ଅନୁଗୋଳ (ବିରଜା ଦାସ): ଭୋର୍ ଭୋର୍ ଶୋଇଥିଲା ପୂରା ଗାଁ। ଚୁପ୍ଚାପ୍ ଥିଲା ପରିବେଶ। ଠିକ୍ ସେତିକି ବେଳେ ଉତ୍ପାତ କରୁଥିଲା ଗୋଠ ଛଡ଼ା ଏକ ମାଈ ହାତୀ। ଜଙ୍ଗଲକୁ ଫେରିବାର ବାଟ ନପାଇ ହୋଇଥିଲା ରକ୍ତ ମୁଖା। ଗାଁକୁ ଗାଁ ବୁଲିଥିଲା। ସମ୍ମୁଖରେ ଯାହାକୁ ପାଇଲା, ତାକୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ମାତ୍ର କେଇ ଘଣ୍ଟା ଭିତରେ ଗୋଠ ଛଡ଼ା ମାଈ ହାତୀଟି ୪ଟି ଗାଁରେ ନେଇଗଲା ୪ ଜଣଙ୍କ ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ଘଟିଛି ଅନୁଗୋଳ ବନଖଣ୍ଡରେ।
ହିନ୍ଦୋଳ ବନଖଣ୍ଡରୁ ଆସି ଅନୁଗୋଳ ବନଖଣ୍ଡରେ ଉତ୍ପାତ କରୁଥିଲେ ୨୫ଟି ହାତୀ। ସେମାନଙ୍କ ଭିତରୁ ଗୋଟିଏ ମାଈ ହାତୀ ଗୋଠ ଛଡ଼ା ହୋଇ ଯାଇଥିଲା। ସେହି ହାତୀଟି ଜଙ୍ଗଲକୁ ଫେରିବାର ରାସ୍ତା ନପାଇ ଆଜି ଭୋର ସମୟରେ ପ୍ରଥମେ ଛେଳିଆପଡ଼ା ଗାଁରେ ପଶିଥିଲା। ସେହି ସମୟରେ ନିଜ ପରିବା ଚାଷ ଜମି ଜଗିଥିଲେ ସୁବାସ ବିଶ୍ୱାଳ। ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା ହାତୀ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଛେଳିଆପଡା ଗାଁ ଲୋକଙ୍କ ହୋ-ହଲ୍ଲା ଯୋଗୁ ହାତୀଟି ଅଙ୍ଗାରବନ୍ଧ ଗ୍ରାମକୁ ପଳାଇ ଯାଇଥିଲା। ସେଠାରେ ହାତୀ ହାବୁଡ଼ରେ ପଡ଼ିଥିଲେ ପରିବା ଚାଷୀ ଅନିରୁଦ୍ଧ ସାହୁ। ସେ ଜମିରେ କାମ କରୁଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ତାଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରେ ହାତୀଟି ବାରାସିଂହା ଗାଁକୁ ଯାଇଥିଲା। ଶୌଚ ପାଇଁ ଯାଉଥିବା ବେଳେ ରମେଶ ସ୍ୱାଇଁଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ଅନ୍ୟପକ୍ଷରେ ମାଈ ହାତୀଟି ବାରାସିଂହା ଗାଁରୁ ସନ୍ତ୍ରୀ ଗ୍ରାମକୁ ଯାଉଥିବା ବେଳେ ଅଜୟ ସାମଲ ତା’ ହାବୁଡ଼ରେ ପଡ଼ି ଯାଇଥିଲେ। ଅଜୟଙ୍କୁ ସମ୍ମୁଖରେ ପାଇ ହାତୀ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ମେଡିକାଲ୍ରେ ଚିକିତ୍ସିତ ହେଉଥିବା ବେଳେ ରମେଶ ସ୍ୱାଇଁ ଓ ଅଜୟ ସାମଲଙ୍କ ମୃତ୍ୟୁ ଘଟିଥିଲା। ଗୋଟିଏ ଦିନରେ କେଇ ଘଣ୍ଟା ଭିତରେ ଗୋଟିଏ ହାତୀ ୪ଟି ଗାଁରେ ପଶି ୪ ଜଣଙ୍କୁ ଆକ୍ରମଣ କରି ମାରିଦେବା ଘଟଣା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଉତ୍ତ୍ୟକ୍ତ ଲୋକେ ସୁବାସ ବିଶ୍ୱାଳ, ଅନିରୁଦ୍ଧ ସାହୁ ଓ ରମେଶ ସ୍ୱାଇଁଙ୍କ ମୃତଦେହକୁ ଧରି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖକୁ ଆସିଥିଲେ। ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମୃତଦେହ ରଖି ସେମାନେ ପ୍ରତିବାଦ କରିଥିଲେ। ହାତୀ ଉପଦ୍ରବରୁ ଗାଁ ଲୋକଙ୍କୁ ସୁରକ୍ଷା, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ପରିବାରରେ ଜଣଙ୍କୁ ନିଯୁକ୍ତି ଓ କାର୍ଯ୍ୟରେ ଅବହେଳା କରିଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସେମାନେ।
ଖବର ପାଇ ଅନୁଗୋଳ ଡିଏଫ୍ଓ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରଜନୀ କାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଅନୁଗୋଳ ଉପଜିଲ୍ଲାପାଳ ବୈତୁରା ଜିତ ଓ ଏସ୍ଡିପିଓ ରମାକାନ୍ତ ମହାଳିକ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଥିଲେ। ଲୋକଙ୍କ ସହିତ ସେମାନେ ଆଲୋଚନା କରିଥିଲେ। ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍ରେ ଅଟଳ ରହିଥିଲେ। ବହୁ ବୁଝାବୁଝି ପରେ ଡିଏଫ୍ଓ ଗାଁ ଲୋକଙ୍କୁ ସୁରକ୍ଷା ଓ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ସେପଟେ ନରହନ୍ତା ମାଈ ହାତୀଟି ବଅଁରପାଳ ଅଞ୍ଚଳକୁ ପଳାଇ ଯାଇଛି। ବନ ବିଭାଗ ହାତୀଟିର ଗତିବିଧି ଉପରେ ନଜର ରଖିଛି।