ଏଥର ବିଧାନସଭାକୁ ଯାଉଛନ୍ତି ୬୭ ଦାଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତଥର ତୁଳନାରେ ଏଥର ବିଧାନସଭାରେ ବଢ଼ିଛି ଦାଗୀ ନେତାଙ୍କ ସଂଖ୍ୟା । ଦାଗୀ ନେତାଙ୍କ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କୋଟିପତିଙ୍କ ସଂଖ୍ୟା ବି ୧୩ ପ୍ରତିଶତ ବଢ଼ିଛି । ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ ଏଡିଆର ରିପୋର୍ଟ ଅନୁସାରେ ଏହି ତାଲିକାରେ ବିଜେଡି ସବୁଠୁ ଆଗରେ ଥିବା ବେଳେ ପଛରେ ନାହାନ୍ତି ବିଜେପି ଓ କଂଗ୍ରେସ। ସେପଟେ ଚଳିତ ଥର ବିଧାନସଭାକୁ ୮ ଜଣ ଅଣ୍ଡର ମାଟ୍ରିକ୍ ସଦସ୍ୟ ବି ନିର୍ବାଚିତ […]

biom

Tapas Behera
  • Published: Monday, 27 May 2019
  • , Updated: 27 May 2019, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତଥର ତୁଳନାରେ ଏଥର ବିଧାନସଭାରେ ବଢ଼ିଛି ଦାଗୀ ନେତାଙ୍କ ସଂଖ୍ୟା । ଦାଗୀ ନେତାଙ୍କ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କୋଟିପତିଙ୍କ ସଂଖ୍ୟା ବି ୧୩ ପ୍ରତିଶତ ବଢ଼ିଛି । ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ ଏଡିଆର ରିପୋର୍ଟ ଅନୁସାରେ ଏହି ତାଲିକାରେ ବିଜେଡି ସବୁଠୁ ଆଗରେ ଥିବା ବେଳେ ପଛରେ ନାହାନ୍ତି ବିଜେପି ଓ କଂଗ୍ରେସ। ସେପଟେ ଚଳିତ ଥର ବିଧାନସଭାକୁ ୮ ଜଣ ଅଣ୍ଡର ମାଟ୍ରିକ୍ ସଦସ୍ୟ ବି ନିର୍ବାଚିତ ହୋଇଛନ୍ତି।

ବଢୁଛି ଦାଗୀ ଓ କୋଟିପତି ବିଧାୟଙ୍କ ସଂଖ୍ୟା । ଏଡିଆର ଓ ଇଲେକ୍ସନ ଓ୍ୱାଚ୍ ରିପୋର୍ଟ ଅନୁସାରେ ଚଳିତ ଥର ବିଧାନସଭାକୁ ନିର୍ବାଚିତ ୧୪୬ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୬୭ ଜଣ ହେଉଛନ୍ତି ଦାଗୀ । ଏମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଅର୍ଥାତ ୪୯ ଜଣଙ୍କ ବିରୋଧରେ ରହିଛି ହତ୍ୟା, ହତ୍ୟା ଉଦ୍ୟମ, ମହିଳା ବିରୋଧୀ ଅପରାଧ ଓ ଅପହରଣ ଭଳି ସାଂଘାତିକ ମାମଲା। ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ବେଳେ  ୩୩ ଜଣ ସାଂଘାତିକ ଅପରାଧରେ ଜଡ଼ିତ । ସେହିପରି ବିଜେପିର ୨୩ରୁ ୧୪ ଦାଗୀ ସଦସ୍ୟ ଓ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ସାଂଘାତିକ ଅପରାଧ ମାମଲା।  କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ୬ ଜଣ ଦାଗୀ ହୋଇଥିବା ବେଳେ ୫ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।

ଗଣତନ୍ତ୍ରର ପବିତ୍ର ମନ୍ଦିରକୁ ଖାଲି ଦାଗି ନେତାଙ୍କ ସୁଅ ଛୁଟୁଛି ତା ନୁହେଁ, ବରଂ ସମ ତାଳରେ କୋଟିପତି ନେତାଙ୍କ ଆବିର୍ଭାବ ବି ବଢୁଛି । ୨୦୧୪ରେ ବିଧାନସଭାକୁ  ୭୬ ଜଣ କୋଟିପତି ବିଧାୟକ ନିର୍ବାଚିତ ହୋଇଥିବା ବେଳେ ଏଥର ଏହି ସଂଖ୍ୟା ୯୫କୁ ବୃଦ୍ଧି ପାଇଛି । ଯାହାକି ଗତଥର ତୁଳନାରେ ୧୩ ପ୍ରତିଶତ ଅଧିକ । ତେବେ ନିର୍ବାଚନରେ ଯେ, ଖାଲି ଥିଲାବାଲା ଓ କୋଟିପତିଙ୍କ କାଟ୍‌ତି ଚାଲିବ, ସେ ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ଅନ୍ୟ କିଛି ନିର୍ବାଚିତ ସଦସ୍ୟ । ଇଲେକ୍ସନ ଓ୍ୱାଚ୍ ତଥ୍ୟ ଅନୁସାରେ ରାୟଗଡ଼ାର ସ୍ୱାଧୀନ ବିଧାୟକଙ୍କ ସମ୍ପତ୍ତିର ପରିମାଣ ରହିଛି ମାତ୍ର ୧୫ ହଜାର ଟଙ୍କା।

ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଏଥର ୨ ଜଣ ପଞ୍ଚମ ଶ୍ରେଣୀ, ୬ ଜଣ ଅଷ୍ଟମ, ୧୩ ଜଣ ଦଶମ, ୨୨ ଜଣ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି । ସେହିଭଳି ୩୨ ଜଣ ସ୍ନାତକ, ୨୯ ଜଣ ବୃତ୍ତିଗତ ସ୍ନାତକ, ୩୬ ଜଣ ସ୍ନତକତ୍ତୋର ଓ ୪ ଜଣ ଡକ୍ଟରେଟ୍ ଡିଗ୍ରୀଧାରୀ ବିଧାୟକ ରହିଛନ୍ତି।

 

Related story