Advertisment

Police SI Exam Scam: ଫସିବେ ଆଉ ୧୧୦ ଆଶାୟୀ, ଦୀଘାରେ ସେମାନଙ୍କ ପାଇଁ ହୋଇଥିଲା ବ୍ୟବସ୍ଥା; ଜାଣନ୍ତୁ, କ’ଣ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି

୧୧୪ ଜଣଙ୍କୁ ବିଜୟନଗରମ ନିଆଯାଉଥିଲା। ସେଠାରେ ସେମାନଙ୍କୁ ୪ ଦିନ ରଖି ସିଲେକ୍ଟଡ୍ ପ୍ରଶ୍ନ ଉପରେ କୋଚିଂ ଦିଆଯାଇଥା’ନ୍ତା।  ଆଉ ୧୧୦ ଜଣଙ୍କ ପାଇଁ ଦୀଘାରେ ରୁମ୍‌ ବୁକ୍ କରାଯାଇଥିଲା।

author-image
Jitendra Garnayak
DGC

କ୍ରାଇମବ୍ରାଞ୍ଚ ଡିଜି

ପୁଲିସ ଏସ୍‌ଆଇ ନିଯୁକ୍ତି ଘୋଟାଲା ମାମଲାରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା। ୧୧୪ ନୁହେଁ, ମୋଟ ୨୨୪ ଜଣ ଆଶାୟୀଙ୍କୁ ସିଲେକ୍ଟେଡ୍ ପ୍ରଶ୍ନ ଉପରେ ଦିଆଯାଇଥା’ନ୍ତା କୋଚିଂ। ୧୧୪ ଜଣଙ୍କୁ ବିଜୟନଗରମ ନିଆଯାଉଥିବା ବେଳେ ବାକି ୧୧୦ ଜଣଙ୍କ ପାଇଁ ପଶ୍ଚିମବଙ୍ଗର ଦୀଘାରେ ହୋଇଥିଲା ବ୍ୟବସ୍ଥା। ତେବେ ୧୧୪ ଜଣ ବସ୍‌ରେ ଯାଉଥିବା ବେଳେ ଧରାପଡ଼ିବା ପରେ ସବୁ ଫସର ଫାଟି ଯାଇଥିଲା। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।

Advertisment

ସେ କହିଛନ୍ତି, ୧୧୪ ଜଣଙ୍କୁ ବିଜୟନଗରମ ନିଆଯାଉଥିଲା। ସେଠାରେ ସେମାନଙ୍କୁ ୪ ଦିନ ରଖି ସିଲେକ୍ଟଡ୍ ପ୍ରଶ୍ନ ଉପରେ କୋଚିଂ ଦିଆଯାଇଥା’ନ୍ତା।  ଆଉ ୧୧୦ ଜଣଙ୍କ ପାଇଁ ଦୀଘାରେ ରୁମ୍‌ ବୁକ୍ କରାଯାଇଥିଲା। ବିଜୟନଗରମ ଦାୟିତ୍ୱରେ ଥିଲେ ମୁନା ମହାନ୍ତି ଥିବା ବେଳେ ଗିରଫ ଅରବିନ୍ଦ ଦାସକୁ ଦୀଘାର ଦାୟିତ୍ୱ ଦିଆଯାଇଥିଲା।

କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ଦୀଘାରେ ୧୧୦ ଜଣଙ୍କ ପାଇଁ ରୁମ୍ ବୁକ୍ କରାଯିବା ସହିତ ସେମାନଙ୍କ ଖାଇବା ପିଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କ ମଧ୍ୟରେ ଉତ୍ତର ଓଡ଼ିଶାର ପିଲା ବେଶୀ ଥିବେ। ଏହି ୧୧୦ ଜଣ ସେଠାରେ ୩୦ ତାରିଖ ସନ୍ଧ୍ୟାରେ ଏକାଠି ହୋଇଥା’ନ୍ତେ। ବିଜୟନଗରମ ଟିକେ ଦୂର ହେଉଥିବାରୁ ୧୧୪ ଜଣଙ୍କୁ ଗୋଟିଏ ଦିନ ଆଗରୁ ନିଆଯାଉଥିଲା। ଏହି ୧୧୪ ଜଣ ଅଟକ ହେବା ଖବର ମିଳିବା ପରେ ସେହି ୧୧୦ ଜଣ ଆଉ ବାହାରିଲେ ନାହିଁ। ଅରବିନ୍ଦ ଦାସ ପାଖରୁ କିଛି ପ୍ରୋଭିଜିଓନାଲ ସାର୍ଟିଫିକେଟ ମିଳିଛି। ତା’ ମୋବାଇଲ ସିଜ୍ କରାଯାଇଛି। ଯେହେତୁ ୧୧୪ ଜଣଙ୍କୁ ନେଇ ଯାଉଥିବା ବସ୍‌ଗୁଡ଼ିକୁ ଅଟକ କରାଯିବା ପରେ ସମସ୍ତଙ୍କୁ ଚାଟ୍ ଡିଲିଟ୍ କରିବାକୁ କୁହାଯାଇଥିଲା, ସେହି କ୍ରମରେ ଅରବିନ୍ଦ ଦାସ ମଧ୍ୟ ସବୁ ଚାର୍ଟ ଡିଲିଟ୍ କରି ଦେଇଛି। ସେଗୁଡ଼ିକୁ ରିକଭରୀ କରିବାକୁ ଆମକୁ ସମୟ ଲାଗିବ। 

Advertisment

ସେ କହିଛନ୍ତି, ଲାଞ୍ଚ ଦେବା ଏକ ଅପରାଧ। ଆଶାୟୀମାନେ ଏହି ଭୁଲ କରିଛନ୍ତି। ଆଶାୟୀ ଓ ଅଶାୟୀଙ୍କ ଅଭିଭାବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଆମକୁ ସହଯୋଗ କରନ୍ତୁ। ସେମାନେ ଯଦି ନିଜ ଆଡ଼ୁ ଆସିବେ, ତା’ହେଲେ ସେମାନେ ସାକ୍ଷୀ ହେବେ। ଯଦି ଆମେ ଧରିବୁ, ତା’ହେଲେ ସେମାନେ ଅଭିଯୁକ୍ତ ହେବେ।

କ୍ରାଇମବ୍ରାଞ୍ଚ ଡିଜିଙ୍କ ଏହି ମନ୍ତବ୍ୟରୁ ଜଣାପଡୁଛି ଦୀଘାକୁ ଯେଉଁ ୧୧୦ ଜଣ ଆଶାୟୀ ଯାଇଥା’ନ୍ତେ ସେମାନେ ମଧ୍ୟ ଆଇନର ପରିସର ଭୁକ୍ତ ହେବେ। ସମୟ ଲାଗିବ, କିନ୍ତୁ ସେମାନେ ଆଇନର ଫାସରୁ ଖସି ପାରିବେ ନାହିଁ। କାରଣ ସେମାନେ ବି ଲାଞ୍ଚ ଦେଇଛନ୍ତି। 

ଦୀଘା ନେଇ ଗୁଇନ୍ଦା ସୂଚନା ଥିଲା। ତେଣୁ ସେ ଦିଗରେ ତଦନ୍ତ କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। 

ମୁନା ସମେତ ୪ ଗିରଫ

ଏହି କ୍ରାଇମ ସିଣ୍ଡିକେଟ୍‌ର ଅନ୍ୟତମ ପ୍ରମୁଖ ବ୍ୟକ୍ତି କୁହାଯାଉଥିବା ମୁନା ମହାନ୍ତିକୁ ଆଜି ସକାଳେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତା’ ସହିତ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଉଛନ୍ତି ମୁନାର ସହଯୋଗୀ ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ ଓ ଅଭିମନ୍ୟୁ ଦୋରା। 

କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ମୁନା ମହାନ୍ତି ବସ୍ ବୁକ୍‌ କରିଥିଲା। ତା’ ମା’ଙ୍କ ଏକାଉଣ୍ଟରୁ ତୁଳସୀ ଟ୍ରାଭେଲ୍ସକୁ ୨ ଲକ୍ଷ ୩୦ ହଜାର ଟଙ୍କା ପେମେଣ୍ଟ କରାଯାଇଥିଲା। ମୁନା ମହାନ୍ତି ତା’ ସ୍କୋର୍ପିଓରେ ପିଲାଙ୍କୁ ଆଣି ଖଣ୍ଡଗିରି ଛକରେ ଛାଡ଼ୁଥିଲା। ସେହି ସ୍କର୍ପିଓକୁ କାଲି ଆମେ ଜବତ କରିଛୁ। ତା’ଛଡ଼ା ତା’ର ଦୁଇଟି ହାଇୱାକୁ ଅଟକ ରଖାଯାଇଛି। 

ଅଭିମନ୍ୟୁ ଦୋରା ଦଶପଲ୍ଲାର ଲୋକ। ସେ ଏହି ଅଭିଯୁକ୍ତମାନଙ୍କୁ (ମୁନା, ଶ୍ରୀକାନ୍ତ ଓ ସୌମ୍ୟା) ଲୁଚାଇ ରଖିଥିଲା। ପ୍ରମାଣ ନଷ୍ଟ କରିବାଠାରୁ ଆରମ୍ଭ କରି ମୁନା ଓ ଧରାପଡ଼ିଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ସବୁପ୍ରକାରେ ସହଯୋଗ କରୁଥିଲା ସେ। 

Accused
ମୁନା, ଶ୍ରୀକାନ୍ତ ଓ ଅଭିମନ୍ୟୁ

ସୌମ୍ୟା ପ୍ରିୟଦର୍ଶିନୀ ମାଧ୍ୟମରେ ବିଭିନ୍ନ ଆଶାୟୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଆଶାୟୀମାନେ ଗିରଫ ହେବା ପରେ ସେମାନଙ୍କ ବାପାମାନେ ତା’ ସହିତ ଯୋଗାଯୋଗ କରିଥିଲେ। ସୌମ୍ୟା ପ୍ରିୟଦର୍ଶିନୀ ଜରିଆରେ ଅଭିଭାବକମାନଙ୍କୁ ସାର୍ଟିଫିକେଟ ଫେରସ୍ତ କରାଯାଇଥିଲା। ମୁନା ମହାନ୍ତି ଓ ଅନ୍ୟ ଅଭିଯୁକ୍ତମାନଙ୍କ ନାଁ ଲୋକଲୋଚନକୁ ଆସିଯାଇଥିଲା। ତେଣୁ ମୁନା ମହାନ୍ତି ଓ ରିଙ୍କୁ ପ୍ରମୁଖ ସାମ୍ନାକୁ ଆସିବା ସ୍ଥିତିରେ ନଥିଲେ। ସେତେବେଳ ପର୍ଯ୍ୟନ୍ତ ଲୋକଲୋଚନକୁ ଆସି ନଥିବା ସୌମ୍ୟା ପ୍ରିୟଦର୍ଶିନୀଙ୍କ ମାଧ୍ୟମରେ ସମସ୍ତଙ୍କ ସାର୍ଟିଫିକେଟ ଫେରାଇ ଦିଆଯାଇଥିଲା। ସବୁ ପ୍ରମାଣ ନଷ୍ଟ କରିବାରେ ଏହି ମହିଳାଙ୍କ ହାତ ରହିଛି। ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ। ଦରକାର ହେଲେ ଅନ୍ୟମାନଙ୍କୁ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି। 

ଶଙ୍କର ପୃଷ୍ଟି କେଉଁଠି
ମୁନା ମହାନ୍ତି ଓ ଅରବିନ୍ଦ ଦାସ ରିପୋର୍ଟ କରୁଥିଲେ ଶଙ୍କର ପୃଷ୍ଟିକୁ। ଶଙ୍କର ପୃଷ୍ଟି ଦିଲ୍ଲୀରେ ବସି ପୂରା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲା। ଶଙ୍କର ପୃଷ୍ଟିକୁ ଧରିବାକୁ ପ୍ରୟାସ ଜାରି ରହିଛି। ତା’ ଷଡ଼ଯନ୍ତ୍ରରେ ଆଉ କିଛି ଲୋକ ଥାଇପାରନ୍ତି। ଯେତେ ଲୋକ ଏହି ଷଡ଼ଯନ୍ତ୍ରରେ ଥିବେ ସମସ୍ତେ ଗିରଫ ହେବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। 

