Advertisment

Murder: ପୀତବାସ ପଣ୍ଡା ହତ୍ୟା ମାମଲା; ବ୍ରହ୍ମପୁରର ସରକାରୀ ଓକିଲଙ୍କ ଉପରେ ପୁଲିସର ଭରସା ପାଇଲାନି କି? ଦୁଇ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ପାଇଁ ଚିଠି

ବିକ୍ରମ ପଣ୍ଡାଙ୍କ ପକ୍ଷରୁ ମାମଲା ଲଢ଼ିବା ପାଇଁ ୪୪ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଥିବା ବେଳେ ବ୍ରହ୍ମପୁର ପୁଲିସ ହାଇକୋର୍ଟର ଦୁଇ ଜଣ ଆଡ୍‌ଭୋକେଟ୍‌ଙ୍କୁ ସ୍ୱତନ୍ତ୍ର ଓ ସହକାରୀ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେବାକୁ ଚିଠି ଲେଖିଛି।

Advocate

ଆଡ୍‌ଭୋକେଟ୍ କାଳିଚରଣ ମିଶ୍ର ଓ ଅବିନାଶ ପାଢ଼ୀ

Advertisment

ବହୁ ଚର୍ଚ୍ଚିତ ଓକିଲ ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା ପାଇଁ ଓଡ଼ିଶା ହାଇକୋର୍ଟର ଦୁଇ ଜଣ ଆଡଭୋକେଟ୍‌ଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେବାକୁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସ୍‌ପି। 

Advertisment

ଆଡ୍‌ଭୋକେଟ୍ କାଳିଚରଣ ମିଶ୍ର (ସିବିଆଇର ଅବସରପ୍ରାପ୍ତ ଅତିରିକ୍ତ ଆଇନ ପରାମର୍ଶଦାତା)ଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଓ ଆଡ୍‌ଭୋକେଟ୍ ଅବିନାଶ ପାଢ଼ୀଙ୍କୁ ସହକାରୀ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତ କରିବାକୁ ଯଥାଶୀଘ୍ର ଗୃହ ବିଭାଗର ଅନୁମତି ଆଣିବାକୁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସ୍‌ପି।

ଚିଠିରେ ଏସ୍‌ପି ଲେଖିଛନ୍ତି ଯେ ଆଡ୍‌ଭୋକେଟ୍ ପୀତବାସ ପଣ୍ଡା ହତ୍ୟା ଘଟଣାରେ ୧୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ତଦନ୍ତ ଜାରି ରହିଛି। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ଜଣେ ଅଭିଜ୍ଞ ସ୍ୱତନ୍ତ୍ର ସରକାରୀ ଓକିଲ ଲଢ଼ିବାର ଆବଶ୍ୟକତା ରହିଛି। ଓଡ଼ିଶା ହାଇକୋର୍ଟର ଆଡ୍‌ଭୋକେଟ୍‌ କାଳିଚରଣ ମିଶ୍ର ସିବିଆଇରେ ବିଭିନ୍ନ ପଦପଦବୀ- ସରକାରୀ ଓକିଲ, ବରିଷ୍ଠ ସରକାରୀ ଓକିଲ, ଉପ ଆଇନ ପରାମର୍ଶଦାତା ଓ ଅତିରିକ୍ତ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରି ସାରା ଦେଶରେ ଅନେକ ସମ୍ବେଦନଶୀଳ ମାମଲା ଲଢ଼ିଛନ୍ତି। ବ୍ରହ୍ମପୁର କୋର୍ଟରେ ସେ ଏହି ମାମଲା ଲଢ଼ିବା ପାଇଁ ତାଙ୍କର ସମ୍ମତି ପ୍ରଦାନ କରିଛନ୍ତି। ସେହିପରି ଏହି ମାମଲାରେ କାଳିଚରଣ ମିଶ୍ରଙ୍କ ସହାୟତା କରିବା ପାଇଁ ସହକାରୀ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ କାର୍ଯ୍ୟ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟର ଆଡ୍‌ଭୋକେଟ୍‌ ଅବିନାଶ ପାଢ଼ୀ। 

Advertisment

ଏହା ସହିତ ଏହି ଦୁଇ ଆଡ୍‌ଭୋକେଟଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେବା ପାଇଁ ଗୃହ ବିଭାଗରୁ ଯଥାଶୀଘ୍ର ଅନୁମତି ଆଣିବାକୁ ବ୍ରହ୍ମପୁର ଏସ୍‌ପି ଚିଠିରେ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି।

କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ ବ୍ରହ୍ମପୁର ଏସ୍‌ପି ଲେଖିଥିବା ଚିଠିକୁ ଡିଜିପିଙ୍କ ନିକଟକୁ ପଠାଯିବ। ତାଙ୍କଠାରୁ ଅନୁମତି ମିଳିବା ପରେ ଚିଠିଟିକୁ ସରକାରଙ୍କ ପାଖକୁ ପଠାଯିବ। 

ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଗିରଫ ହୋଇଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ମୁଁ ଭାବୁଛି ବ୍ରହ୍ମପୁରରେ ଥିବା ସମସ୍ତ ସରକାରୀ ଓକିଲଙ୍କ ଉପରେ ପୁଲିସର ଭରସା ନାହିଁ। ସେଥିପାଇଁ ଏହି ମାମଲାର ପରିଚାଳନା ପାଇଁ ପୁଲିସ ହାଇକୋର୍ଟର ଦୁଇ ଜଣ ଆଡ୍‌ଭୋକେଟ୍‌ଙ୍କୁ ଯଥାକ୍ରମେ ସ୍ୱତନ୍ତ୍ର ସରକାରୀ ଓକିଲ ଓ ସହକାରୀ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେବାକୁ ଚିଠି ଲେଖିଛି। ମୋର ପ୍ରଶ୍ନ-  ଆଜି ପର୍ଯ୍ୟନ୍ତ ବ୍ରହ୍ମୁପର ପୁଲିସ ଯେତିକି କେସ୍ ଦେଇଛି, ଚାର୍ଜଶିଟ୍ ଦେଇଛି ଓ ଯେଉଁ କେସ୍ ଚାଲିଛି, ଏଥିରେ ଦଣ୍ଡ ହେଉଛି ଓ ଖଲାସ ବି ହେଉଛି। ସେହି ଓକିଲମାନେ କ’ଣ ନିକମ୍ମା ଥିଲେ କି? 

ସେ ଆହୁରି କହିଛନ୍ତି, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଆଜି ୩୧ ତାରିଖ ହେଲାଣି। କିନ୍ତୁ ଯିଏ ଗୁଳି କରିଛି, ତାଙ୍କୁ ପୁଲିସ ଆଜି ପର୍ଯ୍ୟନ୍ତ ଧରିପାରିନି। ଘଟଣାର କେହି ପ୍ରତ୍ୟକ୍ଷ ସାକ୍ଷୀ ନାହାନ୍ତି। କେବଳ ପାରିପାର୍ଶ୍ୱିକ ପ୍ରମାଣକୁ ଆଧାର କରି ପୁଲିସ କେସ୍ କରିଛି। ଯେତେବେଳ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନି, ଅନ୍ୟମାନଙ୍କୁ ଧରିବାର କାରଣ କ’ଣ? ଏମିତି ଏକ କୁହେଳିକା ଭିତରେ କେସ୍ କରାଯାଏନି। ଯଦି କାଲି ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଯିବ ଓ ଏ ମାମଲାରେ ଏମାନେ (ଗିରଫ ଅଭିଯୁକ୍ତମାନେ) ନୁହନ୍ତି, ଅନ୍ୟମାନେ ସଂପୃକ୍ତ ଅଛନ୍ତି ବୋଲି କହିବେ, ତା’ହେଲେ କ’ଣ ହେବ? ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବା ପୂର୍ବରୁ ଅନ୍ୟମାନଙ୍କୁ ପୁଲିସ କେଉଁ ଆଧାରରେ ଏହି ମାମଲାରେ ଯୋଡ଼ିଛି, ତାହା ଚାର୍ଜଶିଟ୍ ଦାଖଲ ହେଲା ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ବିକ୍ରମ ପଣ୍ଡାଙ୍କ ପକ୍ଷରୁ ମାମଲା ଲଢ଼ିବା ପାଇଁ ୪୪ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି।

ପୁଲିସ ସ୍ୱତନ୍ତ୍ର ସରକାରୀ ଓକିଲ ପାଇଁ ଚିଠି ଲେଖିବା କଥାକୁ ସ୍ୱାଗତ କରିଛନ୍ତି ମୃତ ପୀତବାସ ପଣ୍ଡାଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା। ସେ କହିଛନ୍ତି, ବିକ୍ରମଙ୍କ ପାଇଁ ୪୪ ଓକିଲ ଲଢ଼ିବାକୁ ନେଇ ଆମେ ବିବ୍ରତ ନାହୁଁ। ପୁଲିସ ଉପରେ ଆମର ପୂର୍ଣ୍ଣ ଭରସା ରହିଛି । ମାମଲାର ପରିଚାଳନା ପାଇଁ ହାଇକୋର୍ଟର ୨ ବରିଷ୍ଠ ଓକିଲଙ୍କୁ ନିୟୋଜିତ କରିବାକୁ ଏସ୍‌ପି ଚିଠି ଲେଖିଥିବାରୁ ପରିବାର ତରଫରୁ ଧନ୍ୟବାଦ ଦେଉଛୁ । କେହି ୪୪ କି ୫୦ ଓକିଲ ଲଗାଇଦେଲେ କେସ୍‌ ଷ୍ଟ୍ରଙ୍ଗ ହୋଇଯାଏନି, କେସ୍‌ ଷ୍ଟ୍ରଙ୍ଗ ହୁଏ ଚାର୍ଜସିଟ୍‌ରୁ। 

