Advertisment

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଗତକାଲି କାଣ୍ଡି ଜଙ୍ଗଲରେ ୫ ଜଣ ଯବାନ ସହିଦ ହୋଇଥିଲେ।

author-image
Jitendra Garnayak
Gun

Gun

ଜମ୍ମୁ ଓ କଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାରାମୁଲା ଜିଲ୍ଲାର କୁଞ୍ଜର ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି।

Advertisment

ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରୁ ଆତଙ୍କବାଦୀଙ୍କୁ ସଫା କରିବାକୁ ସେନାର ଅଭିଯାନ ଜାରି ରହିଥିବା ବେଳେ ଆଜି ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି ଓ ଆଉ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଏହି ଅପରେସନରେ ସେନା ସହିତ ଜମ୍ମୁ-କଶ୍ମୀର ପୁଲିସ ଏବଂ ସିଆରପିଏଫ ଯବାନ ମଧ୍ୟ ସାମିଲ ହୋଇଛନ୍ତି।

ଗତକାଲି କାଣ୍ଡି ଜଙ୍ଗଲରେ ସେନାର ଅଭିଯାନ ବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ ଓ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଜାରି ରଖାଯାଇଥିଲା। ଆଜି ସକାଳ ୭ଟା ବେଳେ କାଣ୍ଡି ଜଙ୍ଗଲରେ ଏକ ସ୍ଥାନରେ କିଛି ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ସହିତ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଜଣେ ଆହତ ହୋଇଥିବା ଜଣାପଡ଼ିଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

Advertisment

ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ଗୋଟିଏ ଏକେ ୫୬ ବନ୍ଧୁକ, ଗୁଳି, ଗୋଟିଏ ପିସ୍ତଲ ଓ ତିନିଟି ଗ୍ରେନେଡ ଜବତ କରିଛନ୍ତି। ନିହତ ଆତଙ୍କବାଦୀର ପରିଚୟ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଓ ଖରାପ ପାଗ ସୁରକ୍ଷାକର୍ମୀଙ୍କ ଅଭିଯାନରେ ବାଧା ସୃଷ୍ଟି କରୁଛି।

ସେହିପରି ବାରାମୁଲା ଜିଲ୍ଲାର କୁଞ୍ଜର ଗାଁରେ ଦୁଇ ଜଣ ଆତଙ୍କବାଦୀ ଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଅପରେସନ ଆରମ୍ଭ କରିଥିଲେ। ପୂରା ଗାଁକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ତା’ପରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା। ସେ ଲଶ୍କର ଏ ତୋଏବାର ବୋଲି ଜଣାପଡ଼ିଛି। କୁଞ୍ଜର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି।

ଗତ ଗୁରୁବାର ମଧ୍ୟ ବାରାମୁଲା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। କ୍ରୀରି ଗାଁରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

Jammu Kashmir Indian Army