ଆମ୍ବୁଲାନ୍ସ ସେବା ଯୋଗାଣରେ ପୁଣି ବିଭ୍ରାଟ: ରାସ୍ତାରେ ପ୍ରସବ କଲେ ମହିଳା

ଉମରକୋଟ: ପୁଣି ମିଳିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ପ୍ରସୂତୀଙ୍କୁ ରାସ୍ତାରେ ପ୍ରସବ କରିବାକୁ ପଡିଲା। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭାଲୁଡଙ୍ଗରୀ ଗାଁରୁ। ଭାଲୁଡଙ୍ଗରୀ ଗାଁର ରାଗୁ ଖୁଣ୍ଟାଙ୍କ ପତ୍ନୀ ରଙ୍ଗବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ପାଇଁ ପରିବାର ଲୋକେ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସି ନ ଥିଲା। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ରଙ୍ଗବତୀଙ୍କୁ ଏକ ଖଟିଆରେ ବୋହି କୁର୍ଷି ପ୍ରାଥମିକ ଚିକିତ୍ସାଳୟକୁ ନେଉଥିଲେ। ତେବେ ମହିଳାଙ୍କ […]

ambulance

Rakesh Mallick
  • Published: Sunday, 11 September 2016
  • , Updated: 12 September 2016, 07:03 AM IST

ଉମରକୋଟ: ପୁଣି ମିଳିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ପ୍ରସୂତୀଙ୍କୁ ରାସ୍ତାରେ ପ୍ରସବ କରିବାକୁ ପଡିଲା। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭାଲୁଡଙ୍ଗରୀ ଗାଁରୁ।

ଭାଲୁଡଙ୍ଗରୀ ଗାଁର ରାଗୁ ଖୁଣ୍ଟାଙ୍କ ପତ୍ନୀ ରଙ୍ଗବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ପାଇଁ ପରିବାର ଲୋକେ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସି ନ ଥିଲା। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ରଙ୍ଗବତୀଙ୍କୁ ଏକ ଖଟିଆରେ ବୋହି କୁର୍ଷି ପ୍ରାଥମିକ ଚିକିତ୍ସାଳୟକୁ ନେଉଥିଲେ। ତେବେ ମହିଳାଙ୍କ ପ୍ରସବ ବେଦନା ଅଧିକ ହେବା ସହ ଅଧା ବାଟରେ ରଙ୍ଗବତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ଉଭୟ ମା’ ଓ ଶିଶୁ ପୁତ୍ରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭବାନୀପାଟଣାରେ ଦାନ ମାଝିଙ୍କୁ ତାଙ୍କ ପତ୍ନୀର ଶବ ନେବାକୁ ଆମ୍ବୁଲାନ୍ସ ମିଳି ନ ଥିଲା। ଫଲରେ ସେ କାନ୍ଧରେ ତାଙ୍କ ପତ୍ନୀର ଶବକୁ ବୋହି ୧୦ କି.କି. ଚାଲି ଚାଲି ଆସିଥିଲେ। ଏହି ଘଟଣା ଓଟିଭିରେ ପ୍ରସାରିତ ହେବା ପରେ ସାରେ ଦେଶରେ ଏହାକୁ ନେଇ ଚହଳ ପଡିଥିଲା। ଏହି ଘଟଣାରେ ଦେଶ ନୁହେଁ ବିଦେଶରେ ମଧ୍ୟ ଓଡ଼ିଶାକୁ ଲଜ୍ଜିତ ହେବାକୁ ପଡିଛି।

ଚଳିତମାସ ୧୧ଦିନ ମଧ୍ୟରେ ରାଜ୍ୟର ନବରଙ୍ଗପୁର ଜିଲ୍ଲା ଘଟଣାକୁ ମିଶାଇ ୪ଟି ସ୍ଥାନରୁ ଆମ୍ବୁଲାନ୍ସ ସେବା ଯୋଗାଣକୁ ନେଇ ଅଭିଯୋଗ ଆସିଛି। ଗତ ୧ ତାରିଖରେ କଲ୍ୟାଣସିଂହପୁର ସିଙ୍ଗାରୀ ପଞ୍ଚାୟତ ପଳଖମଣ ଗାଁକୁ ଆମ୍ବୁଲାନ୍ସ ନ ଆସିବାରୁ ଜଣେ ମହିଳାଙ୍କୁ ରାସ୍ତାରେ ପ୍ରସବ କରିବାକୁ ପଡିଥିଲା। ଏହି ଘଟଣାର ପରଦିନ ଅର୍ଥାତ ୨ ତାରିଖରେ ମାଲକାନଗିରି ଜିଲ୍ଲା ଭୁଷୁପାଲୀ ଗାଁର ଦୀନବନ୍ଧୁ ଖେମୁଣ୍ଡାଙ୍କ ୭ ବର୍ଷର ଝିଅକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବେଳେ ନାୟକଗୁଡା ନିକଟରେ ଝିଅଟିର ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ଅମାନବୀତକାର ପରିଚୟ ଦେଇ ସେହିଠାରେ ମୃତ ଝିଅର ବାପା, ମାଆକୁ ଓହ୍ଲାଇ ଦେଇ ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ଗତ ୬ ତାରିଖରେ ଆମ୍ବୁଲାନ୍ସ ନ ଆସିବାରୁ ଶ୍ରୀକ୍ଷେତ୍ର ପୁରୀରେ ଜଣେ ରୋଗୀଙ୍କୁ ଟ୍ରଲିରେ ବୋହି ମେଡିକାଲ ନିଆଯାଉଥିବା ଦେଖିବାବୁ ମିଳିଥିଲା।

ସେହିପରି ଗତ ମାର୍ଚ୍ଚ ୨୦ ତାରିଖରେ ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡପଡ଼ା ଗାଁର ଜଣେ ମହିଳା ଘଷିପୁରା ବସ୍‌ଷ୍ଟାଣ୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଗତ ମେ’ ୨୨ ତାରିଖରେ ଜନନୀ ସୁରକ୍ଷା ଗାଡି ନ ଆସିବାରୁ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ମୁଖିବଡେଇ ଗାଁର ଜଣେ ମହିଳା ରାସ୍ତାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମର କିଛି ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ଘଟିଥିଲା।

ସେହି ମେ’ ମାସରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗୁଜିଆଗୁଡାରେ ଆମ୍ବୁଲାନ୍ସ ନ ଆସିବାରୁ ରାସ୍ତାରେ ଜଣେ ମହିଳା ପ୍ରସବ କରିଥିଲେ।

Related story