/odisha-reporter/media/media_files/2026/01/16/aravinda-2026-01-16-18-08-12.jpg)
ବିଧାୟକ ଅରବିନ୍ଦ ମହାପାତ୍ର
ବିଜେଡିରୁ ଗୁରୁବାର ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷର ସମ୍ବଳିତ ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି। ସେହିପରି ଏହି ଦୁଇ ନେତାଙ୍କ ନିଲମ୍ବନ ଆଦେଶ ସାମ୍ନାକୁ ଆସିବା ପରେ ଅତନୁ ସବ୍ୟସାଚୀ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ଦଳର ବରିଷ୍ଠ ନେତା ଗଣମାଧ୍ୟମ ସାମ୍ନାକୁ ଆସି ଏହା କାର୍ଯ୍ୟାନୁଷ୍ଠାନକୁ ଠିକ୍ ବୋଲି ଯୁକ୍ତି ବାଢ଼ିଥିଲେ। ‘ଦୁର୍ନୀତିଗ୍ରସ୍ତ’ ଓ ‘ବିଶ୍ୱାସଘାତକ’ଙ୍କ ପାଇଁ ଦଳରେ କୌଣସି ସ୍ଥାନ ନାହିଁ ବୋଲି ସେମାନେ କହିଥିଲେ। ତେବେ ‘ଦଳ ବିରୋଧୀ କାର୍ଯ୍ୟ’, ‘ଦୁର୍ନୀତିଗ୍ରସ୍ତ’ ଓ ‘ବିଶ୍ୱାସଘାତକ’ ଭଳି ଯେଉଁ ଅଭିଯୋଗ ଆସିଛି, ତାହାକୁ ଖଣ୍ଡନ କରିବା ସହିତ ସେସବୁକୁ ପ୍ରମାଣ କରିବାକୁ ବିଜେଡିକୁ ଖୋଲା ଆହ୍ୱାନ ଦେଇଛନ୍ତି ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର।
ସେ କହିଛନ୍ତି, ଦେଢ଼ ବର୍ଷ ହେଲାଣି ବିଧାୟକ ହୋଇଛି। ଯଦି ୩ଟି ଯାକ ବ୍ଲକକୁ ଦେଖିବେ, ତା’ହେଲେ କୌଣସିଠାରେ ଦୁର୍ନୀତି ହୋଇନାହିଁ। ମୋ ପାଖରେ ଅଖଣ୍ଡ କ୍ଷମତା ନାହିଁ ଯେ କୌଣସି ଦୁର୍ନୀତି କରିବି। ମୁଁ ଦୁର୍ନୀତିକୁ ସବୁବେଳେ ବିରୋଧ କରେ। ଏହି ଅଭିଯୋଗକୁ ମୁଁ ଆଦୌ ଗ୍ରହଣ କରୁ ନାହିଁ। ବ୍ୟକ୍ତିଗତ ଭାବେ ମୁଁ ବିଧାୟକ ହେଲା ପରେ ଗତ ୧୮ ମାସରେ ଭିତରେ କୌଣସି ଦୁର୍ନୀତି ହୋଇନାହିଁ। ଏନେଇ ମୁଁ ସମସ୍ତଙ୍କୁ ଖୋଲା ଆହ୍ୱାନ ଦେଉଛି। ଯଦି କେହି ପ୍ରମାଣ କରିପାରିବେ, ତା’ହେଲେ କରନ୍ତୁ।
ସେହିପରି ବିଶ୍ୱାସଘାତକତା ଭଳି ଅଭିଯୋଗକୁ ଖଣ୍ଡନ କରି ଅରବିନ୍ଦ କହିଛନ୍ତି, କାହା ସହିତ ବିଶ୍ୱାସଘାତ କରିଛି? ଏହାକୁ ମଧ୍ୟ ପ୍ରମାଣ କରିବାକୁ ପଡ଼ିବ। ଆମେ ଗଣତନ୍ତ୍ରରେ ଅଛୁ। ଯିଏ ଯେକୌଣସି କଥା କହିପାରିବେ। କିନ୍ତୁ ଯେତେବେଳେ କିଛି କଥା ଆପଣ କହିବେ, ତା’ହେଲେ ତାକୁ ପ୍ରମାଣ କରିବାକୁ ପଡ଼ିବ ଯେ ତାହା ଠିକ୍।
ସେ କହିଛନ୍ତି, ଗତ ୧୮ ମାସ ଭିତରେ କାହା ସହିତ ମୋର ଖରାପ ସଂପର୍କ ନାହିଁ। ବ୍ୟକ୍ତିଗତସ୍ତରରେ ସମସ୍ତଙ୍କ ସହିତ ଭଲ କଥାବାର୍ତ୍ତା ହୋଇଛି। ଦଳ ବିରୋଧୀ କାର୍ଯ୍ୟକୁ ମୁଁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରୁଛି। ଦଳର ଯାହା ବି କାର୍ଯ୍ୟକ୍ରମ ହୋଇଛି ସବୁଥିରେ ଯୋଗ ଦେଇଛି। ଦଳ କାହିଁକି ମୋତେ ନିଲମ୍ବନ କଲା, ତାହା ଦଳ କହିଲେ ଭଲ ହେବ। ମୋତେ କାରଣ ଦର୍ଶାଅ ନୋଟିସ୍ ବି ଦିଆଯାଇନି।
