/odisha-reporter/media/media_files/2026/02/06/naxal-2026-02-06-14-44-17.jpg)
ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାରେ ଥିବା ଅବୁଝମାଡର ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ମୃତ ନକ୍ସଲମାନଙ୍କର ପରିଚୟ ସ୍ପଷ୍ଟ ହୋଇପାରି ନଥିଲା।
ନକ୍ସଲଙ୍କ ସହିତ ମୁହାଁମୁହିଁରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ତାଙ୍କ ନାଁ ଦୀପକ ଚିନ୍ନା ମଡାବୀ। ଅନ୍ୟ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତାଙ୍କ ଦେହରେ ଗୁଳି ବାଜିଛି। ତେବେ ସେ ବିପଦ ମୁକ୍ତ ଅଛନ୍ତି। ମହାରାଷ୍ଟ୍ରର ଗଡଚିରୋଲି ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ଅପରେସନ କରିଥିଲେ ମହାରାଷ୍ଟ୍ର ପୁଲିସର ସି୬୦ (C60) ଯବାନମାନେ। C60 ହେଉଛି ମହାରାଷ୍ଟ୍ର ପୁଲିସର ଏକ ସ୍ୱତନ୍ତ୍ର କମାଣ୍ଡୋ ୟୁନିଟି। ଗଡଚିରୋଲି ଅଞ୍ଚଳରେ ନକ୍ସଲଙ୍କ ସହିତ ଲଢ଼ିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି। ଗଢଚିରୋଲି ଏକ ଘଞ୍ଚ ଜଙ୍ଗଲ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଏହାକୁ ନକ୍ସଲଙ୍କ ଗଡ଼ ବୋଲି କୁହାଯାଏ। ଏହା ମହାରାଷ୍ଟ୍ରର ପୂର୍ବଭାଗରେ ରହିଛି।
C60ର ଅପରେସନ ବେଳେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତ ମୃତଦେହଗୁଡ଼ିକୁ ଜବତ କରାଯାଇଛି। ପ୍ରଥମେ ଜଣଙ୍କ ମୃତଦେହ ଜବତ କରାଯାଇଥିଲା। ଆଜି ସକାଳେ ଆଉ ଦୁଇ ନକ୍ସଲଙ୍କ ମୃତଦେହକୁ ଜବତ କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ଏକେ 47 ଓ ଗୋଟିଏ ଏସ୍ଏଲ୍ଆର (ସେଲ୍ଫ ଲୋଡିଂ ରାଇଫଲ) ଜବତ କରିଥିଲେ C60 ଯବାନମାନେ।
ଏହି ଏନ୍କାଉଣ୍ଟର ବେଳେ ଗୁରୁତର ଭାବେ ଆହତ ହୋଇଥିବା C60 ଯବାନ ଦୀପକ ଚିନ୍ନା ମଡାବୀଙ୍କୁ ଆଜି ସକାଳୁ ସକାଳୁ ଗୁରୁତର ଅବସ୍ଥାରେ ଭାମରାଗଡ଼ ଡାକ୍ତରଖାନାକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
୨୦୨୫ ଅକ୍ଟୋବର ମାସରେ ନକ୍ସଲ ବିରୋଧୀ ଲଢ଼େଇ ମହାରାଷ୍ଟ୍ର ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିଲା, ଯେତେବେଳେ ନକ୍ସଲ କମାଣ୍ଡର ଏମ ଭେନୁଗୋପାଲ ରାଓ ଓରଫ ଭୂପତି ଓ ରଫ ସୋନୁ ଓରଫ ଅଭୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ସହିତ ପ୍ରାୟ ୬୦ ନକ୍ସଲ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିଲେ। ଏହି ଆତ୍ମସମର୍ପଣ ବେଳେ ଭୂପତି ଏକ ସର୍ତ୍ତ ରଖିଥିଲେ। ସେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
