/odisha-reporter/media/post_attachments/uploads/2022/03/school.jpg)
school
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ପୌର ନିର୍ବାଚନ । ଏଥିନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ସୂଚନାଯୋଗ୍ୟ, ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବିଭିନ୍ନ ବୁଥ୍ ମୁହାଁ ହେବେ ପୋଲିଂ କର୍ମଚାରୀ । ଆଜି ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥରେ ପହଞ୍ଚିଯିବେ ବୋଲି ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ ।
ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ମୁତୟନ ରହିବେ । ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ମତଦାନ ଜାରି ରହିବ । ୧୦୬ ପୌରପାଳିକା, ଏନଏସି ଓ ୩ ମହାନଗର ନିଗମରେ ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର ମତଦାନ କରିବେ। ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ୍ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏଥର ଭୋଟ୍ ହେବ। ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପାଇଁ ୩୦ ପ୍ଲାଟୁନ ଫୋର୍ସ, କଟକ ମ୍ୟୁନିସିପାଲ କର୍ପୋରେସନ ପାଇଁ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାବାଦ ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ପ୍ରତି ବୁଥ୍ରେ ଜଣେ ଲେଖାଏ ହାବିଲଦାର, ନ ହେଲେ କନଷ୍ଟେବଳ ନ ହେଲେ ସଶସ୍ତ୍ର ପୁଲିସ୍ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
