ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଯାଇ ଲହୁଲୁହାଣ ହେଲା ପୁଲିସ୍। ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ମାଡ଼ି ବସିଲା ପୁଲିସ୍ । ଅଭିଯୁକ୍ତ ମୋଷ୍ଟ ୱାଣ୍ଟେଡଜଣକ ହେଉଛନ୍ତି ଟିକୁ ମାଲିଆ ଓ ତାଙ୍କ ଘର କପିଳେଶ୍ୱରରେ ବୋଲି ଜଣାଯାଇଛି । ତାଙ୍କୁ ଧରିବାକୁ ଯାଇ ୪ପୁଲିସ୍ କର୍ମୀ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଟିକୁ ମାଲିଆ ଜଣେ ମୋଷ୍ଟ ଓ୍ୱାଣ୍ଟେଡ୍ କ୍ରିମିନାଲ ହୋଇଥିବା ବେଳେ ତା’ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଦୀର୍ଘ ଦିନ ହେବ ପୁଲିସ୍ ତାକୁ ଖୋଜିବାକୁ ଚେଷ୍ଟା ଚଳାଇଥିବା ବେଳେ ତା’ର ପତ୍ତା ପାଉ ନ ଥିଲା। ହେଲେ ଗତକାଲି ଲିଙ୍ଗରାଜ ଥାନା ଅଞ୍ଚଳରେ ଅଭିଯୁକ୍ତଜଣକ ବୁଲୁଥିବା ପୁଲିସ୍ ଖବର ପାଇଥିଲା। ଏହାପରେ ଅତର୍କିତ ଚଢ଼ାଉ ପରେ ପୁଲିସ୍ ଉପରେ ଓଲଟା ଆକ୍ରମଣ କରି ଖସିବାକୁ ବସିଥିଲା ଟିକୁ ମାଲିଆ।
ଏପରିକି ଟିକୁ ଆକ୍ରମଣରେ ଜଣେ ସବଇନ୍ସପେକ୍ଟର ଓ ୩ କନଷ୍ଟେବଳ ଆହତ ହୋଇଥିବା ଜଣାଯାଇଛି। କିନ୍ତୁ ଶେଷରେ ଟିକୁକୁ କାବୁ କରି ଗିରଫ କରିଛି ପୁଲିସ୍। ପୁଲିସ୍କୁ ଆକ୍ରମଣ ସମେତ ବିଭିନ୍ନ ମାମଲାରେ ଆଜି ତାକୁ କୋର୍ଟଚାଲାଣ କରାଯିବ ।