Advertisment

‘ଏନସିପିରେ ଫାଟ ଖୁବ ବାଧିଛି, ହେଲେ ଅଜିତ ପାୱାର ସବୁବେଳେ ମୋ’ ବଡ଼ ଭାଇ ’

‘ଅଜିତ ପାୱାରଙ୍କ ସମେତ ଏନସିପିର ୮ ବିଧାୟକ ଗତକାଲି ବିଜେପି ଓ ଶିବସେନା ସହ ହାତ ମିଳାଇଥିବା ବେଳେ ଦଳ ଦୁଇ ଫାଳ ହୋଇ ଯାଇଛି। ହେଲେ ଏହା ଆମ ସମ୍ପର୍କରେ କୌଣସି ପ୍ରକାର ଫାଟ ସୃଷ୍ଟି କରି ପାରିବନି। ସେ ପୂର୍ବ ପରି ମୋ’ ବଡ଼ ଭାଇ ହୋଇ ରହିବେ ଓ ମୁଁ ତାଙ୍କୁ ପୂର୍ବ ପରି ସମ୍ମାନ ଦେବି।’

author-image
Niharika Rout
Ajit Pawar & Supriya Sule

Ajit Pawar & Supriya Sule

ଅଜିତ ପାୱାର ଙ୍କ ସମେତ ଏନସିପିର ୮ ବିଧାୟକ ଗତକାଲି ବିଜେପି ଓ ଶିବସେନା ସହ ହାତ ମିଳାଇଥିବା ବେଳେ ଦଳ ଦୁଇ ଫାଳ ହୋଇ ଯାଇଛି। ହେଲେ ଏହା ଆମ ସମ୍ପର୍କରେ କୌଣସି ପ୍ରକାର ଫାଟ ସୃଷ୍ଟି କରି ପାରିବନି। ସେ ପୂର୍ବ ପରି ମୋ’ ବଡ଼ ଭାଇ ହୋଇ ରହିବେ ଓ ମୁଁ ତାଙ୍କୁ ପୂର୍ବ ପରି ସମ୍ମାନ ଦେବି।’ ଭାଇଙ୍କ ଘର ବାହୁଡ଼ା ଆଶ ରଖିଥିବା ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ସାମ୍ବାଦିକ ସମ୍ମିଳନୀରେ ଏପରି ମତବ୍ୟକ୍ତ କରିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସୁଲେ କହିଛନ୍ତି, ଏହି ଘଟଣା ଦଳର ଏକତାକୁ ଭାଙ୍ଗି ପାରିବନି । ଦଳ ଅଧିକ ଶକ୍ତ ତଥା ମଜଭୁତ ହୋଇ ରାଜ୍ୟ ତଥା ଦେଶର ଉନ୍ନତି ପାଇଁ କାମ କରିବ । ପୁଣି ଥରେ ଦଳକୁ ଛିଡ଼ା କରିବାକୁ ଆମେ ଏକାଠି ହୋଇ କାମ କରିବୁ। ହେଲେ ଯେଉଁମାନେ ଦଳରୁ ବାହାରି ଯାଇଛନ୍ତି, ସେମାନେ ଦଳକୁ ଫେରି ଆସିଲେ ଅଧିକ ଖୁସି ହେବୁ ବୋଲି କହିଛନ୍ତି ସୁଲେ।

ଏଥିସହ ସେ କହିଛନ୍ତି, ଏନସିପିରେ ଦେଖାଦେଇଥିବା ବିଭାଜନ ଖୁବ୍‌ ବାଧିଛି। ହେଲେ ଅଜିତ ଭାଇଙ୍କ ପ୍ରତି ମୋ’ ମନରେ ସବୁବେଳେ ସମ୍ମାନ ଅଛି ଓ ରହିବ । ସବୁବେଳେ ସେ ମୋ’ ବଡ଼ ଭାଇ ହୋଇ ରହିବେ। ପରିସ୍ଥିତି ଯାହା ବି ହେଉନା କାହିଁକି ଅଜିତ ଭାଇଙ୍କ ସହ ମୋ’ ସମ୍ପର୍କରେ କେବେ ବି ଫାଟ ସୃଷ୍ଟି ହେବନି।

