ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ସହରରେ ୫ଜି ଇଂଟରନେଟ୍ ସେବା ଆରମ୍ଭ ପାଇଁ ନିଷ୍ପତ୍ତି ନେଇଥିବା କେନ୍ଦ୍ର ସରକାର ଓଡ଼ିଶାରେ ମଧ୍ୟ ଏହି ସେବାକୁ ଆରମ୍ଭ କରିବେ ବୋଲି ଆଜି ସୂଚନା ଦେଇଛନ୍ତି । ତେବେ ଫାଇଭ-ଜି(୫ଜି) ସେବା ପ୍ରଥମ ପର୍ଯ୍ୟାୟରେ ୧୩ଟି ସହର ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ଓ ସେଥିରେ ଓଡ଼ିଶାର କୌଣସି ସହର ସାମିଲ ନଥିଲା ।
କେନ୍ଦ୍ର ରେଳ, ଟେଲିକମ୍ , ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁରୀରେ ବିଜେପିର ୩ଦିନିଆ ପ୍ରଶିକ୍ଷଣ ଶିବିରର ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ୫ଜି ଟେଲିକମ୍ ନେଟୱାର୍କ ସେବା ଆରମ୍ଭ ବେଳେ ତାହା ଓଡ଼ିଶାରେ ମଧ୍ୟ ଆରମ୍ଭ ହେବ । କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ଏହି ୫ଜି ସେବା ଆରମ୍ଭ କରିବା ନିମନ୍ତେ ଜୋରସୋରରେ କାର୍ଯ୍ୟ କରୁଛି । ୫ଜି ସେବାରେ ବିକିରଣ ଅଧିକ ରହିବାର ଆଶଙ୍କାକୁ ଖଣ୍ଡନ କରି ଶ୍ରୀ ବୈଷ୍ଣବ କହିଥିଲେ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ପରିମାଣଠୁ ୧୦ଗୁଣ କମ୍ ବିକିରଣ ୫ଜି ସେବାରେ ହେବ ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ଦେଶରେ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ୧୩ଟି ସହରରେ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲା । ଏସବୁ ସହରଗୁଡ଼ିକ ହେଲା ଗୁଜୁରାଟର ଅହମ୍ମଦାବାଦ, ଗାନ୍ଧିନଗର ଓ ଜାମନଗର, ହରୟାଣାର ଗୁରୁଗ୍ରାମ ଓ ଚଣ୍ଡିଗଡ଼, କର୍ଣ୍ଣାଟକର ବାଙ୍ଗାଲୁରୁ, ତାମିଲନାଡୁର ଚେନ୍ନାଇ, ଉତ୍ତରପ୍ରଦେଶର ଲକ୍ଷ୍ନୌ, ଦିଲ୍ଲୀ, ତେଲେଙ୍ଗାନାର ହାଇଦ୍ରାବାଦ,ପଶ୍ଚିମବଙ୍ଗର କୋଲାକାତା, ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ ସହରରେ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା ।
କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶାର ରାଜ୍ୟସଭା ସାଂସଦ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟ ୫ଜି ସେବା ଆରମ୍ଭ ତାଲିକାରେ ଓଡ଼ିଶାର କୌଣସି ସହର ସାମିଲ ନହେବାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମାତ୍ର ଆଜି ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସୂଚନା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆଣିଦେଇଛି ।
ସୂଚନାଯୋଗ୍ୟ, ୫ଜି ସେବା ଆରମ୍ଭ ହେବାପରେ ଗ୍ରାହକମାନେ ୧୦ଗୁଣ ସ୍ପିଡରେ(୪ଜି ତୁଳନାରେ) ଇଂଟରନେଟ ଉପଯୋଗ କରିପାରିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।