ଅରବିନ୍ଦ କହିଛନ୍ତି, ଯଦି ଦଳ ଅନୁଭବ କରୁଥିଲା ଯେ ସେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି, ଦୁର୍ନୀତି କରୁଛନ୍ତି ଓ ବିଶ୍ୱାସଘାତ କରିଛନ୍ତି, ତା’ହେଲେ ଆଗରୁ କାହିଁକି କହିଲେ ନାହିଁ। ଯଦି ଲୁଚାଛପା ଭାବେ ମୋ ବିରୋଧରେ କିଛି ଷଡ଼ଯନ୍ତ୍ର ହେଉଛି, ତା’ହେଲେ ଆଗାମୀ ଦିନରେ ତାହା ସାମ୍ନାକୁ ଆସିବ। ମୁଁ ଚାହିଁବି ଦଳ ତା’ର ଆଭିମୁଖ୍ୟ ତଥ୍ୟ ସହିତ ପ୍ରକାଶ କରୁ। ନିଲମ୍ବନ ଘଟଣାକୁ ନେଇ ମୁଁ ଆଦୌ ବ୍ୟସ୍ତ ବିବ୍ରତ ନୁହେଁ। ଏଇଟା ଗୋଟିଏ ଦଳୀୟ ଘଟଣା। ବର୍ତ୍ତମାନ ବି ମୁଁ ପାଟକୁରାର ବିଧାୟକ। ଏବେ ବି ମୁଁ ପାଟକୁରାବାସୀଙ୍କ ସହିତ ଯୋଡ଼ି ହୋଇ ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବି।
ମୁଖ୍ୟମନ୍ତ୍ରୀଙ୍କୁ ରାତି ଅଧରେ ଭେଟିବା କଥାକୁ ଖଣ୍ଡନ କରି ଅରବିନ୍ଦ ମହାପାତ୍ର କହିଛନ୍ତି, ଆମ ଅଞ୍ଚଳର ବିକାଶ ନେଇ କିଛି କାମ ଥିବାରୁ ଲୋକସେବା ଭବନ ଯାଇ ତାଙ୍କୁ ଭେଟିଥିଲି। ରାତି ଅଧରେ ମୁଁ କାହାକୁ ଭେଟିନି। ରାତି ଅଧରେ କାହିଁକି ଭେଟିବି?
କିଛି କାର୍ଯ୍ୟକ୍ରମରେ ଲାଗିଥିବା ବ୍ୟାନରେ ନବୀନ ପଟ୍ଟନାୟକଙ୍କ ଫଟୋ ନଥିବାରୁ ତାଙ୍କ ବିରୋଧରେ ଏଭଳି ଆକ୍ସନ ନିଆଯାଇଛି ବୋଲି ଆଲୋଚନା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ଅରବିନ୍ଦ କହିଛନ୍ତି, ଏହା ଭୁଲ କଥା। ଆମେ ଯାହା ସବୁ କାର୍ଯ୍ୟକ୍ରମ କରିଛୁ, ସବୁ ପାର୍ଟି ବ୍ୟାନରରେ ହୋଇଛି। ଏହା ଭୁଲ ତଥ୍ୟ। ମୋ ତରଫରୁ କେବେ ଏମିତି ଭୁଲ ହୋଇନି। ସେହିଭଳି ବାପାଙ୍କୁ ମୋ ସହିତ ଯୋଡ଼ିବା ଭୁଲ୍ ହେବ। ବାପା ଆଗରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିଲେ। ବିଭିନ୍ନ ଲୋକଙ୍କ ସହିତ ଆଲୋଚନା କରୁଥିଲେ। ଏବେ ସେ ଏହା କରୁଛନ୍ତି ଓ ଆଗକୁ ବି କରିବେ। ସେ ତାଙ୍କ କର୍ତ୍ତବ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ଏକାଧିକ ସମୟରେ BJD ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ନିଳମ୍ବନକୁ ନେଇ କେହି ଆଶ୍ଚର୍ଯ୍ୟ ହୋଇନାହାନ୍ତି। ଏହା କେବେ ନା କେବେ ଘଟିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପ୍ରାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିରୁ ଅନେକ ବିଜେଡି ନେତା ବି ବାଦ୍ ପଡ଼ିନାହାନ୍ତି ବୋଲି କୁହାଯାଉଛି। କିନ୍ତୁ ତାଙ୍କ ନିଲମ୍ବନ ପଛର ପ୍ରକୃତ ଗୁମର ଏଯାଏ ଖୋଲିପାରିନି। କେବଳ ଏହାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି। ସେଥିରୁ ଗୋଟିଏ ହେଉଛି, ତାଙ୍କ ବାପା ବିଜୟ ମହାପାତ୍ରଙ୍କୁ ନେଇ। ସେ ହଠାତ୍ ଅଧିକ ସକ୍ରିୟ ହେବା ଓ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଜୁ ଅନୁଗତମାନଙ୍କୁ ଭେଟିବା ଘଟଣାକୁ ବିଜେଡି ସହଜରେ ହଜମ କରିପାରିନି ବୋଲି କୁହାଯାଉଛି। ଏହା ବିଜେଡିରେ ବଢୁଥିବା ଅସନ୍ତୋଷ ଓ ଆଭ୍ୟନ୍ତରୀଣ କନ୍ଦଳକୁ ବଢ଼ାଇପାରେ ବୋଲି ଦଳ ଅନୁଭବ କରୁଥିଲା। ତେଣୁ ବିଜୟଙ୍କୁ ଚେକ୍ ଦେବାକୁ ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
