Advertisment

Babri Masjid: ‘ବାବ୍ରୀ ମସଜିଦ’ ଶୈଳୀରେ ମସଜିଦ ନିର୍ମାଣ; ଭିତ୍ତିପ୍ରସ୍ତର ସ୍ଥାପନ କଲେ ନିଲମ୍ବିତ ତୃଣମୂଳ କଂଗ୍ରେସ ବିଧାୟକ

ହଜାର ହଜାର ଲୋକଙ୍କ ସହିତ ସାଉଦି ଆରବରୁ ଆସିଥିବା ଦୁଇ ଜଣ ମୌଲବୀଙ୍କ ଉପସ୍ଥିତିରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକ ହୁମାୟୁନ କବିରଙ୍କ ସମର୍ଥକମାନେ ମୁଣ୍ଡରେ ଇଟା ବୋହି ନେଉଥିବା ଦେଖିବାକୁ ମିଳିଥିଲା।

author-image
Jitendra Garnayak
Suspended mla

ତୃଣମୂଳ କଂଗ୍ରେସ (TMC)ରୁ ନିଲମ୍ବିତ ‍ବିଧାୟକ ହୁମାୟୁନ କବିର ଶନିବାର ପଶ୍ଚିମବଙ୍ଗର ମୁର୍ଶିଦାବାଦର ବେଲଡଙ୍ଗାରେ ବାବ୍ରୀ ମସଜିଦ ଶୈଳୀରେ ଏକ ମସଜିଦ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୨ ମସିହାରେ ଆଜି (ଡିସେମ୍ବର ୬)ର ଦିନରେ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା। 

Advertisment

ହଜାର ହଜାର ଲୋକଙ୍କ ସହିତ ସାଉଦି ଆରବରୁ ଆସିଥିବା ଦୁଇ ଜଣ ମୌଲବୀଙ୍କ ଉପସ୍ଥିତିରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକ ହୁମାୟୁନ କବିରଙ୍କ ସମର୍ଥକମାନେ ମୁଣ୍ଡରେ ଇଟା ବୋହି ନେଉଥିବା ଦେଖିବାକୁ ମିଳିଥିଲା। କୌଣସି ପ୍ରକାର ଅଘଟଣ ଆଶଙ୍କା କରି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। 

ଏହି କାର୍ଯ୍ୟକ୍ରମ ଯୋଗୁ ଯେପରି ରାସ୍ତାଘାଟ ଜାମ୍ ନହେବ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ୩୦୦୦ ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯାଇଥିଲା ‍ବୋଲି ଦାବି କରାଯାଇଛି। ସେହିପରି ୪୦ ହଜାର ଅତିଥିଙ୍କ ସହିତ ସ୍ଥାନୀୟ ୨୦ ହଜାର ଲୋକଙ୍କ ପାଇଁ ବିରିୟାନୀ ପ୍ରସ୍ତୁତ କରିବାକୁ ୭ଟି କ୍ୟାଟରିଂ ଏଜେନ୍ସୀକୁ ଦାୟିତ୍ୱ ଦିଆଯାଇଥିଲା ବୋଲି ଜଣାପଡ଼ିଛି।

Advertisment

ତୃଣମୂଳ କଂଗ୍ରେସରୁ ନିଲମ୍ବିତ ହୁମାୟୁନ କବିରଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ବୟାନକୁ ଉଦ୍ଧାର କରି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ମୋଟ୍ ବଜେଟ ୭୦ ଲକ୍ଷ ଟଙ୍କା ରହିଥିଲା। ସେଥିରୁ କେବଳ ଖାଦ୍ୟ ବାବଦକୁ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। 

ବାବ୍ରୀ ମସଜିଦ ଶୈଳୀରେ ମୁର୍ଶିଦାବାଦର ବେଲଡଙ୍ଗାରେ ଏକ ମସଜିଦ ନିର୍ମାଣ ହେବ ବୋଲି କହି ବିଧାୟକ ହୁମାୟୁନ କବିର ବିବାଦୀୟ ହେବା ପରେ ତୃଣମୂଳ କଂଗ୍ରେସ ପକ୍ଷରୁ ଦୁଇ ଦିନ ତଳେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ତଥାପି ସେ ସେହି କାର୍ଯ୍ୟରେ ଆଗେଇଛନ୍ତି। 