୨ ମୁଖ୍ୟ ଅଭିଯୁକ୍ତ ଏଯାଏ ଫେରାର
ପୀତବାସ ପଣ୍ଡାଙ୍କୁ କୁରୁପତି ଭୂୟାଁ ଗୁଳି କରିଥିଲା ବୋଲି ପୁଲିସ କହିଛି। କିନ୍ତୁ ସେ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ। ପୀତବାସଙ୍କୁ ହତ୍ୟା କରିବା ପରେ ଚିଣ୍ଟୁ ପ୍ରଧାନ ଓ ସେ ପୁରୀ ଚାଲିଯାଇଥିଲା। ସେଠାରୁ କୋରାପୁଟର ଜୟପୁର ଯାଇ ବିକ୍ରମ ପଣ୍ଡାଙ୍କ ଜଣେ ସହଯୋଗୀଙ୍କ ଫାର୍ମ ହାଉସ୍‌ରେ କିଛି ଦିନ ରହିଥିଲା। ତା’ପରେ ସେଠାରୁ କେଉଁଠାକୁ ଯାଇଛି, ତାହା ଜଣାପଡ଼ିନି। ସେ ରାଜ୍ୟ ବାହାରକୁ ପଳାଇଥିବା ସନ୍ଦେହ କରାଯାଉଛି। ଚିଣ୍ଟୁ ଗିରଫ ହୋଇଛି। ସେ ହିଁ କୁରୁପତିକୁ ବାଇକରେ ବସାଇ ଘଟଣାସ୍ଥଳକୁ ନେଇଥିଲା। ସେହିପରି ଅନ୍ୟ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଉମା ବିଷୋୟୀ। ଏହି ହତ୍ୟାକାଣ୍ଡ ପାଇଁ ସେ ଚିଣ୍ଟୁ ଓ କୁରୁପତିଙ୍କୁ ନିଯୁକ୍ତ କରିଥିଲା। 

ଅନ୍ୟପକ୍ଷରେ ଏହି ମାମଲାରେ ଆଜି ୨ କର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ଜେରା କରୁଛି ପୁଲିସ। ଗତକାଲିଠାରୁ ସେମାନଙ୍କୁ ଜେରା କରାଯାଉଛି। ବିକ୍ରମ ପଣ୍ଡାଙ୍କ ବ୍ୟବସାୟିକ ସହଯୋଗୀ ସୁଦର୍ଶନ ଜେନାଙ୍କୁ ପୁଣି ଥରେ ଜେରା କରୁଛି ପୁଲିସ।

ଫୁଲବାଣୀ ଜେଲକୁ ସ୍ଥାନାନ୍ତର ହେଲେ ପିଣ୍ଟୁ
କଡ଼ାସୁରକ୍ଷା ବଳୟରେ ଆଜି ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର ହୋଇଛନ୍ତି ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ। ପୀତବାସ ପଣ୍ଡା ହତ୍ୟା ମାମଲାରେ ତାଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୁଲିସ। ବିକ୍ରମ ପଣ୍ଡା ଓ ସେ ମିଶି ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ ବୋଲି ପୁଲିସ କହିଛି। ବ୍ରହ୍ମପୁର ଜେଲରେ ପିଣ୍ଟୁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରିବାକୁ ଜେଲ କର୍ତ୍ତୃପକ୍ଷ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ପିଟିସନ ଦାଏର କରିଥିଲେ। କୋର୍ଟ ଏହା ଉପରେ ଶୁଣାଣି କରି ପିଣ୍ଟୁଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ସୂଚନାଯୋଗ୍ୟ, ପିଣ୍ଟୁଙ୍କ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ରଙ୍କ ସମେତ ୬ଜଣ ବିରୋଧୀ ବ୍ରହ୍ମପୁର ଜେଲରେ ଅଛନ୍ତି। ବିଭିନ୍ନ ସମୟରେ ସେମାନେ ଜେଲରୁ ବାହାରି ତଥା ଷଡ଼ଯନ୍ତ୍ର କରି ପିଣ୍ଟୁଙ୍କ ଉପରକୁ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe