୨ ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ, ଆସିଲା ମୋଟ ୫ ଅଧ୍ୟାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେବା ପରେ ରାଜ୍ୟ ସରକାର ଆଜି ୨ଟି ଦୁଇଟି ଅଧ୍ୟାଦେଶ ଆଣି ପୌର ଆଇନରେ ସଂଶୋଧନ କରିଛନ୍ତି । ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ-୨୦୦୩ରେ ଓବିସି ବର୍ଗଙ୍କ ନିମନ୍ତେ ଥିବା ସଂରକ୍ଷଣକୁ ଅଧ୍ୟାଦେଶ ମାଧ୍ୟମରେ ଉଚ୍ଛେଦ କରିବାକୁ ରାଜ୍ୟ କ୍ୟାବିନେଟ ଶୁକ୍ରବାର ମଞ୍ଜୁରୀ ଦେଇଛନ୍ତି । ଅନ୍ୟପକ୍ଷରେ, […]

lokseva bhawan

lokseva bhawan

Ordigital Desk
  • Published: Friday, 24 December 2021
  • Updated: 25 December 2021, 12:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଆଗାମୀ ପଂଚାୟତ ନିର୍ବାଚନରେ ଓବିସିଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେବା ପରେ ରାଜ୍ୟ ସରକାର ଆଜି ୨ଟି ଦୁଇଟି ଅଧ୍ୟାଦେଶ ଆଣି ପୌର ଆଇନରେ ସଂଶୋଧନ କରିଛନ୍ତି । ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ-୨୦୦୩ରେ ଓବିସି ବର୍ଗଙ୍କ ନିମନ୍ତେ ଥିବା ସଂରକ୍ଷଣକୁ ଅଧ୍ୟାଦେଶ ମାଧ୍ୟମରେ ଉଚ୍ଛେଦ କରିବାକୁ ରାଜ୍ୟ କ୍ୟାବିନେଟ ଶୁକ୍ରବାର ମଞ୍ଜୁରୀ ଦେଇଛନ୍ତି ।

ଅନ୍ୟପକ୍ଷରେ, ପଂଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜ୍ୟ ସରକାର ଓଡ଼ିଶା ଗ୍ରାମ ପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୫୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ ସମାନ ପ୍ରାବଧାନ ଥିବା ସତ୍ତ୍ୱେ ଏହାକୁ ସଂଶୋଧନ ନ କରି  ଅନ୍ୟ ୩ଟି ଅଧ୍ୟାଦେଶ ଆଣିଛନ୍ତି । ଆଇନ ବିଭାଗ ପକ୍ଷରୁ ଏନେଇ ଅଧ୍ୟାଦେଶ ଜାରି ହୋଇଛି କିନ୍ତୁ ଶୁକ୍ରବାରର କ୍ୟାବିନେଟ ବୈଠକରେ ସରକାର ଏହାକୁ ଆଣି ନାହାନ୍ତି।

ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍ ଆକ୍ଟ-୨୦୦୩ରେ ସଂଶୋଧନ ପାଇଁ ୨ଟି ଅଧ୍ୟାଦେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପୌରାଧ୍ୟକ୍ଷ ଓ ମେୟର ପଦବୀ ସଂରକ୍ଷଣ ପ୍ରାବଧାନର ସଂଶୋଧନ ପାଇଁ ଏହି ଅଧ୍ୟାଦେଶ ଆସିଛି ବୋଲି ମୁଖ୍ୟ ସଚିବ କହିଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ବିବୃତ୍ତିରେ ଉକ୍ତ ଅଧ୍ୟାଦେଶ ସମ୍ପର୍କରେ କିଛି ବି ଉଲ୍ଲେଖ ନାହିଁ ।

ରାଜ୍ୟ ସରକାର ଗ୍ରାମ୍ୟ ପଞ୍ଚାୟତ ଆଇନ୍‌ରେ ସଂଶୋଧନ ପାଇଁ ଆଣିଥିବା ଅଧ୍ୟାଦେଶରେ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ କିଛି ଉଲ୍ଲେଖ କରି ନ ଥିବା ବେଳେ କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀଙ୍କ ଅପରାଧୀକ କାର୍ଯ୍ୟକଳାପ, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ତ୍ରୁଟି ପୂର୍ଣ୍ଣ ସତ୍ୟପାଠ ନ ଦେବା ପାଇଁ ପ୍ରାବଧାନ ରଖିଛନ୍ତି। ମିଥ୍ୟ ସତ୍ୟପାଠ ଦେଲେ ୬ ମାସ ଜେଲ ଦଣ୍ଡ ଓ ଜୋରିମାନା ସହ ସଭ୍ୟପଦ ରଦ୍ଦ ହେବାର ବ୍ୟବସ୍ଥା ଅଛି।

ସୂଚନାଯୋଗ୍ୟ, ବିଧାନସଭାରେ ଓଡ଼ିଶା ଗ୍ରାମ ପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୫୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ର ସଂଶୋଧନ ହୋଇଥିବାବେଳେ ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ-୨୦୦୩ରେ ମଧ୍ୟ ସଂଶୋଧନ ହୋଇଛି । ଓବିସି ବର୍ଗଙ୍କ ପାଇଁ ପ୍ରାୟ ୧୧.୨୫ ପ୍ରତିଶତର ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏହି ଆଇନରେ ବ୍ୟବସ୍ଥା କରି ରାଜ୍ୟ ସରକାର ଉଭୟ ପଂଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ମାତ୍ର ‘ଟ୍ରିପଲ ଟେଷ୍ଟ’ ନ ସରିବା ପର୍ଯ୍ୟନ୍ତ ଓବିସିଙ୍କୁ ନିର୍ବାଚନରେ ସଂରକ୍ଷଣ ଦେବା ସମ୍ଭବପର ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଗତ ୩ଦିନ ପୂର୍ବରୁ ହାଇକୋର୍ଟଙ୍କ ରାୟ ଆସିବା ପରେ ଆଜି ରାଜ୍ୟ କ୍ୟାବିନେଟ ଦୁଇଟି ଅଧ୍ୟାଦେଶ ମାଧ୍ୟମରେ କେବଳ ପୌର ଆଇନରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିପରି ପଂଚାୟତ ଆଇନ(୩ଟି ଯାକ) ପାଇଁ ଏଭଳି ସଂଶୋଧନର ଆବଶ୍ୟକତା ଅନୁଭବ କରି ଆଇନ ବିଭାଗ ମଧ୍ୟରୁ ଅଧ୍ୟାଦେଶ ମଧ୍ୟ ଜାରି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos