ପ୍ରାଣୀଧନ ନିରୀକ୍ଷକଙ୍କ ପାଖରୁ ମିଳିଲା ୭.୨୧ କୋଟିର ସମ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲ୍‌ରେ ପଡ଼ିଛନ୍ତି ଜଣେ କୁବେର ପ୍ରାଣୀଧନ ନିରୀକ୍ଷକ। ତାଙ୍କ ପାଖରୁ ମିଳିଛି ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି। ଗୋଟିଏ କି ଦୁଇ କୋଟି ନୁହେଁ, ଏକଥରକେ ୭ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଭିଜିଲାନ୍ସ ଅଧିକାରୀମାନେ ଠାବ କରିଛନ୍ତି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିଭିନ୍ନ ଠିକଣାରୁ ଏହା ମିଳିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଦିନ ତମାମର ରେଡ୍‌ […]

Jagannath Raut

Hemant Lenka
  • Published: Thursday, 05 May 2022
  • , Updated: 05 May 2022, 08:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲ୍‌ରେ ପଡ଼ିଛନ୍ତି ଜଣେ କୁବେର ପ୍ରାଣୀଧନ ନିରୀକ୍ଷକ। ତାଙ୍କ ପାଖରୁ ମିଳିଛି ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି। ଗୋଟିଏ କି ଦୁଇ କୋଟି ନୁହେଁ, ଏକଥରକେ ୭ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଭିଜିଲାନ୍ସ ଅଧିକାରୀମାନେ ଠାବ କରିଛନ୍ତି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିଭିନ୍ନ ଠିକଣାରୁ ଏହା ମିଳିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଦିନ ତମାମର ରେଡ୍‌ ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥଙ୍କ ସମ୍ପତ୍ତି ତାଲିକାର ହିସାବ ଦିଆଯାଇଛି। ଭିଜିଲାନ୍ସ କହିଛି ଯେ ଜଗନ୍ନାଥଙ୍କ ପାଖରୁ ମୋଟ ୭.୨୧ କୋଟି ଟଙ୍କାର ସମ୍ପତ୍ତି ଏଯାଏ ଠାବ କରାଯାଇଛି। ଏହା ମଧ୍ୟରେ ଭୁବନେଶ୍ୱର ଓ କଟକର ପ୍ରମୁଖ ସ୍ଥାନରେ ୯୧ଟି ପ୍ଲଟ ରହିଛି। ଏହାବାଦ ୫ଟି ବିଲଡିଂ, ୨ଟି ଫ୍ଲାଟ, ବ୍ୟାଙ୍କ ଓ ବିଭନ୍ନ ବୀମା ଆକାଉଣ୍ଟର ଜମା ହୋଇଥିବା ୩୯.୪୮ ଲକ୍ଷ ଟଙ୍କା ଓ ୫୦୦ ଗ୍ରାମ ସୁନା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଜଗନ୍ନାଥ ରାଉତଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଆଜି ସକାଳୁ ଏକକାଳୀନ ରେଡ୍‌ କରାଯାଇଥିଲା। ଭୁବନେଶ୍ୱରର ରଘୁନାଥପୁରରେ ଥିବା ରୋୟାଲ ଲଗୁନ୍ ଆପାର୍ଟମେଣ୍ଟ, ରଘୁନାଥପୁର ଗାଁରେ ଥିବା ଏକ ତିନି ମହଲା କୋଠା, ଯାହାର ନାଁ ଗୋବିନ୍ଦ ଭବନ। ଏହି ଗୋବିନ୍ଦ ଭବନ ପଛ ଭାଗରେ ଥିବା ଆଉ ଏକ ୩ ମହଲା କୋଠା, ରଘୁନାଥପୁରରେ ଥିବା ଗୋଟିଏ ଦୁଇ ମହଲା କୋଠା, ଗାଁ ପୋଖରୀ ନିକଟରେ ଥିବା ଗୋଟିଏ ଘର, ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର ୩୦୧, ରୟାଲ ଆର୍କେଡରେ ଥିବା ଫ୍ଲାଟ ନଂ ୪୦୧, କଟକର ବାଙ୍କୀ ସ୍ଥିତ ଚାରିଘରିଆରେ ଥିବା ଆଉଟ୍ ହାଉସ୍‌ ଓ କଳାରାହାଙ୍ଗରେ ଥିବା ଭେଟରନାରୀ ଅଫିସରେ ଅଧିକାରୀମାନେ ଚଢ଼ଉ କରିଥିଲେ।

ସର୍ଚ୍ଚ ଅପରେସନରେ ମୋଟ ୯ ଟିମ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ୫ ଜଣ ଡିଏସ୍‌ପି ଓ ୧୦ ଜଣ ଇନସପେକ୍ଟର ଥିଲେ। ରେଡ୍‌ ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା। ରେଡ୍‌ ବେଳେ ଜଗନ୍ନାଥଙ୍କ ପାଖରୁ ମୋଟ ୭.୨୧ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଛି।

