ଡାକ୍ତର ଓ କର୍ମଚାରୀଙ୍କ ପାଇଁ 5T ପ୍ୟାକେଜ୍‌, ରହିଛି ଫରେନ୍‌ ଟୁର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଫାଇଭ-ଟି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନ୍ତରିକତା ସହ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ପାଇଁ ୧୦ଲକ୍ଷ ଟଙ୍କା ଓ ଅନ୍ୟ କର୍ମଚାରୀଙ୍କ ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାସହିତ ସବୁ ବର୍ଗର କର୍ମଚାରୀ ଓ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ନିମନ୍ତେ ମଧ୍ୟ ପୁରସ୍କାର ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ ସେବା […]

ff

Tapas Behera
  • Published: Monday, 28 October 2019
  • , Updated: 28 October 2019, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଫାଇଭ-ଟି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆନ୍ତରିକତା ସହ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ପାଇଁ ୧୦ଲକ୍ଷ ଟଙ୍କା ଓ ଅନ୍ୟ କର୍ମଚାରୀଙ୍କ ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାସହିତ ସବୁ ବର୍ଗର କର୍ମଚାରୀ ଓ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ନିମନ୍ତେ ମଧ୍ୟ ପୁରସ୍କାର ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରତିବର୍ଷ ୧୦ଜଣ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ଏକ କମିଟି ଏହି ପୁରସ୍କାର ଚୟନ କରିବ। ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଭାବେ ଏହା ପ୍ରଦାନ କରାଯିବ।

ସେହିପରି କ୍ୟାରିୟର ଆୱାର୍ଡ ଭାବେ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ତାଙ୍କ ଚାକିରି କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଆଧାର କରି ପୁରସ୍କାର ପ୍ରଦାନ କରାଯିବ। ମନୋନତୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତୀ ଉଚ୍ଚପଦବୀକୁ ପଦୋନ୍ନତି ଦିଆଯିବ। ଏଥିପାଇଁ ସର୍ବନିମ୍ନ ୨୫ବର୍ଷ ସ୍ଥାୟୀ ଚାକିରି କରିଥିବା ଜରୁରୀ।

ସେହିପରି ନ୍ୟାସନାଲ କ୍ୱାଲିଟି ଆକ୍ରିଡିଏସନ୍ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କଠୁ ଆରମ୍ଭ କରି ନିରାପତ୍ତା ରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନସ ଆକାରରେ ପରବର୍ତ୍ତୀ ଆର୍ଥିକ ବର୍ଷରେ ଦିଆଯିବ ।

ସେହିପରି କେନ୍ଦ୍ର ସରକାରଙ୍କ କାୟାକଳ୍ପ ପ୍ରମାଣପତ୍ର ପାଉଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କଠୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଆକାରରେ ମିଳିବ।

ଲକ୍ଷ୍ୟ ପ୍ରମାଣପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ୱ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ପାଇଁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଆକାରରେ ଦିଆଯିବ।

ସେହିପରି ରୋଗୀଙ୍କ ମତାମତ ଭିତ୍ତିରେ ୫ଟି ଶ୍ରେଷ୍ଠ ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯିବ। ସେହି ୫ଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତ୍ରୈମାସିକ ପ୍ରଂଶସା ପତ୍ର ପ୍ରଦାନ କରାଯିବ। ତା’ସହିତ ବର୍ଷସାରା ଭଲ କାମ କରିଥିବା ସ୍ଥାୟୀ ମେଡିକାଲ କର୍ମଚାରୀଙ୍କୁ ଏଲଟିସିରେ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ। ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ତାଲିମ ନିମନ୍ତେ ବିଦେଶ ମଧ୍ୟ ପଠାଯିବ।

ସେହିପରି ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ଓ ସେମାନଙ୍କର ସଫଳତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଘୋଷଣା କରାଯାଇଛି।

Related story