ଇଡି କାର୍ଯ୍ୟାଳୟରେ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା; ଆସନ୍ତାକାଲି କାହା ପାଳି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗୁଣୀ ପେଡ଼ିକୁ ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସିନେ ପ୍ରଯୋଜକ ଅକ୍ଷୟ ପରିଜା ପରେ ଅର୍ଚ୍ଚନା ନାଗଙ୍କ ସିଣ୍ଡିକେଟ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଆଜି ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉଭୟଙ୍କୁ ଦିନ ସାରା ଜେରା କରିଥିଲା ଇଡି। ରାତି ସାଢ଼େ ୧୦ଟା ପରେ ଉଭୟ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ତେବେ ଆସନ୍ତାକାଲି କାହା ପାଳି? ରାତି ପାହିଲେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଇଡି କାର୍ଯ୍ୟାଳୟରେ ହାଜର ହେବେ? ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।  ଇଡି […]

ED

  • Published: Wednesday, 23 November 2022
  • , Updated: 23 November 2022, 10:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗୁଣୀ ପେଡ଼ିକୁ ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସିନେ ପ୍ରଯୋଜକ ଅକ୍ଷୟ ପରିଜା ପରେ ଅର୍ଚ୍ଚନା ନାଗଙ୍କ ସିଣ୍ଡିକେଟ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଆଜି ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉଭୟଙ୍କୁ ଦିନ ସାରା ଜେରା କରିଥିଲା ଇଡି। ରାତି ସାଢ଼େ ୧୦ଟା ପରେ ଉଭୟ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ତେବେ ଆସନ୍ତାକାଲି କାହା ପାଳି? ରାତି ପାହିଲେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଇଡି କାର୍ଯ୍ୟାଳୟରେ ହାଜର ହେବେ? ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି। 

ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, “ଇଡି ମୋତେ ଯାହା ପଚାରିଲେ ସବୁ ତଥ୍ୟ ଦେଇଛି। ମୋତେ ନ୍ୟାୟ ମିଳିବା ନେଇ ମୁଁ ଆଶାବାଦୀ ଅଛି।”

ନାଗୁଣୀ ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ରହସ୍ୟ ଭେଦିବା ପାଇଁ ଆକ୍ସନ ମୋଡ୍‌ରେ ଇଡି। ଖୋଳି ଚାଲିଛି ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗ। କଳାଧନ ଅର୍ଜନର କଳଙ୍କିତ ଅଧ୍ୟାୟର ଫିଟାଉଛି ଗୁମର। ସେହି ଖୋଳତାଡ଼ ଭିତରେ ଆଜି ସାମ୍ନାକୁ ଆସିଛନ୍ତି ଏହି ସିଣ୍ଡିକେଟ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା। ଯାହାଙ୍କ ଲିଙ୍କରେ ପର୍ଦ୍ଦାଫାସ ହୋଇଥିଲା ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍‌। ଆଜି ସକାଳୁ ସକାଳୁ ଇଡି ଅଫିସ୍‌ରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି। ଏହାର କିଛି ସମୟ ପରେ ପହଞ୍ଚିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଆଜି ଦ୍ୱିତୀୟ ଥର ପାଇଁ ଅକ୍ଷୟ ହାଜର ହୋଇଥିଲେ।

ସୂଚନା ଅନୁସାରେ ପୂର୍ବରୁ ରିମାଣ୍ଡରେ ଥିବା ଖଗେଶ୍ୱର ପାତ୍ରକୁ ବସାଇ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ଅର୍ଥାତ ତ୍ରିକୋଣୀୟ ଜେରା କରିଛି ଇଡି। ଅକ୍ଷୟ ପରିଜାଙ୍କୁ କେମିତି ଚିହ୍ନିଲେ ଶ୍ରଦ୍ଧାଞ୍ଜଳି ? ଅର୍ଚ୍ଚନାକୁ ମୋଟା ଅଙ୍କର ଟଙ୍କା ଦେଇଥିଲେ କି ଅକ୍ଷୟ? ଅକ୍ଷୟଙ୍କ ସହ ଆଉ କିଛି ଲିଙ୍କ ରହିଛି କି ? ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା କେତେ ଟଙ୍କା ଦେଉଥିଲା? ହନିଟ୍ରାପ୍‌ରେ କେବେଠୁ ବ୍ୟବହାର ହେଉଥିଲେ ଶ୍ରଦ୍ଧାଞ୍ଜଳି? ଅର୍ଚ୍ଚନାର ଆର୍ଥିକ କାରବାର ପଛର ସତ କଣ? କେଉଁଠୁ ଏତେ ସଂପତ୍ତି ଅର୍ଜିଲେ ନାଗ-ଚାନ୍ଦ ଦମ୍ପତି? ହନିଟ୍ରାପ୍ ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସାମିଲ ଅଛନ୍ତି? କେଉଁ ସବୁ ହାଇପ୍ରୋଫାଇଲ୍ ବ୍ୟକ୍ତି ଟଙ୍କା ଦେଇଛନ୍ତି? କାହା ମାଧ୍ୟମରେ ଅର୍ଚ୍ଚନା ପାଖକୁ ଟଙ୍କା ଆସୁଥିଲା? ଏଭଳି ମାଳ ମାଳ ପ୍ରଶ୍ନ ପଚାରି ୩ ଜଣଙ୍କଠାରୁ ଇଡ଼ି ତଥ୍ୟ ହାତେଇଥିବା କୁହାଯାଉଛି।

ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ ବିରୋଧରେ ବ୍ଲାକମେଲିଂ ଓ ହତ୍ୟା ଧମକ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା। ଏହାର କିଛିଦିନ ପରେ ବଦଳିଗଲା ମାମଲାର ମୋଡ଼। ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାକୁ ଯାଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ବିରୋଧରେ ହନିଟ୍ରାପ୍‌ ମାମଲାରେ ତାକୁ ମୋହରା କରାଯାଉଥିବା ଦର୍ଶାଇ ଏତଲା ଦେଇଥିଲେ। ସେହି ଏତଲା ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌। ପରେ ଖଗେଶ୍ୱରକୁ ବାନ୍ଧିଥିଲା ଇଡି। ତେବେ ଇଡ଼ିକୁ ଗତ କିଛିଦିନ ଧରି ଚକ୍‌ମା ଦେଇଥିବା ଶ୍ରଦ୍ଧାଞ୍ଜଳି। ସମନ ପାଇବା ପରେ ଆଜି ହାଜର ହୋଇଥିଲେ।

ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳିଙ୍କ ପରେ ଆସନ୍ତାକାଲି କାହାର ପାଳି? କିଏ ହାଜର ହେବେ ଇଡି କାର୍ଯ୍ୟାଳୟରେ? ଶୁଣିବାକୁ ମିଳୁଛି ଜଣେ ପ୍ରଭାବଶାଳୀ ରାଜନେତା ଆସନ୍ତାକାଲି ହାଜର ହୋଇପାରନ୍ତି। ତେବେ ତାଙ୍କ ନାଁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Related story