ଏହି ଘଟଣା କଲିକତା ହାଇକୋର୍ଟଙ୍କୁ ମଧ୍ୟ ଯାଇଥିଲା। ତେବେ କୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେବା ସହିତ ଏହା ଯୋଗୁ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ, ସେଥିପ୍ରତି ଦୃଷ୍ଟି ଦେଇ ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରକୁ ନିର୍ଦ୍ଦେଶ ଦେଇଥିଲେ। 

ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ନିଜକୁ ଏହି କାର୍ଯ୍ୟକ୍ରମରୁ ଦୂରେଇ ରଖିଛି। ଏହା ସହିତ ଆଜିର ଦିନକୁ ଏକତା ଦିବସ ଭାବେ ପାଳନ କରିଛି। ସାଂପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ବାଣ୍ଟିବା ପାଇଁ ଦଳ ଏକତା ଦିବସ ପାଳନ କରିଛି। 
ତଥାପି ସମାଲୋଚନାରୁ ନିଜକୁ ରକ୍ଷା କରିପାରିନି ତୃଣମୂଳ କଂଗ୍ରେସ। ଦଳକୁ ତୀବ୍ର ସମାଲୋଚନା କରିଛି ବିଜେପି। ଦଳ କହିଛି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିକ ଫାଇଦା ପାଇଁ ତାଙ୍କ ବିଧାୟକଙ୍କୁ ବ୍ୟବହାର କରିଛନ୍ତି। 

ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ଏହି ତଥାକଥିତ ମସଜିଦ ଏକ ଧାର୍ମିକ ପ୍ରୟାସ ନୁହେଁ। ଏହା ପଛରେ ରାଜନୀତି ରହିଛି। ଲୋକଙ୍କ ଭାବନା ସହିତ ଖେଳି ଭୋଟ୍ ହାତେଇବାକୁ ଏଭଳି କରାଯାଉଛି। 

ସେହିଭଳି ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ଦଳର ପୂର୍ବତନ ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି ଯେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ହୁମାୟୁନ କବିରଙ୍କ ଜରିଆରେ ତୃଣମୂଳ କଂଗ୍ରେସ ରାଜ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ କରିବାକୁ ଚାହୁଁଛି। 

ଅନ୍ୟପକ୍ଷରେ ବିଜେପିର ଏଭଳି ଦାବିକୁ ଖଣ୍ଡନ କରିଛି ତୃଣମୂଳ କଂଗ୍ରେସ। ଦଳ କହିଛି ଯେ ସବୁ ଅଭିଯୋଗ ଭିତ୍ତିହୀନ। କବିର ବିଜେପିର ପେ’ରୋଲ୍‌ରେ ଅଛନ୍ତି। ବିଜେପିର ଏଜେଣ୍ଟ ସାଜି ରାଜ୍ୟରେ ହିଂସା ଭିଆଇବା ପାଇଁ ସେ ଏଭଳି କାର୍ଯ୍ୟ କରୁଛନ୍ତି। ମୁର୍ଶିଦାବାଦର ଲୋକେ ଶାନ୍ତିପ୍ରିୟ। ସେମାନେ ଏଭଳି କାର୍ଯ୍ୟକୁ ସମର୍ଥନ କରିବେ ନାହିଁ। 

ମୁର୍ଶିଦାବାଦର ମୋଟ ଜନସଂଖ୍ୟାର ୬୭% ହେଉଛନ୍ତି ମୁସଲିମ। ଗତ ଏପ୍ରିଲ ମାସରେ ଏଠାରେ ହିଂସାକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ୱାକଫ ବିଲ୍‌କୁ ବିରୋଧ କରି ହୋଇଥିବା ବିକ୍ଷୋଭ ବେଳେ ଏହି ଘଟଣା ଘଟିଥିଲା।  

TMC