ଆଧାର ନଥିଲେ ବି ହିତାଧିକାରୀଙ୍କୁ ମିଳିବ ଭତ୍ତା ଓ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଜୀବନଜୀବିକା ବାଧାପ୍ରାପ୍ତ ହୋଇଥିବାବେଳେ ‘ଆଧାର କାର୍ଡ ’ ନଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ମାସିକ ଭତ୍ତା ମିଳିବ। ଏହାସହିତ ରାଜ୍ୟ ସରକାର ପ୍ରତ୍ୟେକ ହିତାଧିକାରୀଙ୍କୁ ଅତିରିକ୍ତ ଏକ ହଜାର ଟଙ୍କାର କୋଭିଡ୍ ସହାୟତା ମଧ୍ୟ ଯୋଗାଇ ଦେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବା ସହ ଆଧାର କାର୍ଡ ନ ଥିବା […]

old-age

Manoranjan Sial
  • Published: Thursday, 27 August 2020
  • , Updated: 28 August 2020, 07:10 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଜୀବନଜୀବିକା ବାଧାପ୍ରାପ୍ତ ହୋଇଥିବାବେଳେ ‘ଆଧାର କାର୍ଡ ’ ନଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ମାସିକ ଭତ୍ତା ମିଳିବ। ଏହାସହିତ ରାଜ୍ୟ ସରକାର ପ୍ରତ୍ୟେକ ହିତାଧିକାରୀଙ୍କୁ ଅତିରିକ୍ତ ଏକ ହଜାର ଟଙ୍କାର କୋଭିଡ୍ ସହାୟତା ମଧ୍ୟ ଯୋଗାଇ ଦେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବା ସହ ଆଧାର କାର୍ଡ ନ ଥିବା ହିତାଧିକାରୀଙ୍କୁ ତୁରନ୍ତ ତାହା ଯୋଗାଇବା ନିମନ୍ତେ ବ୍ଲକ୍ ଓ ପୌର ପ୍ରଶାସନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କରଜ୍ୟୋତି ଶର୍ମା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ‘ଆଧାର’ ନଥିବା ଯୋଗୁ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ପେନସନରୁ ବଂଚିତ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି କେହି ବଂଚିଛନ୍ତି ଓ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ ହେଉଛନ୍ତି ତା’ହେଲେ ଆଧାର ନଥିବା ଯୋଗୁ ତାଙ୍କୁ ପେନସନରୁ ବଂଚିତ ରଖାଯାଇ ପାରିବ ନାହିଁ। ସ୍ଥାନୀୟ ପ୍ରଶାସନ ଏଭଳି ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆସନ୍ତା ଭତ୍ତା ବଣ୍ଟନ ପୂର୍ବରୁ ଆଧାର କାର୍ଡ ଯୋଗାଇ ଦେବାକୁ ପଦକ୍ଷେପ ନେବେ। ଏକ ୱେବ ଆଧାରିତ ସିଷ୍ଟମରେ ଥିବା ତଥ୍ୟକୁ ଆଧାର କରି ହିତାଧିକାରୀଙ୍କୁ ସହାୟତା ଦେବାକୁ କୁହାଯାଇଛି। ବିଭାଗର ୱେବସାଇଟରେ ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ଡାଟାବେସ ରହିଛି। ଯେଉଁ ହିତାଧିକାରୀମାନଙ୍କର ଆଧାର ନାହିଁ ସେମାନଙ୍କର ନାଁ ମଧ୍ୟ ରହିଛି। ତେଣୁ ପୌର ଓ ବ୍ଲକ କତ୍ତୃପକ୍ଷ ଏଭଳି ହିତାଧିକାରୀଙ୍କଠୁ ଦରଖାସ୍ତ ଓ ଅନ୍ୟାନ୍ୟ ଦସ୍ତାବିଜ ସଂଗ୍ରହ କରି ଆସନ୍ତା ମାସରେ ଭତ୍ତା ବଣ୍ଟନବେଳେ ସେମାନଙ୍କୁ ଯୋଗାଇଦେବେ।

କେବଳ ସେତିକି ନୁହେଁ, ଯେଉଁମାନେ ଦୃଷ୍ଟିହୀନ,କୁଷ୍ଠରୋଗୀ, ମାନସିକ ଭିନ୍ନକ୍ଷମ ଓ ଅଧିକ ବୃଦ୍ଧ ସେମାନଙ୍କ ଆଧାର ନମ୍ବର ପ୍ରସ୍ତୁତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ଆଧାର ନଥିବା ହିତାଧିକାରୀଙ୍କୁ ଦିଆଯାଉଥିବା ପେନସନର ସମସ୍ତ ତଥ୍ୟକୁ ସଂଗ୍ରହ କରି ଇ-ମେଲ୍ ଓ ୱେବପୋର୍ଟାଲ ମାଧ୍ୟମରେ ପଠାଇବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଆଧାର କାର୍ଡ ନଥିବା ଯୋଗୁ ଗରିବ ଯୋଗ୍ୟ ହିତାଧିକାରୀମାନେ ନିଜର ମାସିକ ପେନସନ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଯାହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ ଉଭୟ ଯୋଜନାରେ ପ୍ରାୟ ୪୯ଲକ୍ଷ ହିତାଧିକାରୀ(ବାର୍ଦ୍ଧକ୍ୟ,ବିଧବା, ଭିନ୍ନକ୍ଷମ) ମାସିକ ଭତ୍ତା ପାଉଛନ୍ତି।

Related story