ଚୋର ସନ୍ଦେହରେ ପିଟିବା ବା ପିଟି ପିଟି ମାରିଦେବା ଭଳି ଘଟଣା ରାଜ୍ୟରେ ବିଭିନ୍ନ ସମୟରେ ଘଟୁଛି। ଏହା ଅତ୍ୟନ୍ତ ଚିନ୍ତାଜନକ ହୋଇଥିବା ବେଳେ ସଚେତନ କରାଯିବା ସତ୍ତ୍ୱେ ଲୋକେ ଏଥିରୁ ନିବୃତ୍ତ ରହୁ ନାହାନ୍ତି। ଏମିତି ଏକ ଘଟଣା ପୁଣି ଘଟିଛି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଇନ୍ଦକୁଳି ଗାଁ ନିକଟ ହେରଗୋଡ଼ାରେ ଲୋକମାନେ ସୋମବାର ଅପରାହ୍ନରେ ଦୁଇ ଜଣଙ୍କୁ ଛେଳି ଚୋର ସନ୍ଦେହରେ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଥିଲେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯାହା ଭାଇରାଲ ହୋଇଛି।
ମୃତକଙ୍କ ନାଁ ସମ୍ବିତ ବିନ୍ଧାଣୀ। ତାଙ୍କ ଘର ମୟୂରଭଞ୍ଜର ବାଦାମପାହାଡ଼ ଥାନା ଭୁଟକାବାଦୀ ଗାଁରେ। ସେ ଜଣେ ନାବାଳକ ଥିଲେ। ତାଙ୍କୁ ୧୫ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଥିବା ଯୁବକ ଜଣଙ୍କ ବହଳଦା ଗାଁର ବୋଲି ସୂଚନା ମିଳିଛି।
ସମ୍ବିତ ଓ ଅନ୍ୟ ଯୁବକ ଜଣଙ୍କୁ ଗାଁ ଲୋକେ ଛେଳି ଚୋର ସନ୍ଦେହରେ ଦଉଡ଼ିରେ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟି ଥିଲେ। ସେମାନେ ଲହୁଲୁହାଣ ହୋଇଯାଇଥିଲେ। ଯେତେ କାକୁତି ମିନତି କଲେ ମଧ୍ୟ ଗାଁ ଲୋକେ ଶୁଣି ନଥିଲେ। କିଏ ଗୋଇଠା ମାରୁଥାଏ ତ କିଏ ବାଡ଼ି ଓ ଲାଠିରେ ପିଟୁଥିଲେ। ମାଡ଼ ଖାଇ ଖାଇ ଦୁହେଁ ନିସ୍ତେଜ ହୋଇ ପଡ଼ି ଯାଇଥିଲେ।
ସୂଚନା ଅନୁଯାୟୀ, ଏହି ଦୁଇ ଜଣ ବାଇକ୍ରେ ଏକ ଛେଳି ନେଇ ହେରଗୋଡ଼ା ଦେଇ ଯାଉଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଛେଳି ଚୋରି କରି ନେଇ ଯାଉଥିବା ସନ୍ଦେହରେ ଅଟକାଇ ଥିଲେ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ମାରପିଟ।
ସୂଚନା ପାଇଁ ତିରିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ବିତ ବିନ୍ଧାଣୀଙ୍କ ମୃତ୍ୟୁ ଘଟିଥିଲା। ତିରିଂ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/03/death-2026-03-03-12-11-38.jpg)