ଏହା ମଧ୍ୟରେ ଥିବା ୯୧ଟି ପ୍ଲଟ ମଧ୍ୟରୁ ୮୧ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି। ବାକି ୧୦ଟି କଟକରେ ରହିଛି। ପଞ୍ଜିକୃତ ପ୍ଲଟ ଗୁଡ଼ିକର ମୂଲ୍ୟ ୩.୩୩ କୋଟି ବୋଲି କାଗଗପତ୍ରରେ ଦର୍ଶାଯାଇଛି। କିନ୍ତୁ ପ୍ରକୃତରେ ଏଗୁଡ଼ିକ ମୂଲ୍ୟ ଯଥେଷ୍ଟ ଅଧିକ। ତେଣୁ ପଞ୍ଜୀକରଣ ବେଳେ ଜାଲିଆତି ହୋଇଥିବା ଭିଜିଲାନ୍ସ ଆଶଙ୍କା କରିଛି।

ଜଗନ୍ନାଥଙ୍କ ଗାଁ ରଘୁନାଥପୁରରେ ୬୦୦୦ ବର୍ଗଫୁଟର ଏକ ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ରହିଛି। ଏହାର ନାଁ ଗୋବିନ୍ଦ ଭବନ ଓ ଏହାର ଦାମ ୧.୪୬ କୋଟି ଟଙ୍କା। ଗୋବିନ୍ଦ ଭବନ ପଛ ପାଖରେ ଥିବା ତିନି ମହଲା ବିଶିଷ୍ଟ ବିଲଡିଂର ଦାମ ୪୭.୬୪ ଲକ୍ଷ। ଭୁବନେଶ୍ୱରର ରୋୟାଲ ଆର୍କେଡ୍‌ର ଚତୁର୍ଥ ମହଲାରେ ତାଙ୍କର ଏକ ୩ ବେଡ୍‌ରୁମ୍ ବିଶିଷ୍ଟ ଫ୍ଲାଟ୍ ରହିଛି। ଏହି ଫ୍ଲାଟ ନଂ ୪୦୧ର ଦାମ ୩୭.୦୨ ଲକ୍ଷ ଟଙ୍କା। ରଘୁନାଥପୁରର ଗ୍ରୀନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ତାଙ୍କର ଏକ ୩ଟି ବେଡ୍‌ରୁମ୍ ବିଶିଷ୍ଟ ଫ୍ଲାଟ୍ ରହିଛି। ଏହି ଫ୍ଲାଟ ନଂ ୩୦୧ର ଦାମ ୩୪.୨୭ ଲକ୍ଷ।

ରଘୁନାଥପୁର ଗାଁରେ ଗୋଟିଏ ଦୁଇ ମହଲା କୋଠା ରହିଛି। ଏହାର ଦାମ ଭିଜିଲାନ୍ସ ଅଧିକାରୀମାନେ ଏବେ ଯାଞ୍ଚ କରୁଛନ୍ତି। ଗାଁରେ ୧୫ଶହ ବର୍ଗଫୁଟ ଅଞ୍ଚଳରେ ଥିବା ଗୋଟିଏ ଘରର ଦାମ ୨୮.୨୮ ଲକ୍ଷ। ପ୍ଲଟ ନମ୍ବର ୧୫୨୪ରେ ଶ୍ରୀ ରାଉତଙ୍କର ଗୋଟିଏ ଦୁଇ ମହଲା କୋଠା ରହିଛି।

ଏହାବାଦ କଟକର ବାଙ୍କୀ ସ୍ଥିତ ଚାରିଘରିଆରେ ଜଗନ୍ନାଥ ରାଉତଙ୍କର ଏକ ଆଉଟ୍ ହାଉସ୍‌ ଠାବ କରିଛି ଭିଜିଲାନ୍ସ। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ବୀମା କମ୍ପାନୀରେ ଜଗନ୍ନାଥ ପ୍ରଧାନ ମୋଟ ୩୯.୪୮ ଲକ୍ଷ ଟଙ୍କା ଜମା କରିଛନ୍ତି। ଜଗନ୍ନାଥ ରାଉତଙ୍କ ଘରୁ ୫୦୦ ଗ୍ରାମ ସୁନା, ୧୦ ଗ୍ରାମ ହୀରା ଓ ୨୫୦ ଗ୍ରାମ ରୁପା ମିଳିଛି। ଏଗୁଡ଼ିକର ମୂଲ୍ୟ ୨୦.୬୦ ଲକ୍ଷ। ତାଙ୍କ  ଘରୁ ୭.୯୭ ଲକ୍ଷର ଗୋଟିଏ କାର, ଗୋଟିଏ ବାଇକ, ନଗଦ ଟଙ୍କା ଓ ଘରର ଜିନିଷ ପତ୍ରକୁ ମିଶାଇ ମୋଟ ୧୫.୧୬ ଲକ୍ଷ ଟଙ୍କା ଠାବ କରାଯାଇଛି। ଏବେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଆୟର ଉତ୍ସ ସମ୍ପର୍କରେ ପଚରାଉଚରା କରିବା ସହ ଆଉ କିଛି ସ୍ଥାନରେ ରେଡ୍‌ ମଧ୍ୟ କରୁଛନ୍ତି।

Related story