/odisha-reporter/media/media_files/2025/11/20/bihar-2025-11-20-15-38-50.jpg)
ତେଜସ୍ୱୀ ଓ ନୀତୀଶ କୁମାର
ବିହାର ବିଧାନସଭା ନିର୍ବାଚନ(Bihar Election)ରେ ଶୋଚନୟ ପରାଜୟ ପରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିରୋଧୀ ମେଣ୍ଟ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ। ଆଜି ରେକର୍ଡ ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଶପଥ ନେବା ପରେ ତେଜସ୍ୱୀ(Tejashwi Yadav)ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଆରଜେଡି ନେତା ତେଜସ୍ୱୀ ଏକ୍ସରେ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ନୂଆ ସରକାର ନିଜର ପ୍ରତିଶ୍ରୁତି ଓ ଘୋଷଣା ପୂରଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ନିକଟରେ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ମହାଗଠନ୍ଧନ ମାତ୍ର ୩୫ଟି ଆସନ ଜିତିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ରେକର୍ଡ ୨୦୨ ଆସନ ଦଖଲ କରିଛି। ନଭେମ୍ବର ୧୪ରୁ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ତେଜସ୍ୱୀ ଯାଦବ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
ଆଜି ନୀତୀଶ କୁମାର ଶପଥ ନେବା ପରେ ତେଜସ୍ୱୀ କହିଛନ୍ତି ଯେ “ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଆଦରଣୀୟ ନୀତୀଶ କୁମାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମନ୍ତ୍ରୀ ପରିଷଦର ସଦସ୍ୟ ଭାବେ ଶପଥ ନେଇଥିବା ବିହାର ସରକାରର ସମସ୍ତ ମନ୍ତ୍ରୀମାନଙ୍କୁ ମଧ୍ୟ ଶୁଭକାମନା। ନୂଆ ସରକାର ଦାୟିତ୍ୱବାନ ଭାବେ ଲୋକଙ୍କ ଆଶା ଓ ବିଶ୍ୱାସ ଅନୁସାରେ କାମ କରିବ। ନିଜର ପ୍ରତିଶ୍ରୁତି ଓ ଘୋଷଣା ପୂରଣ କରିବ। ବିହାରବାସୀଙ୍କ ଜୀବନରେ ସକାରାତ୍ମକ ପରବର୍ତ୍ତନ ଆଣିବ ବୋଲି ମୁଁ ଆଶା କରୁଛି।”
୭୪ ବର୍ଷୀୟ ନୀତୀଶ କୁମାର ଆଜି ପାଟନାର ଗାନ୍ଧି ମୈଦାନରେ ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୨୫ ଜଣ ବିଧାୟକ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଆଜିର ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶପଥ ପାଠ ଉତ୍ସବରେ ବହୁ ହେଭିୱେଟ ଏନଡିଏ ନେତାଙ୍କୁ ଦେଖିବାକୁ ମିଳିଛି। ଏନଡିଏ ନେତାମାନେ ଶପଥ ଉତ୍ସବରେ ଉପସ୍ଥିତ ରହି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମିଶାଇ ବିହାରର ନୂଆ କ୍ୟାବିନେଟରେ ମୋଟ ୨୭ ଜଣ ସ୍ଥାନ ପାଇଛନ୍ତି। ବେଶ ଚତୁରତାର ସହ ନୀତୀଶ କୁମାର(Bihar CM Nitish Kumar) ଙ୍କ କ୍ୟାବିନେଟରେ ସବୁ ଜାତି ଓ ବର୍ଗର ବିଧାୟକଙ୍କୁ ସାମିଲ କରାଯାଇଛି।
ଏମାନଙ୍କ ମଧ୍ୟରେ ନୀତୀଶ କୁମାରଙ୍କୁ ମିଶାଇ ଜେଡିୟୁର ୯ ଜଣ, ବିଜେପିର ସର୍ବାଧିକ ୧୪ ଜଣ, ଚିରାଗ ପାଶୱାନଙ୍କ ଦଳର ମାତ୍ର ୨ ଜଣ, ଜିତେନ ରାମ ମାଞ୍ଝୀଙ୍କ ଦଳରୁ ଜଣେ ଓ ଆରଏଲମର ଜଣେ ବିଧାୟକ ମନ୍ତ୍ରୀ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
