ଚିତ୍ରକୋଣ୍ଡା( ରତ୍ନାକର ପ୍ରଧାନ): ବାଲିମେଳା ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଙ୍କେତ ପାଖାପାଖି ରହିଛି। ତେଣୁ ଭୟ ଓ ଆଶଙ୍କାରେ ରହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।
ବାଲିମେଳା ଜଳଭଣ୍ଡାର ଜଳ ଧାରଣ କ୍ଷମତା ସର୍ବନିମ୍ନ ୧୫୧୪ଫୁଟରୁ ସର୍ବୋଚ୍ଚ୧୫୧୬ଫୁଟ ରହିଥାଏ। ବର୍ତ୍ତମାନ ଏହା ୧୫୧୫ ଫୁଟ ଉଚ୍ଚତାକୁ ଛୁଇଁଛି। ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିବାରୁ ସ୍ୱାଭିମାନ ଅଂଚଳରେ ଥିବା ଗୁରୁପ୍ରିୟା ସେତୁର ବେରିଙ୍ଗ ଓ ସ୍ଲାବ ପାଣି ଛୁଇଁବାର ସମ୍ଭାବନା ଦେଖାଦେଇଛି । ଜଳସ୍ତର ନ କମିଲେ ଗୁରୁପ୍ରିୟା ସେତୁର ବେରିଙ୍ଗରେ ପାଣି ପଶି ବେରିଙ୍ଗ ନଷ୍ଟ ହେବା ସହ ସେତୁର ସୁରକ୍ଷା ନେଇ ଆଶଙ୍କା ଦେଖାଦେବ । ଅନ୍ୟପଟେ ଜମିରେ ପାଣି ପଶି ଫସଲ ନଷ୍ଟ ହେବା ସହ ନଦୀ କୂଳିଆ ଘରେ ପାଣି ପଶିଛି ଓ ଜାନବାଇଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି ।