Rajiv Kumar
ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। କିନ୍ତୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇନାହିଁ। ଗତ ଥର ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହୋଇଥିଲା। ଚଳିତ ଥର ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହୋଇନପାରିବା ନେଇ ଏକାଧିକ କାରଣ ଦର୍ଶାଇଛନ୍ତି ନିର୍ବାଚନ କମିଶନ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ ଯେ ଜମ୍ମୁ ଓ କଶ୍ମୀର ନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ସୁରକ୍ଷା ବଳକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ କରାଯିବାକୁ ନିଷ୍ପତ୍ତି ହୋଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ। ଏବେ ବର୍ଷା ଋତୁ ଚାଲିଥିବା ଯୋଗୁ ମହାରାଷ୍ଟ୍ରରେ ଭୋଟ୍ର ତାଲିକା ଅପ୍ଡେଟ୍ କରିବାରେ ବିଳମ୍ବ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ଭୋଟର ତାଲିକା ଅପ୍ଡେଟ୍ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏହା ସହିତ ଏବେ ମହାରାଷ୍ଟ୍ରରେ ଅନେକ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଉଛି ଅବା ଆଗକୁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି। ତା’ମଧ୍ୟରେ ପିତୃ ପକ୍ଷ, ଗଣେଶ ଚତୁର୍ଥୀ ଓ ଦୀପାବଳି ଆଦି ରହିଛି। ସେଥିପାଇଁ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଗଲା।
ରାଜୀବ କୁମାର ଆହୁରି କହିଥିଲେ, ସୁରକ୍ଷା ବଳଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ କେବଳ ଦୁଇଟି ରାଜ୍ୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛୁ। ତେଣୁ ଜମ୍ମୁ ଓ କଶ୍ମୀର ଏବଂ ହରିୟାଣାରେ ନିର୍ବାଚନ କରାଯିବ।
ଅନ୍ୟପକ୍ଷରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ମନ୍ତବ୍ୟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବ ସେନା (ୟୁବିଟି)ର ନେତା ଆଦିତ୍ୟ ଠାକରେ। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅପରାଗତାକୁ ପଦାରେ ପକାଇ ଦେଇଛନ୍ତି ନିର୍ବାଚନ କମିଶନ। ବିଜେପି ବହୁ ବର୍ଷ ହେଲା ଜମ୍ମୁ ଓ କଶ୍ମୀରକୁ ଶାସନ କରୁଛି ଏବଂ ସ୍ଥିତିରେ ଉନ୍ନତି ଘଟୁଛି ବୋଲି କହୁଛି। କିନ୍ତୁ ଆମେ ଦେଖୁଛୁ ସେଠାରେ ଆତଙ୍କବାଦୀ ହମଲା ବଢ଼ିଛି। ଜମ୍ମୁ ଓ କଶ୍ମୀରରେ କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିବା ନିର୍ବାଚନ କମିଶନ ଦୋହରାଇଥିବା ଆଦିତ୍ୟ ଠାକରେ କହିଛନ୍ତି।
ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ହରିୟାଣାରେ ଗୋଟିଏ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ଅକ୍ଟୋବର ୪ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହେବ। ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ହରିୟାଣାରେ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1723812887.jpg)