ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଫାଟି ଗାଡ଼ ହୋଇଯାଇଛି। ଯେଉଁ ଫାଟର ଲମ୍ବା ୭ ଫୁଟ ହୋଇଥିବା ବେଳେ ଗଭୀରତା ୭ ଇଞ୍ଚ ରହିଛି। ୧୦ ଇଞ୍ଚ ପ୍ରସ୍ଥ ଓ ୨୦ ଫୁଟ୍ ଲମ୍ବ ବିମ୍ ଉପରେ ଏହି ଫାଟ ସୃଷ୍ଟି ହୋଇଛି। ୪ ବର୍ଷ ହେବ ଏହି ଫାଟ ମେଲିମେଲି ଚାଲିଛି। ତେବେ ଏହି ଫାଟ ମରାମତି କିପରି ହେବ ତାହା ସ୍ଥିର ହୋଇପାରିନି, ଝୁଲି ରହିଛି। ଏଏସ୍ଆଇ ଫାଟ ମରାମତି ନିମନ୍ତେ ପଦକ୍ଷେପ ନେଉ ନ ଥିବା ବେଳେ କୋର କମିଟି ବିଶେଷଜ୍ଞ ଏହା ଉପରେ ଭିନ୍ନ ଭିନ୍ନ ମତ ଦେଉଥିବା ନେଇ ଏବେ ଚିତ୍ର ସାମ୍ନାକୁ ଆସିଛି। କିଏ କହିଛି ବିମ୍ ବଦଳାଇ ଦେବା ତ, ପୁଣି କିଏ କହୁଛି ବିମ୍କୁ ଗ୍ରାଉଟିଂ କରି ମରାମତି କରାଯାଇପାରିବ। ଏନେଇ ଆଜି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଏନ୍.କେ ମହାନ୍ତି ଗଣମାଧ୍ୟମକୁ ବିସ୍ତୁତ ସୂଚନା ଦେବା ପରେ ସବୁ କଥା ସ୍ପଷ୍ଟ ହୋଇଛି। ତେବେ ଶ୍ରୀମନ୍ଦିର ମରାମତି କରାଯିବା ଉପରେ ହାଇକୋର୍ଟଙ୍କ ନଜର ପଡ଼ିବା ପରେ ଆଉ ଏଏସ୍ଆଇ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଏବାବଦରେ ଢିଲା ଦେବେ ନାହିଁ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି। ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ଶେଷ ସୁଦ୍ଧା ଏହି ମରାମତି କାର୍ଯ୍ୟ ସରିବା ନେଇ ଟାଗେର୍ଟ ଦିଆଯାଇଥିବା ସେ ଦୋହରାଇଛନ୍ତି।
ସେ କହିଛନ୍ତି, ଆଜି ଶ୍ରୀମନ୍ଦିର ନାଟ ମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍। କ୍ରାକ୍ ମିଟର ମନିଟରିଂ କରାଯାଇଛି। ଏଏସ୍ଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ନାଟ ମଣ୍ଡପର ସ୍ଥିତି ଅନୁଧ୍ୟାନ କରିଥିଲା। ଏହି ସମୟରେ ସେ ଓ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକ୍ଷକ ଓ ଆଇଆଇଟି ଚେନ୍ନାଇରୁ ପ୍ରଫେସର ଅରୁଣ ମେନନ୍ ଉପସ୍ଥିତ ଥିଲେ। ନାଟମଣ୍ଡପ ଉପରକୁ ଯାଇ ସମସ୍ତେ ସ୍ଥିତି ଦେଖିଥିଲେ। ପରେ ଏନେଇ ଏକ ଆଲୋଚନା ବୈଠକ ହୋଇଥିଲା। ଯେଉଁଠି ଏଏସ୍ଆଇ ଓ ଟେକ୍ନିକାଲ କମିଟି ସଦସ୍ୟମାନେ ସେମାନଙ୍କ ମତ ଦେଇଥିଲେ। ଖୁବ୍ ଶୀଘ୍ର ମିଳିଥିବା ମତ ଉପରେ ଏଏସ୍ଆଇ ଓ କୋର କମିଟି ଶେଷ ନିଷ୍ପତ୍ତି ନେଇ କାମ ଆରମ୍ଭ କରିବ।
ଏସଆଇ ସୁପରିଟେଣ୍ଡଣ୍ଟ ଅରୁଣ ମଲ୍ଲିକ କହିଛନ୍ତି, ନାଟମଣ୍ଡପ ବିମ୍ରେ ଥିବା ଫାଟ ବଡ଼ ହେଉଛି କି ନାହିଁ ତାହାର ତର୍ଜମା କରାଯାଇଛି। ଏହାର ସପ୍ରଂସାରଣ ହୋଇନି କିମ୍ବା ଅନ୍ୟ ବିମ୍ ଉପରେ ପ୍ରଭାବ ପଡ଼ିନି। ଏହାର ମରାମତି ଖୁବ୍ ଶୀଘ୍ର ହେବ।
ସୂଚନା ଥାଉକି, ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମିକସକ୍ୟୁରି ଏନ୍.କେ. ମହାନ୍ତି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଥିବା ସେ କହିଥିଲେ।
ଅନ୍ୟପଟେ ଏଏସ୍ଆଇ ନାଟମଣ୍ଡପ ମରାମତି ଠିକ୍ ଭାବେ କରୁ ନ ଥିବାରୁ ବର୍ଷା ଦିନେ ପାଣି ଗଳୁଥିବା ଓ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଥିବା ସେବାୟତ ଓ ଭକ୍ତ ମହଲରେ ଅଭିଯୋଗ ହୋଇଆସୁଛି।