Advertisment

ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପିର ହେଭିୱେଟ ଅଜିତ ପାୱାର ସମର୍ଥକଙ୍କ ସହ ସରକାରରେ ସାମିଲ ହେବେ ବୋଲି ଗତକାଲି ଚର୍ଚ୍ଚା ଜୋର ଧରିଥିଲା। ଏହା ମଧ୍ୟରେ ଗତକାଲି ସକାଳେ ସୁପ୍ରିୟା ସୁଲେ ଅଜିତ ପାୱାରଙ୍କୁ ତାଙ୍କ ବାସଭବନ ‘ଦେବଗିରି’ରେ ସାକ୍ଷାତ କରିଥିଲେ। ମାତ୍ର ଭାଇ, ଭଉଣୀଙ୍କ ମଧ୍ୟରେ କ’ଣ ରୁଦ୍ଧଦ୍ୱାର ଆଲୋଚନା ହୋଇଥିଲା ସେ ନେଇ ପାଟି ଫିଟାଉ ନାହାନ୍ତି ସୁପ୍ରିୟା ସୁଲେ।

୨୦୧୯ ମସିହାରେ ଅଜିତ ପାୱାର ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିଶଙ୍କ ଦ୍ୱାରା ଗଠିତ ସରକାରରେ ସାମିଲ ହୋଇଥିବା ବେଳେ ତାଙ୍କ ଘର ବାହୁଡ଼ା ଦାୟିତ୍ୱ ସୁପ୍ରିୟା ସୁଲେଙ୍କ କାନ୍ଧରେ ନ୍ୟସ୍ତ ଥିଲା। ଏବେ ପୁଣି ଥରେ ସମାନ ପରିସ୍ଥିତି ଉପୁଜିଥିବା ବେଳେ ଦଳ ଏହାକୁ ଅତିକ୍ରମ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଏହି ଏନସିପି ନେତା।

ଏଥିସହ ସେ କହିଛନ୍ତି, ଏନସିପି ହେଉଛି ଆମ ପରିବାର। ମୁଁ ଏଠାରେ ୨୦ ବର୍ଷରୁ ଅଧିକ ସମୟ ହେଲା କାମ କରି ଆସୁଛି। ଶରଦ ପାୱାର ଚଟାଣ ପରି ଛିଡ଼ା ହୋଇ ସବୁ ପରିସ୍ଥିତିର ମୁକାବିଲା କରିଥିବା ଆମେ ଦେଖିଛୁ। ତେଣୁ ଏ ସମସ୍ୟା ବି ଦୂରେଇ ଯିବ ଓ ଦଳ ଅଧିକ ଶକ୍ତ ହୋଇ ଛିଡ଼ା ହେବ । କାରଣ ସେ ଦଳରେ ସମସ୍ତଙ୍କୁ ନିଜ ଛୁଆ ପରି ବ୍ୟବହାର କରନ୍ତି।

ଯେଉଁମାନେ ଦଳ ଛାଡ଼ିଛନ୍ତି, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ କି ବୋଲି ପଚରାଯିବାରୁ ଏହାକୁ ଏଡ଼ାଇ ଯାଇଥିଲେ ସୁପ୍ରିୟା ସୁଲେ। ଏଥିସହ ଆଗାମୀ ଦିନରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶରଦ ପାୱାର ନିଜ ଝିଅ  ସୁପ୍ରିୟା ସୁଲେଙ୍କୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯିବା ପରଠୁ ଅସନ୍ତୁଷ୍ଟ ଥିବା ଅଜିତ ପାୱାର ବିଦ୍ରୋହ ଆରମ୍ଭ କରିଥିବା ଜଣାଯାଇଛି।

Sarad Power Maharashtra NCP Ajit Pawar