ସେ କହିଛନ୍ତି, ସେପ୍ଟେମ୍ବର ୨୯ ତାରିଖରେ ରାତିରେ ଆଶାୟୀଙ୍କୁ ନେଇ ଯାଉଥିବା ବସ୍‌ଗୁଡ଼ିକୁ ଅଟକ ରଖାଯିବା ପରଠାରୁ ଶଙ୍କର ପୃଷ୍ଟିର ମୋବାଇଲ ଫୋନ୍ ସୁଇଚ୍‌ ଅଫ୍ ଅଛି। କେବଳ ସେ ନୁହେଁ, ଧରାପଡ଼ିଥିବା ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସେମାନଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲେ। ଆମ ପାଖରେ ଯାହା ପ୍ରମାଣ ଅଛି, ସେତେବେଳେ ଶଙ୍କର ରାଜ୍ୟ ବାହାରେ ଥିଲା। ସେ ଦିଲ୍ଲୀ ପାଖାପାଖି ଥିଲା। ସେ ଭଡ଼ା ନେଇ ରହୁଥିଲା। ତିନିଟି ଘର ମଧ୍ୟ ବଦଳାଇଛି। ତା’ପରେ ସେ ଦିଲ୍ଲୀ ଛାଡ଼ି ଦେଇଛି। କିନ୍ତୁ ସେ ବି ବହୁତ ଦିନ ଧରି ସୁରକ୍ଷିତ ରହିପାରିବ ନାହିଁ। ଆମେ ସମସ୍ତଙ୍କୁ ଆଇନର ପରିସରଭୁକ୍ତ କରିବୁ।  

ଏ ଗ୍ରୁପ୍‌ର ସଂପୃକ୍ତି ବିଭିନ୍ନ ପରୀକ୍ଷା ସହିତ ରହିଛି। ଶଙ୍କର ପୃଷ୍ଟିର ନିଜର କମ୍ପ୍ୟୁଟର ପରୀକ୍ଷା କେନ୍ଦ୍ର ଥିଲା। ଆଗରୁ ମଧ୍ୟ ସେ ବିଭିନ୍ନ ପରୀକ୍ଷାରେ ଗଡ଼ବଡ଼ କରିଥିବା ଆଶଙ୍କା ରହିଛି। ତାଙ୍କର ଆର୍ଥିକ ଦିଗର ତଦନ୍ତ କରାଯାଉଛି। ତାଙ୍କର ଜୀବନଶୈଳୀ ଓ ଆୟ ସନ୍ଦେହ ଘେରରେ ରହିଛି। ତା’ର ତଦନ୍ତ ହେବ। ତାଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେ ଅଳ୍ପ ବୟସର ଲୋକ। କିନ୍ତୁ ତାଙ୍କ ଆର୍ଥିକ ସ୍ଥିତି ଦେଖିଲେ ଲାଗୁଛି ତାହା ସାଧାରଣ ନୁହେଁ। ସେହି ଦିଗରେ ତଦନ୍ତ ପାଇଁ ଟିକେ ସମୟ ଲାଗିବ। 
ଶଙ୍କର ପୃଷ୍ଟି ଓ ଆଇଟିଆଇର ସିଧାସଳଖ ସଂପର୍କ ନଥିଲା। ଆଇଟିଆଇ ଟେଣ୍ଡର ଜରିଆରେ ସିଲିକନକୁ ଦେଇଥିଲା କାମ। ସିଲିକନ କାମ ଦେଇଥିଲେ ଶଙ୍କର ପୃଷ୍ଟିର ସଂସ୍ଥା ପଞ୍ଚ ସଫ୍ଟକୁ।