ରାସ୍ତାର ନାଁ ଗନ୍ଧ ନାହିଁ, ଦେଢ଼ ଲକ୍ଷ ଚଳୁ

ଆଳି (ବନମାଳୀ ସାହୁ): ରାସ୍ତାର ନାଁ ଗନ୍ଧ ନାହିଁ। ହେଲେ ରାସ୍ତା ହୋଇଥିବା ଦର୍ଶାଇ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ବିଲ୍ କରି ଚଳୁ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ ତରପଦାରେ ଏଭଳି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ତଥ୍ୟ ଓ ପ୍ରମାଣ ସହ ଗ୍ରାମବାସୀ ଏନେଇ ସ୍ଥାନୀୟ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ସତ୍ୟବ୍ରତ ବେହେରା ଓ ନିହାର ରଂଜନ ନାୟକ ଅଭିଯୋଗ କରିଛନ୍ତି, ତରପଦା ଗ୍ରାମ୍ୟ ରାସ୍ତା […]

gg

  • Published: Saturday, 29 October 2022
  • , Updated: 29 October 2022, 06:09 PM IST

ଆଳି (ବନମାଳୀ ସାହୁ): ରାସ୍ତାର ନାଁ ଗନ୍ଧ ନାହିଁ। ହେଲେ ରାସ୍ତା ହୋଇଥିବା ଦର୍ଶାଇ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ବିଲ୍ କରି ଚଳୁ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ ତରପଦାରେ ଏଭଳି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ତଥ୍ୟ ଓ ପ୍ରମାଣ ସହ ଗ୍ରାମବାସୀ ଏନେଇ ସ୍ଥାନୀୟ ବିଡିଓଙ୍କୁ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ସତ୍ୟବ୍ରତ ବେହେରା ଓ ନିହାର ରଂଜନ ନାୟକ ଅଭିଯୋଗ କରିଛନ୍ତି, ତରପଦା ଗ୍ରାମ୍ୟ ରାସ୍ତା ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ପ୍ରାୟ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇନି। ହେଲେ ମିଥ୍ୟା ବିଲ୍‌ କରାଯାଇ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରାଯାଇଛି। ଗାଁରେ ବସିଥିବା ଏକ ବୈଠକରେ ଟଙ୍କା ହଡ଼ପ କରିଥିବା ଜଣେ ସହଯୋଗୀ ଦୋଷ ମାନିଛି। ଯାହା ପରେ ଏଥିରେ ଯେଉଁମାନଙ୍କର ହାତ ରହିଛି ଜଣାପଡ଼ିଛି। କୋଇଲିପୁର ପଂଚାୟତର ସରପଞ୍ଚ, ପିଇଓ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ମିଥ୍ୟା ବିଲ କରି ଟଙ୍କା ହଡ଼ପ କରିଥିବା ରାଜକନିକା ବିଡ଼ିଓ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ପ୍ରକଳ୍ପିତ ରାସ୍ତା କାମ ଶେଷ କରିବାକୁ ଦାବି କରିଛନ୍ତି।

 

[caption id="attachment_777685" align="aligncenter" width="650"] ଟଙ୍କା ହଡ଼ପ ନେଇ ଗ୍ରାମବାସୀ ଦେଇଥିବା ସରକାରୀ ତଥ୍ୟ।[/caption]

ଅନ୍ୟପଟେ ମିଥ୍ୟାବିଲ କରି ଟଙ୍କା ଉଠାଯାଇଥିବା କଥାକୁ ଖଣ୍ଡନ କରିଛନ୍ତି କୋଇଲିପୁର ପଂଚାୟତର ସରପଞ୍ଚ ଅରୁଣ କୁମାର ରାଉତ। ସେ କହିଛନ୍ତି, ଆମ ଗାଁ ରାସ୍ତା ଓ ଆମ ଗାଁ ଚାନ୍ଦିନୀ ସ୍କିମ୍‌ରେ କିଛି ବର୍ଷ ତଳେ ମୋଟ ୭୨ଟି ପ୍ରକଳ୍ପ ଆସିଥିଲା। ଯାହା ଭିତରୁ ୪୮ଟି ପ୍ରକଳ୍ପ ବିଲ୍ ପେମେଣ୍ଟ ସରିଛି। ଏହା ଭିତରେ ତରପଦା ଗ୍ରାମ୍ୟ ରାସ୍ତା ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ରହିଛି। ସ୍ଥାନୀୟ ଲୋକ ଏହି ରାସ୍ତା କରାଇ ଦେଲେନାହିଁ। ମନ୍ଦିର ନିକଟକୁ ନୁହେଁ ବରଂ ଲୋକ ଯାତାୟତ କରୁଥିବା ସ୍ଥାନକୁ ରାସ୍ତା କରିବାକୁ ଏଠାର ଲୋକେ ଦାବି କରିଥିଲେ। ନାୟକସାହିକୁ ଏହି ରାସ୍ତା ହୋଇଛି। ଲୋକଙ୍କ ସହମତି ଓ ବିଡିଓଙ୍କ ଜାଣତରେ ସମସ୍ତ କାମ ହୋଇଛି। କିଛି ମୁଷ୍ଠିମେୟ ଲୋକ ଟଙ୍କା ବାଟମାରଣା ଅଭିଯୋଗ କରିଛନ୍ତି। ଯେଉଁ ପ୍ରକଳ୍ପ କାମ ନ ହୋଇଛି, ପଞ୍ଚାୟତ ଅଫିସ୍‌କୁ ଫାଇଲ୍ ଆସିବା ପରେ ଏହି କାମକୁ ଶେଷ କରାଯିବ। ରାଜନୈତିକ ଶତ୍ରୁତା ରଖି କିଛି ଲୋକ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ଅରୁଣ କହିଛନ୍ତି।

ରାଜକନିକା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ କହିଛନ୍ତି, ଏହି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story