତି। ସେମାନେ ମୋତେ ପୁରସ୍କାର ନ ଦେଲେ ବି କିଛି ଫରକ ପଡ଼ିବ ନାହିଁ। ମୁଁ ମୋର କାମ କରି ଚାଲିବି।

ଇରାନ ଉପରେ ଆକ୍ରମଣକୁ ପାକିସ୍ତାନର ନିନ୍ଦା

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଗତକାଲି ଯୁକ୍ତି ବାଢ଼ିଥିବା ପାକିସ୍ତାନ ଆଜି ଇରାନ ଉପରେ ଆକ୍ରମଣକୁ ନେଇ ଆମେରିକାକୁ ନିନ୍ଦା କରିଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମେରିକାର ଏହି ଆକ୍ରମଣ ଅନ୍ତର୍ଜାତୀୟ ଆଇନରେ ରହିଥିବା ସମସ୍ତ ନିୟମକୁ ଉଲ୍ଲଂଘନ କରିଛି। ନିଜର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ଇରାନର ହକ୍ ଅଛି ବୋଲି ସେ ଯୁକ୍ତି କରିଛନ୍ତି।

ସେ କହିଛନ୍ତି, ଉକ୍ତ ଅଞ୍ଚଳରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଥିବାରୁ ଏହା ଆମକୁ ଚିନ୍ତିତ କରିଛି। ଏହା ଆହୁରି ବଢ଼ିଲେ କ୍ଷୟକ୍ଷତି ବଢ଼ିଚାଲିବ।

ଏହା ସହିତ ଆଲୋଚନା ଓ କୂଟନୀତିକ ମାର୍ଗରେ ଉକ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବାକୁ ପାକିସ୍ତାନ ଆହ୍ୱାନ ଦେଇଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ଇରାନର ୩ଟି ପରମାଣୁ କେନ୍ଦ୍ର ବୋମାମାଡ଼ କରିଛି ଆମେରିକା। ଫୋର୍ଦୋ, ନତାଞ୍ଜ ଓ ଇସଫହାନ ପରମାଣୁ କେନ୍ଦ୍ରରେ ଆମେରିକାର ଏହି ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ପରସ୍କର ଉପରକୁ ମିସାଇଲ ମାଡ଼ କରିଛନ୍ତି ଏବଂ ଉକ୍ତ ଅଞ୍ଚଳରେ ଉତ୍ତେଜନା ଆହୁରି ବଢ଼ିଛି।

Asaduddin Owaisi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe