ମୋତେ ଛାଡ଼, ଏସବୁ ପୁଲିସ୍ ବାବୁ ବାରିକ ସାର୍ଙ୍କ ମଦ…
ଓଡ଼ିଶା ପୁଲିସ୍ର ଜଣେ କନେଷ୍ଟବଳ ଚଳାଇଥିଲେ ନକଲି ମଦ କାରଖାନା
ବ୍ରହ୍ମପୁର(ଜଗନ୍ନାଥ ସାହୁ): ମୋତେ ଛାଡ଼, ଏସବୁ ପୁଲିସ୍ ବାବୁ ବାରିକ ସାରଙ୍କ ମଦ…। ଜଣେ ଅଟୋ ଡ୍ରାଇଭରଙ୍କଠାରୁ ଏପରି କଥା ଶୁଣିବା ପରେ ପୁଲିସ୍ ହୋସ୍ ଉଡି ଯାଇଥିଲା। ଆଉ ତା’ପରେ ପୁଲିସ୍ ପହଞ୍ଚିଥିଲା ପୁଲିସ୍ ରିଜର୍ଭ ପୁଲିସ୍ର ବୋମା ସ୍କ୍ୱାଡରେ କାମ କରୁଥିବା କନ୍ଷ୍ଟେବଳ ଚିନିମିନି ବାରିକଙ୍କ ପାଖରେ। ଖାଲି ପହଞ୍ଚିନଥିଲା, ତାଙ୍କୁ ଗିରଫ କରିବା ସହିତ ତାଙ୍କ ନକଲି ମଦ କାରଖାନାରେ ଚଢ଼ଉ କରିଥିଲା।
ପୂରା ଘଟଣାଟି ଏମିତି। ଶୁକ୍ରବାର ଏକ ଅଟୋରେ କିଛି ନକଲି ବିଦେଶୀ ମଦ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଖବର ପାଇ ବଡ଼ବଜାର ଥାନା ପୁଲିସ ଉକ୍ତ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଅଟୋରୁ ନକଲି ମଦ ବାହାରି ଥିଲା। ପୁଲିସ୍ ନକଲି ମଦ ଜବତ କରିବା ସହ ଡ୍ରାଇଭରକୁ ପଚରା ଉଚରା କରିଥିଲା। ସେହି ସମୟରେ ଅଟୋ ଚାଳକ ରନୋଜ ଦାସ କହିଥିଲା, ଏହି ମଦ ପୁଲିସ୍ ବାବୁ ବାରିକ ସାରଙ୍କର। ଅଟୋ ଚାଳକଙ୍କ ବୟାନ ଆଧାରରେ ପୁଲିସ୍ ରିଜର୍ଭ ପୁଲିସ୍ର ବୋମା ସ୍କ୍ୱାଡରେ କାମ କରୁଥିବା କନ୍ଷ୍ଟେବଳ ଚିନିମିନି ବାରିକଙ୍କ ପାଖରେ ପହଞ୍ଚିଥିଲା।
ସେଦିନ ଚିନିମିନି ବାରିକ ଅଫିସିଆଲ୍ ଡାକ ନେଇ ଭୁବନେଶ୍ୱର ଯାଇଥିବା ପୁଲିସ୍ ଜଣିବାକୁ ପାଇଥିଲା। ତାଙ୍କ ଫେରିବା ପର୍ଯ୍ୟନ୍ତ ପୁଲିସ୍ ଅପେକ୍ଷା କରିନଥିଲା। ଶୁକ୍ରବାର ରାତିରେ ସେ ଭୁବନେଶ୍ୱରରୁ ଫେରୁଥିବା ବେଳେ ରାସ୍ତାରୁ ପୁଲିସ୍ ତାଙ୍କୁ ଉଠାଇ ନେଇଥିଲା।
ସେପଟେ ଅଟୋ ଚାଳକଙ୍କ ବୟାନ୍ ଆଧାରରେ ପୁଲିସ୍ ଦିଗପହଣ୍ଡି ଥାନା ଲଙ୍ଗଳଦେଇ ହନୁମାନ ନଗରରେ ଥିବା ଚିନିମିନିଙ୍କ ନକଲି ମଦ କାରଖାନାରେ ଚଢ଼ଉ କରିଥିଲା। ପୁଲିସ୍ ସେଠାରେ ୪୦୪ଟି ନକଲି ବିଦେଶୀ ମଦ ବୋତଲ, ଖାଲି ମଦ ବୋତଲ, ଦୁଇ ଲିଟର ସ୍ପିରିଟ୍, ଏକ ଲିଟର ପୋଚ, ୬୦ଟି ବିଭିନ୍ନ ବ୍ରାଣ୍ଡର ଲେବୁଲ୍ ଜବତ କରିଥିଲା। ଏହି ଅଭିଯୋଗରେ ଡ୍ରାଇଭର ରନୋଜ ଦାସ, ମଦ କାରଖାନାର କର୍ମଚାରୀ ବାବୁ ସାହୁଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପୁଲିସ୍ ଚିନିମିନିଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ସେଠାରେ କେତେଦିନ ଧରି ଚାଲିଥିଲା ମଦ କାରଖାନା? ତାଙ୍କ ସହ ଆଉ କିଏ କିଏ ଏହି କାରବାରରେ ସମ୍ପୃକ୍ତ ଅଛନ୍ତି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସଡିପିଓ ବିଷ୍ଣୁ ପ୍ରସାଦ ପତି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।