Advertisment

ଅତିକ ଓ ଅଶରଫଙ୍କୁ ହତ୍ୟା ମାମଲା: ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟର ସବୁ ପୁଲିସ୍ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ଓ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Jitendra Garnayak
Atik and Ashraf

Atik and Ashraf

ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ପ୍ରୟାଗରାଜରେ ତିନି ଜଣ ଯୁବକ ହତ୍ୟା କରିବା ପରେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ସବୁ ପୁଲିସ୍ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ଓ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ପ୍ରୟାଗରାଜରେ ହାଇଆଲର୍ଟ ଜାରି କରାଯିବା ସହିତ ଅତିରିକ୍ତ ପୁଲିସ ଫୋର୍ସକୁ ମୁତୟନ କରାଯାଇଛି। ପ୍ରୟାଗରାଜ ଓ ଏହାର ଆଖପାଖ ଜିଲ୍ଲା ଗୁଡ଼ିକରେ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ)କୁ ମଧ୍ୟ ମୁତୟନ କରାଯାଇଛି।

Advertisment

ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ତିନି ଜଣିଆ ଜୁଡିସିଆଲ କମିଶନ ଘଟଣାର ତଦନ୍ତ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଶନିବାର ରାତି ପ୍ରାୟ ୧୦ଟା ବେଳେ ପ୍ରୟାଗରାଜରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା କରାଯାଇଥିଲା। ସେମାନଙ୍କୁ ପ୍ରୟାଗରାଜର ଏକ ଡାକ୍ତରଖାନାକୁ ଚେକ୍‌ଅପ୍ ପାଇଁ ନିଆଯାଇଥିଲା। ଦୁଇ ଭାଇଙ୍କୁ ପୁଲିସ୍ ଜିପ୍‌ରୁ ଓହ୍ଲାଇ ଡାକ୍ତରଖାନାକୁ ନେଉଥିଲା। ଏହି ସମୟରେ ଉଭୟଙ୍କ ହାତରେ ହାତକଡ଼ି ପଡ଼ିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଦୁଇ ଭାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ପଛରୁ ଗୁଳିମାଡ଼ ହୋଇଥିଲା। କେହି କିଛି ଭାବିବା ପୂର୍ବରୁ ଗୁଳିମାଡ଼ରେ ପ୍ରଥମେ ଅତିକ ଟଳି ପଡ଼ିଥିଲେ। ତା’ପରେ ତାଙ୍କ ଭାଇ ଅଶରଫ। ଅଭିଯୁକ୍ତମାନେ ଏକାଧିକ ରାଉଣ୍ଡ ଗୁଳି କରିଥିଲେ ଓ ପରେ ହାତ ଟେକି ଆତ୍ମସମର୍ପଣ କରିଥିଲେ। ପୁଲିସ୍ ସେମାନଙ୍କୁ ଗିରଫ କରିଛି।

Advertisment

ପ୍ରୟାଗରାଜ ପୁଲିସ୍ କହିଛି ଯେ ସେମାନେ (ତିନି ଅଭିଯୁକ୍ତ) ନିଜକୁ ଗଣମାଧ୍ୟମ ପ୍ରତିନିଧି କହି ସେଠାରେ ଉପସ୍ଥିତ ଥିଲେ ଓ ହଠାତ୍ ଗୁଳି ଚଳାଇଥିଲେ। ଏହି ଘଟଣା ବେଳେ ତଳେ ପଡ଼ି ଜଣେ ସାମ୍ବାଦିକ ଆହତ ହୋଇଥିବା ବେଳେ ଜଣେ କନଷ୍ଟେବଲଙ୍କ ଦେହରେ ଗୁଳି ବାଜିଥିଲା।

ଏହି ଘଟଣା ପରେ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ବୈଠକ ଡାକିଥିଲେ। ଲକ୍ଷ୍ନୌ ସ୍ଥିତ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ଏହି ବୈଠକ ହୋଇଥିଲା। ଏଥିରେ ଡିଜିପି ଓ ଏଡିଜିପିଙ୍କ ସମେତ ଅନ୍ୟ ସମସ୍ତ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ରହିଥିଲେ। ଡିଜିପି ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ୩ ଜଣିଆ ଜୁଡିସିଆଲ କମିଶନ ଘଟଣାର ତଦନ୍ତ କରିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଗତକାଲି ସକାଳେ ଅତିକ ଙ୍କ ପୁଅ ଅସଦର ଅନ୍ତିମ ସଂସ୍କାର କରାଯାଇଥିଲା। ହେଲେ ସେଠାରେ ଉପସ୍ଥିତ ରହିବାକୁ ଅତିକ ଙ୍କୁ କୋର୍ଟରୁ ଅନୁମତି ମିଳି ନଥିଲା। ଗତ ଗୁରୁବାର ଝାନସୀରେ ପୁଲିସ୍ ଏନକାଉଣ୍ଟରରେ ଅସଦ ଓ ତା’ର ଜଣେ ସହଯୋଗୀ ଗୁଲାମ ପ୍ରାଣ ହରାଇଥିଲେ। ଅତିକଙ୍କ ଭଳି ଅସଦ ମଧ୍ୟ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲେ। ଉମେଶ ପାଲ ହତ୍ୟାକାଣ୍ଡ ପରଠୁ ସେ ଫେରାର ଥିଲେ।

ଉମେଶ ପାଲଙ୍କୁ ଗତ ଫେବ୍ରୁଆରୀ ୨୪ ତାରିଖରେ ପ୍ରୟାଗରାଜ ସ୍ଥିତ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ସହିତ ଦୁଇ ଜଣ ପୁଲିସ୍ କର୍ମଚାରୀ ମଧ୍ୟ ପ୍ରାଣ ହରାଇଥିଲେ। ୨୦୦୫ରେ ବିଏସ୍‌ପିର ତତ୍‌କାଳୀନ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଉମେଶ ଥିଲେ ସେହି ହତ୍ୟା ଘଟଣାର ସାକ୍ଷୀ। ୨୦୦୬ରେ ଉମେଶଙ୍କୁ ଅପହରଣ କରାଯାଇଥିଲା। ସେହି ମାମଲାରେ ଗତ ମାସରେ କୋର୍ଟ ଅତିକ ଅହମଦଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ନାଁରେ ୧୦୦ରୁ ଅଧିକ ଅପରାଧିକ ମାମଲା ରହିଛି। 

Encounter Atiq Ahmed Umesh Pal Murder Case