ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରାତି ପ୍ରାୟ ୧୨ଟା ହେବ। ହାତରେ ଦେଶୀ ବନ୍ଧୁକ ଧରି ଜଣେ ଯୁବକ ବୁଲୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଏକ ଖମ୍ୱରେ ବାନ୍ଧି ପକାଇ ଥିଲେ। ପରେ ତାଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଅଞ୍ଚଳରୁ।
ବ୍ରାହ୍ମଣୀଡୁଙ୍ଗୁରୀ ଗାଁର ନିବ ନିର୍ବାଚିତ ସମିତିସଭ୍ୟ ଦେବାଶିଷ ଦାସ ଓ ଅନ୍ୟ ତିନି ଜଣ ସାଥୀ ମିଶି ଶୁକ୍ରବାର ରାତିରେ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ। ସେମାନେ ଚାଷ ଜମିରୁ ଘରକୁ ଫେରିଲା ବେଳେ ରାତି ପ୍ରାୟ ୧୨ଟା ହେବ। ଠିକ୍ ସେହି ସମୟରେ ପଡ଼ୋଶୀ ପଞ୍ଚାୟତର ଗଡ଼ଶଙ୍କର ଡୁଙ୍ଗୁରୀପାଲି ଗାଁର ଶତ୍ରୁଘ୍ନ ପଧାନ ହାତରେ ଦେଶୀ ବନ୍ଧୁକ ଧରି ବ୍ରାହ୍ମଣୀଡୁଙ୍ଗୁରୀ ଗାଁରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଆଉ ଦେବାଶିଷଙ୍କୁ ଦେଖି ହାତରେ ଧରିଥିବା ବନ୍ଧୁକରେ ଗୁଳି ଲୋଡ୍ କରିଥିଲେ। ଏହା ଦେଖି ଦେବାଶିଷଙ୍କ ସାଥୀମାନେ କୌଶଳକ୍ରମେ ପଛ ପାର୍ଶ୍ୱରୁ ଯାଇ ଶତୃଘ୍ନକୁ କାବୁ କରିନେଇଥିଲେ। ତା’ପରେ ଗାଁ ଲୋକଙ୍କୁ ଡାକିଥିଲେ। ଗାଁ ଲୋକେ ଶତୃଘ୍ନକୁ ଏକ ଖମ୍ୱରେ ବାନ୍ଧି ଦେବା ସହ ନିର୍ଧୁମ୍ ଛେଚିଥିଲେ।
ବିଳମ୍ୱିତ ରାତିରେ ବଲାଙ୍ଗିର ସଦର ଥାନା ପୁଲିସ ଖବର ପାଇ ବ୍ରାହ୍ମଣୀଡୁଙ୍ଗୁରୀ ଗାଁରେ ପହଞ୍ଚିଥିଲା। ଖମ୍ୱରେ ବନ୍ଧା ହୋଇଥିବା ଶତ୍ରୁଘ୍ନକୁ ଉଦ୍ଧାର କରି ଥାନାକୁ ଆଣିଥିଲା। ପୁଲିସ ଜେରା ବେଳେ ବାର୍ହା ଶିକାର କରିବାକୁ ଯାଉଥିବା ଶତ୍ରୁଘ୍ନ ସ୍ୱୀକାର କରିଥିଲା। ହେଲେ ନିର୍ବା ନିର୍ବାଚିତ ସମିତି ସଭ୍ୟ ଦେବାଶିଷ କହିଛନ୍ତି, ମୋତେ ମାରିବା ପାଇଁ ସେ ଆମ ଗାଁକୁ ଆସିଥିଲା। ଏନେଇ ତାଙ୍କ(ଶତ୍ରୁଘ୍ନ) ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦେବାଶିଷ। ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।